ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ କପିଲାଭଟା ପଂଚାୟତରେ ଅନେକ ନଳକୂପରେ ୬ ବର୍ଷ ହେଲା ଚାନ୍ଦିନୀ ନିର୍ମାଣ ହୋଇନଥିବାରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା । ଏହାର ପ୍ରତିବାଦରେ ଗତକାଲି ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ କରାଯାଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ନଲକୂପ ଖନନର ଅନେକ ବର୍ଷ ବିତିଯାଇଛି ହେଲେ ଏ ନେଇ ବିଭାଗୀୟ ଅଧିକାରୀ ଓ ଜନପ୍ରତିନିଧି ମାନଙ୍କୁ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ କେହି ଧ୍ୟାନ ଦେଉନଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ନଲକୂପ ପରିସରରେ ଆଣ୍ଠୁଏ ହୋଇ ଖାଲ ହୋଇ ଥିବାରୁ ବୃଦ୍ଧ ବୃଦ୍ଧା ମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଚାନ୍ଦିନୀ ନଥିବାରୁ ଦୂଷିତ ଜଳ ନଲକୂପ ଭିତରକୁ ପ୍ରବେଶ କରୁଥିବାରୁ ରୋଗର ବାହକ ସାଜିଛି । ବାରମ୍ବାର ପ୍ରଶାସନ ଠାରେ ଗୁହାରି କଲାପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ନଲକୂପରେ ଚାନ୍ଦିନୀ ନିର୍ମାଣ ଦାବୀ ନେଇ ଗତକାଲି ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଗାଁର ସ୍ୱେଚ୍ଛାସେବୀ ହୁଲେଶ୍ୱର ହଂସ ଆମରଣ ଅନଶନରେ ବସିଥିଲେ । ସାମାନ୍ୟ ଚାନ୍ଦିନୀ ପଂଚାୟତ ପ୍ରଶାସନ ନିର୍ମାଣ କରି ପାରୁନଥିବା ବେଳେ ଏଠାରେ ବିକାଶ କାମ କେମିତି ହେବ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ବିଜେପି ଦଳର ସାଂସଦଙ୍କ ବିଏଲ୍ସି ପ୍ରତିନିଧି ଥବିର ଚନ୍ଦ୍ର ବାଗ, ପୂର୍ବତନ ସମିତି ସଭ୍ୟ ମଧୁସୂଦନ ସାହୁ, ବଙ୍ଗୋମୁଣ୍ଡା ବ୍ଲକ ଯୁବମୋର୍ଚ୍ଚା ସଭାପତି କୁଷଧ୍ୱଜ ବେହେରା, ଦେବରାଜ ମହାନନ୍ଦ, ବେଦାନ୍ତ ସାହୁ, ତୁଲସି ହଂସ, କାଶି ହଂସ, ଶୋଭା ହଂସ, କର୍ଣ୍ଣ ହଂସ, ଜଗଧ୍ୟାନ ହଂସ, କୁମର ହଂସ, ନୃପ ବିଶି, ଡେଗ୍ର ହଂସଙ୍କ ସମେତ ଗ୍ରାମବାସୀ ମାନେ ଏହି ଆମରଣ ଅନଶନରେ ସମର୍ଥନ କରିଥିଲେ । ପରେ ବଙ୍ଗୋମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ରିପୁନାଥ ସୁନା, କପିଲାଭଟା ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ପୀତବାସ ଜାନୀ ପହଂଚି ଆନ୍ଦୋଳନକାରୀ ମାନଙ୍କୁ ଥଣ୍ଡା ପାନୀୟ ଜଳ ପିଇବାକୁ ପ୍ରଦାନ କରିଥିଲେ । ଆନ୍ଦୋଳନକାରୀ ମାନଙ୍କୁ ବୁଝାସୁଝା କରିବା ସହ ଅଳ୍ପ ଦିନରେ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେବା ପରେ ଆନ୍ଦୋଳନକାରୀ ମାନେ ଆନ୍ଦୋଳନରୁ ଓହରି ଯାଇଥିଲେ ।