oom

ବାଲିଗୁଡାରେ ନିର୍ବାଚନକୁ ନେଇ ଚଳଚଞ୍ଚଳ : ବିଭିନ୍ନ ଦଳର ଅସନ୍ତୋଷ କର୍ମୀ ଓ ନେତାଙ୍କ ଉପରେ ସମସ୍ତଙ୍କ ନଜର

jsmm

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ବିଧାନସଭା ନିର୍ବାଚନ ମଣ୍ଡଳୀରେ ରାଜନୈତିକ ବାତାବରଣ ସରଗରମ ହୋଇ ଉଠିଲାଣି । ଅନ୍ୟ ନିର୍ବାଚନ ମଣ୍ଡଳୀ ଅପେକ୍ଷା ଏହି ନିର୍ବାଚନ ମଣ୍ଡଳୀରେ ରାଜନୀତି ଗଣିତ କିଛି ଅଲଗା ରହିଥାଏ । ଚଳିତ ନିର୍ବାଚନରେ ବିଜେଡି, ବିଜେପି ଓ କଂଗ୍ରେସ ତିନି ପ୍ରମୁଖ ଦଳ ନିଜନିଜ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । କିନ୍ତୁ ନାମାଙ୍କନ ଶେଷ ପର୍ଯ୍ୟନ୍ତ ଏଠାରେ ଟିକଟ୍‌ କାହାର ରହିବ କାହାର କଟିବ ସେ ନେଇ ଚର୍ଚ୍ଚା ଥମିବାର ନା ଧରୁନାହିଁ । ପ୍ରଥମେ ବିଜେପି ଦୁଇ ଦୁଇ ଥର ବିଧାୟକ ରହିଥିବା କରେନ୍ଦ୍ର ମାଝିଙ୍କ ଟିକଟ୍‌ କାଟି ଚାକିରି ଛାଡି ନୂତନ ଭାବେ ଯୋଗ ଦେଇଥିବା କଲ୍ପନା କହଁରକୁ ଟିକଟ୍‌ ଦେଇଛି, ଯାହାର ପ୍ରାର୍ଥୀତ୍ୱକୁ ନେଇ କୁଇ ସମାଜ ପ୍ରଶ୍ନ ଉଠାଇଛି । ସେହିପରି କଂଗ୍ରେସ ପ୍ରଥମେ ସୁରୁଦା ପ୍ରଧାନଙ୍କୁ ଟିକଟ୍‌ ଦେଇଥିବା ବେଳେ କୁଇ ସମାଜ ବିରୋଧ କରିବା ସହ ଦଳୀୟ ଅସନ୍ତୋଷ ଲାଗି ରହିଥିଲା ଦଳୀୟ ପ୍ରଭାରୀଙ୍କ ନିକଟରେ ଉତ୍ତେଜନା ଦେଖାଦେଇ ଥିଲା ତାହାକୁ ନେଇ ଟିକଟ୍‌ ଦେବାର ୧୦ ଦିନ ପରେ ପୁଣି ଟିକଟ ବଦଳାଇ ସୁରୁଦାଙ୍କ ସ୍ଥାନରେ ଉପେନ୍ଦ୍ର ପ୍ରଧାନଙ୍କୁ ଟିକଟ୍‌ ଦେଇଛି । ବିଜେଡି ମଧ୍ୟରେ ଟିକଟ୍‌ ରେଶରେ ବହୁ ଆଶାୟୀ ରହିଥିବା ବେଳେ ବହୁ ତର୍କ ବିତର୍କ ଓ ଆଲୋଚନା ପରେ ବର୍ତ୍ତମାନର ବିଧାୟକ ରହିଥିବା ଚକ୍ରମଣି କହଁରଙ୍କ ଉପରେ ଅସ୍ତା ପ୍ରକଟ କରି ଦଳର ସୁପ୍ରିମୋ ବିଳମ୍ବ ହୋଇଥିଲେ ମଧ୍ୟ ଟିକଟ୍‌ ତାଙ୍କୁ ହିଁ ପ୍ରଦାନ କରିଥିଲେ । ଏହାରି ମଧ୍ୟରେ ବିଜେଡି, ବିଜେପି ଓ କଂଗ୍ରେସ ଦଳ ମଧ୍ୟରେ ନେତା ଓ କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ରହିଥିବା ଦେଖିବାକୁ ମିଳୁଛି । ବିଭିନ୍ନ ଦଳ କିଭଳି ନିଜ ଦଳ ମଧ୍ୟରେ ରହିଥିବା ଅସନ୍ତୋଷକୁ ଆଲୋଚନା କରି ସମାଧାନ କରିବେ ନିଜ ନିଜ ମଧ୍ୟରେ ଉଦ୍ୟମ ଜାରି ରଖିଥିବା ଦେଖିବାକୁ ମିଳିଛି । ଏହି ଉଦ୍ୟମରେ ବିଜେଡି ଆଗରେ ରହିଥିବା ବେଳେ ବିଜେପି ସବୁଠାରୁ ପଛରେ ରହିଛି । ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ କହିଛନ୍ତି ବିଜେଡି ଏକ ବୃହତ ଓ ଶୃଙ୍ଖଳିତ ଦଳ । ଦଳ ମଧ୍ୟରେ ବିଧାୟକ ଓ ସାଂସଦ ପ୍ରାର୍ଥୀ ହେବା ପାଇଁ ଅନେକ ଆଶାୟୀ ରହିଥାନ୍ତି, କିନ୍ତୁ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଯାହା ନିଷ୍ପତି ନିଅନ୍ତି ଯାହାକୁ ପ୍ରାର୍ଥୀ କରନ୍ତି ତାହାକୁ ସମସ୍ତେ ମାନି ନିଅନ୍ତି, ଏଣୁ ଆମର ସମସ୍ତ ଆଶାୟୀ ପ୍ରାର୍ଥୀ ନେତା ଓ କର୍ମୀ ଏକତ୍ରିତ ହୋଇ ନିର୍ବାଚନ ଲଢୁଛନ୍ତି । କଂଗ୍ରେସ ପ୍ରାର୍ଥୀ ଉପେନ୍ଦ୍ର ପ୍ରଧାନ କହିଛନ୍ତି ଦଳ ମଧ୍ୟରେ ଥିବା ଅସନ୍ତୋଷକୁ ଧୀରେ ଧୀରେ ଦୂର କରାଯାଉଛି । ଦଳର ବରିଷ୍ଠ ନେତାମାନେ ସେହି କାମରେ ଲାଗିଛନ୍ତି । ଦଳ ମଧ୍ୟରେ ଥିବା ଆଶାୟୀ ପ୍ରାର୍ଥୀମାନଙ୍କ ନିକଟରେ ମୁଁ ନିଜେ ପହଞ୍ଚି ତାଙ୍କ ସହ ଆଲୋଚନା କରିଛି । କିଭଳି ମିଳିମିଶି ନିର୍ବାଚନ ପରିଚାଳନା କରିବା ସହ ବିରୋଧୀଙ୍କୁ ପରାଜୟ କରି ବାଲିଗୁଡାରେ କଂଗ୍ରେସକୁ ବିଜୟ କରାଇବା ଆମମାନଙ୍କର ଏକ ମାତ୍ର ଲକ୍ଷ ବୋଲି ଶ୍ରୀ ପ୍ରଧାନ କହିଛନ୍ତି । କିନ୍ତୁ ବିଜେପି ଦଳ ମଧ୍ୟରେ ଥିବା ଅସନ୍ତୋଷ କାଲିର ବୁଥ୍‌ ବିଜୟ ଅଭିଯାନ କାର୍ଯ୍ୟକ୍ରମରୁ ହିଁ ଦେଖିଲେ ଜଳଜଳ ହୋଇ ବାରି ହୋଇଯାଉଥିଲା । ଏହି କାର୍ଯ୍ୟକ୍ରମରେ ଦୁଇ ଦୁଇ ଥର ବିଧାୟକ ଥିବା ପୂର୍ବତନ ବିଧାୟକ କରେନ୍ଦ୍ର ମାଝି, ବିଧାନସଭା ପ୍ରଭାରି ଲିଙ୍ଗରାଜ ଦଳବେହେରା ସମେତ ବହୁନିର୍ବାଚିତ ପ୍ରତିନିଧି, ବରିଷ୍ଠ ନେତା ଓ କର୍ମୀ ଓ ସମସ୍ତ ବୁଥ୍‌ର କାର୍ଯ୍ୟକର୍ତ୍ତା ଯୋଗ ଦେଇନଥିବାରୁ ଆସିଥିବା କର୍ମୀଙ୍କ ମନରେ ଅସନ୍ତୋଷ ଦେଖିବାକୁ ମିଳିଥିଲା । ନିର୍ବାଚନର ନାମାଙ୍କନ ପୂର୍ବରୁ ଦଳ ମଧ୍ୟରେ ରହିଥିବା ଅସନ୍ତୋଷ ଦାଣ୍ଡରେ ପଡି ହାଟରେ ଗଡୁଛି ଯାହାକୁ ନେଇ ସବୁଠାରେ ଚର୍ଚ୍ଚା । ବିଜେପିରେ ରହିଥିବା ଅସନ୍ତୋଷ ସମ୍ପର୍କରେ ଲୋକସଭା ପ୍ରଭାରୀ ନିରଞ୍ଜନ ମିଶ୍ର କହିଛନ୍ତି ସବୁଠି ଅସନ୍ତୋଷ ଅଛି ଆପଣଙ୍କ ଘରେ ମଧ୍ୟ ଅସନ୍ତୋଷ ଅଛି ଆମ ଦଳରେ ଥିବା ଅସନ୍ତୋଷକୁ ଦୂର କରାଯାଉଛି, ବାଲିଗୁଡା ନିର୍ବାଚନକୁ ଜିଲ୍ଲା ସଭାପତି ଜଗନ୍ନାଥ ସାହୁ ଓ ଲୋକସଭା ସଂଯୋଜକ ପଦ୍ମ ଚରଣ ଦାସ ସେହି ସ୍ଥାନର ହୋଇଥିବାରୁ କିଛି ଅସୁବିଧା ହେବ ନାହିଁ, ମୁଁ ନିଜେ ସେହି ନିର୍ବାଚନ ମଣ୍ଡଳୀର ମଧ୍ୟ ପରିଚାଳନା କରିଛି, ଏଣୁ ଅସନ୍ତୋଷ ଥିବା ବିଷୟ କିଛି ଅସୁବିଧା ହେବ ନହିଁ । ତେବେ ଦେଖିବାକୁ ବାକି ରହିଲା ଯେ, କେଉଁ ଦଳ କେତେ ଅସନ୍ତୋଷକୁ ଦୂର କରି ନିର୍ବାଚନ ବାଜି ମାରୁଛି ।

jittmm
Leave A Reply

Your email address will not be published.