ନାଗିନ୍‌ ଡ୍ୟାନ୍ସ କରି ସୁକିନ୍ଦାର ଲେଡି ତହସିଲଦାର ବୁଲବୁଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ନାଗିନ୍ ଡ୍ୟାନ୍ସ ନାଚି ଫସିଗଲେ ଲେଡି ତହସିଲଦାର ବୁଲବୁଲ ନିଜ ଭାଇର ବାହାଘର ବେଳେ କରୋନା ନିୟମକୁ ଉଲ୍ଲଂଘନ କରିଥିଲେ । ଜାତୀୟ ମାନବାଧିକାର କମିଶନ ବୁଲବୁଲ ବେହେରାଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ଜଗତସିଂହପୁର ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି । ଯାହାକୁ ନେଇ ସୋଶିଆଲ ମିଡିଆରେ ଖୁବ ଚର୍ଚ୍ଚା ହୋଇଥିଲା । କରୋନା ବେଳେ ବିଭିନ୍ନ ପ୍ରଶାସନିକ ଅଧିକାରୀ କରୋନା ନିୟମ ଉଲ୍ଲଂଘନ ଅଭିଯୋଗରେ ସାଧାରଣ ଲୋକଙ୍କ ପାଖରୁ ଜୋରିମାନା ଗଣୁଥିବା ବେଳେ ଏହି ମହିଳା ତହସିଲଦାରଙ୍କ ବିରୋଧରେ ସ୍ଥାନୀୟ ପ୍ରଶାସନ ଉଁ କି ଚୁଁ କହିନଥିଲେ । ହେଲେ ମାନବାଧିକାର କମିଶନ ଏବେ ବୁଲବୁଲଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ନେବାକୁ ଜଗତସିଂହପୁର ଜିଲ୍ଲାପାଳଙ୍କୁ କହିଛନ୍ତି । ନିକଟରେ ସୁପ୍ରିମକୋର୍ଟର ଓକିଲ ତଥା ମାନବାଧିକାର କର୍ମୀ ରାଧାକାନ୍ତ ତ୍ରିପାଠୀ ଏହାକୁ ନେଇ ଏନଏଚଆରସିଙ୍କ ନିକଟରେ ଫେରାଦ ହୋଇଥିଲେ । ଏନଏଚଆରସି ଏବେ ଏହି ଆବେଦନକୁ ବିଚାର କରି ୮ ସପ୍ତାହ ମଧ୍ୟରେ କାର୍ୟ୍ୟାନୁଷ୍ଠାନ ନିଆଯିବା ଉଚିତ ବୋଲି ଜଗତସିଂହପୁର ଜିଲ୍ଲାପାଳଙ୍କୁ ଦେଇଥିବା ନିର୍ଦ୍ଦେଶରେ କହିଛନ୍ତି । ଓଡ଼ିଶା ପ୍ରଶାସନିକ ସେବା(ଓଏଏସ୍) ଅଧିକାରୀ ବୁଲବୁଲ ବେହେରା ହେଉଛନ୍ତି ଯାଜପୁର ଜିଲ୍ଲା ସୁକିନ୍ଦାର ତହସିଲଦାର । ମେ ୨୧ରେ ସେ ତାଙ୍କ ଭାଇ, ପରିବାର ସଦସ୍ୟଙ୍କ ସହ ମିଶି ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ବ୍ଲକ ଜଗନ୍ନାଥପୁରରେ ଭାଇ ବାହାଘରରେ ସାମିଲ ହୋଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଗାଁରେ କରୋନା ବ୍ୟାପୁଥିବା ବେଳେ କରୋନା ନିୟମକୁ ରାଜ୍ୟ ସରକାର କଡ଼ାକଡି କରିଛନ୍ତି । ଏଭଳି ସ୍ଥିତିରେ ଜଣେ ପ୍ରଶାସନିକ ଅଧିକାରୀ ହୋଇ କରୋନା ନିୟମ ଉଲ୍ଲଂଘନ କରିବା ଠିକ୍ ନୁହେଁ ବୋଲି ମତ ପ୍ରକାଶ ପାଇଥିଲା ।
