ପାଟଣାଗଡ଼, (ଗୋରେଖନାଥ ବରିିହା) : ୩ ସନ୍ତାନର ଜନନୀ ସରପଞ୍ଚ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ନେଇ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ତମିଆଁ ପଞ୍ଚାୟତରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି । ତ୍ରିସ୍ତରୀୟ ନିର୍ବାଚନ ପାଇଁ ଗତକାଲିଠୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଶେଷ ହୋଇଥିବା ବେଳେ ୧୯୯୫ ମସିହା ପରଠାରୁ ୩ଟି ସନ୍ତାନର ଜନନୀ ନିର୍ବାଚନରେ ଛିଡ଼ା ହୋଇପାରିବେ ନାହିଁ ବୋଲି ନିର୍ବାଚନ ଆୟୋଗ ନିୟମ ଜାରି କରିଛନ୍ତି । ତେବେ ଏହାକୁ ନେଇ ସେହି ପଞ୍ଚାୟତରେ ନାମାଙ୍କନ ପତ୍ର ଦାଖଲ କରିଥିବା ସରପଞ୍ଚ ପ୍ରାର୍ଥିନୀ ସବିତା ଭୋଇ ତମିଆଁ ପଞ୍ଚାୟତ ନିର୍ବାଚନ ଅଧିକାରୀ ନିକଟରେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ, ସେହି ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିବା ପ୍ରାର୍ଥିନୀ ତେହେରା ବିବିଙ୍କ ଗୋଟିଏ ପୁଅ ଓ ଦୁଇଟି ଝିଅ ଅଛନ୍ତି । ଏ ସଂକ୍ରନ୍ତାରେ ସମନ୍ୱିତ ଶିଶୁ ବିକାଶ କାର୍ଯ୍ୟାଳୟକୁ ଆରଟିଆଇ ମାଧ୍ୟମରେ ସୂଚନା ମାଗିଥିବା ମଧ୍ୟ ତାଙ୍କ ଅଭିଯୋଗ ପତ୍ରରେ ଉଲ୍ଲେଖ ରହିଛି । ଏ ସମ୍ପର୍କରେ ତମିଆଁ ପଞ୍ଚାୟତ ନିର୍ବାଚନ ଅଧିକାରୀ ତ୍ରିଲୋଚନ ମେହେରଙ୍କୁ ପଚାରିବାରୁ ୩ ସନ୍ତାନର ଜନନୀକୁ ନେଇ ଅଭିଯୋଗ ହୋଇଛି । ଏହି ଅଭିଯୋଗରେ ପତ୍ର ସହ ତେହେରା ବିବିଙ୍କ ନାମାଙ୍କନପତ୍ରକୁ ନିର୍ବାଚନ କମିସନରକୁ ଜଣାଇ ଦିଆଯାଇଛି ବୋଲି ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।