ଚର୍ଚ୍ଚାରେ ସିନାପାଲି ପଞ୍ଚାୟତ ସମିତି, ସମିତି ସଭ୍ୟ ପ୍ରାର୍ଥୀ ଭାବେ ନାମାଙ୍କନ ଦାଖଲ କଲେ ଆଦିବାସୀ ଏମବିଏ, ପିଜି ଛାତ୍ର
ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ ଉପାନ୍ତ ଭରୁଆମୁଣ୍ଡା ପଞ୍ଚାୟତ ଚଚରାଭଟା ଗ୍ରାମର ଆଦିବାସୀ ସମ୍ପ୍ରଦାୟର ଜଣେ ବିଏଡ଼, ଏମବିଏ, ପିଜି ଛାତ୍ର ରାଜନୀତିରେ ପଦାର୍ପଣ କରିଥିବା ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସେ ଜଣେ ଆଦିବାସୀ ସମ୍ପ୍ରଦାୟର ଉଚ୍ଚ ଶିକ୍ଷା ହାସଲ କରିଥିବା ଛାତ୍ର ହୋଇଥିବା ବେଳେ ବର୍ତ୍ତମାନ ଭରୁଆମୁଣ୍ଡା ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଭାବରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସମ୍ପୃକ୍ତ ଛାତ୍ର ଜଣକ ଚଚାରାଭଟା ଗ୍ରାମର ଲୋକେଶ ମାଝୀ ହୋଇଥିବା ବେଳେ ସ୍ଥାନୀୟ ବଲ୍ଲଭ ମାଝୀ ଓ ସୁରେଖା ମାଝୀଙ୍କ ସୁପୁତ୍ର ବୋଲି ଜଣାପଡିଛି । ସେ ନିଜ ଜନ୍ମମାଟି ଚଚରାଭଟାରେ ଜନ୍ମ ଗ୍ରହଣ କରି ପ୍ରାଥମିକ ଶିକ୍ଷା ଆରମ୍ଭ କରିଥିଲେ । ସେ ନିକଟସ୍ଥ ହାତିବନ୍ଧା ମହାବିଦ୍ୟାଳୟରେ କଲେଜ ଜୀବନ ଆରମ୍ଭ କରି ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ସ୍ନାତକ ଲାଭ କରିଥିଲେ । ପରେ ୨୦୧୫ରେ ଆଲ୍ହାବାଦ ବିଶ୍ୱ ବିଦ୍ୟାଳୟରେ ମାଷ୍ଟର ଡିଗ୍ରୀ ହାସଲ ପରେ ଆନ୍ଧପ୍ରଦେଶ ସ୍ଥିତ ନାଗାର୍ଜୁନ ବିଶ୍ୱବିଦ୍ୟାଳୟରୁ ୨୦୨୦ରେ ବିଇଡି ହାସଲ କରିଛନ୍ତି । ସେହିପରି ୨୦୧୯ରେ ନିଉ ଦିଲ୍ଲୀ ବିଶ୍ଵବିଦ୍ୟାଳୟରୁ ଏମବିଏ ମଧ୍ୟ ହାସଲ କରିଛନ୍ତି । ବର୍ତ୍ତମାନ ସେ କୌଣସି ପ୍ରକାର ସରକାରୀ ଚାକିରୀ ପ୍ରତି ଆସକ୍ତ ନହୋଇ ରାଜନୀତି ମାଧ୍ୟମରେ ଜନସେବା କରିବାକୁ ମନ ବଳାଇଛନ୍ତି । ସେ ରାଜନୀତିରେ ଆସି ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟଜଳ, ଗମନାଗମନ ଓ ବିଦ୍ୟୁତ ଆଦି ମୌଳିକ ସମସ୍ୟାକୁ ନେଇ ଲୋକଙ୍କ ପାଖରେ ପହଞ୍ଚିବେ ଓ ତାର ସମାଧାନ ପାଇଁ ଉଦ୍ୟମ ଜାରି ରଖିବା ସହ ଅସହାୟ ଗରିବ ଶ୍ରେଣୀର ଲୋକଙ୍କ ପାଇଁ ସମର୍ପିତ ଭାବରେ କାର୍ଯ୍ୟ କରିବେ ବୋଲି ପ୍ରକାଶ କରିଛନ୍ତି । ଅନ୍ୟ ପକ୍ଷରେ ଉକ୍ତ ଭରୁଆମୁଣ୍ଡା ପଞ୍ଚାୟତର ସରଳ ଆଦିବାସୀ, ହରିଜନ ଓ ପଛୁଆବର୍ଗଙ୍କ ସରଳତାର ସୁଯୋଗ ନେଇ ସିନାପାଲି ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦବୀକୁ ଆଖିଆଗରେ ରଖି ଅନେକ ପ୍ରଭାବଶାଳୀ ବ୍ୟକ୍ତି ମାନେ ସମିତି ସଭ୍ୟ ପ୍ରାର୍ଥୀ ଭାବେ ଉକ୍ତ ପଞ୍ଚାୟତରେ ନାମାଙ୍କନ ପତ୍ର ଦାଖଲ କରିଥିବାରୁ ଚର୍ଚ୍ଚା ଜୋର ଧରିଛି । ହେଲେ ନିଜ ପଞ୍ଚାୟତର ପ୍ରାର୍ଥୀଙ୍କୁ ସମ୍ପୂର୍ଣ୍ଣ ସମର୍ଥନ କରାଯିବ ବୋଲି ସ୍ଥାନୀୟ ଲୋକେ ନିଷ୍ପତି ନେଇଥିବା ଜଣାପଡିଛି ।