ଆବେଦନକାରୀ ରାଧାକାନ୍ତ ତ୍ରିପାଠୀ କହିଛନ୍ତି, ରାଜ୍ୟର ମହିଳା ଅଧିକାରୀଙ୍କୁ କୋଭିଡ ନିର୍ଦ୍ଦେଶାବଳୀ କାର୍ୟ୍ୟକାରୀ କରିବା ନେଇ ଲୋକଙ୍କ ଉପରେ କଡା ନଜର ରଖିବାକୁ କୁହାଯାଇଥିଲା । କିନ୍ତୁ ଏହି ଅଧିକାରୀ ନିଜେ କରୋନା ନିୟମ ପାଳନ କରିବାରେ ବିଫଳ ହୋଇଛନ୍ତି । କୋଭିଡ ଉଲ୍ଲଂଘନକୁ ଅନୁମତି ଦେଇଥିବା ପୁଲିସ ଏବଂ ସରପଞ୍ଚଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମଧ୍ୟ ରାଧାକାନ୍ତ ଅନୁରୋଧ କରିଛନ୍ତି ।
ସୂଚନାଯୋଗ୍ୟ, ଜଗତସିଂହପୁରର ତିର୍ତ୍ତୋଲ ବ୍ଲକ ଜଗନ୍ନାଥପୁର ଅଞ୍ଚଳରେ ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାର ବୁଲବୁଲ୍ ବେହେରା ନାଚୁଥିବାର ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ମେ ୨୧ ତାରିଖରେ ମହିଳା ତହସିଲଦାର ତାଙ୍କ ଭାଇ ବାହାଘରରେ ଯୋଗଦେବା ପାଇଁ ଜଗତସିଂହପୁରର ତିର୍ତ୍ତୋଲ ଅଞ୍ଚଳକୁ ବରଯାତ୍ରୀ ଯାଇଥିଲେ । ନିଜେ ଜଣେ ପ୍ରଶାସନିକ ଅଧିକାରୀ ହୋଇ ମଧ୍ୟ କରୋନା ଗାଇଡଲାଇନର ଖୋଲା ଉଲ୍ଲଂଘନ କରି ବାହାଘର ଶୋଭାଯାତ୍ରାରେ ଅନ୍ୟମାନଙ୍କ ସହିତ ନାଚୁଥିବା ନେଇ ଭିଡିଓରେ ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ, ରାଜ୍ୟରେ ଜୁନ୍ ୧ ପର୍ୟ୍ୟନ୍ତ ଲକ୍‌ଡାଉନ୍ ଘୋଷଣା ହେବା ସହ ବିବାହ ଶୋଭାଯାତ୍ରା ଏବଂ ଭୋଜି ଉପରେ ସମ୍ପୂର୍ଣ୍ଣ କଟକଣା ଜାରି କରାଯାଇଛି । ଏହାସହ ବାହାଘରରେ ସର୍ବାଧିକ ୨୫ ଜଣଙ୍କୁ ଅନୁମତି ଦିଆଯାଇଛି । ମହାମାରୀ ଭଳି ସଙ୍କଟ ସମୟରେ ସରକାର ପ୍ରଶାସନିକ ଅଧିକାରୀମାନଙ୍କୁ ନିୟମକୁ କାର୍ୟ୍ୟକାରୀ କରିବା ପାଇଁ ଦାୟିତ୍ବ ଦେଇଥିବା ବେଳେ ମହିଳା ତହସିଲଦାର ଜଣକ ନିୟମର ଖୋଲାଖୋଲି ଉଲ୍ଲଂଘନ କରୁଥିବା ନଜରକୁ ଆସିଛି ।

Leave A Reply

Your email address will not be published.