ନାଗେଶ୍ୱରୀ ପାହାଡ଼ରୁ ବକ୍ସାଇଟ୍‌ ଖନନକୁ ଅଞ୍ଚଳବାସୀଙ୍କ ପ୍ରବଳ ବିରୋଧ

  • ୩ ହଜାର ଲୋକ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଦାବିପତ୍ର

କୋରାପୁଟ, (ସୁନାମ ହନ୍ତାଳ) : କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ବାଲଡା ନିକଟ ନାଗେଶ୍ୱରୀ ପାହାଡ଼ରୁ ବକ୍ସାଇଟ୍‌ ଉତ୍ତୋଳନକୁ ପ୍ରଭାବିତ ଗ୍ରାମବାସୀ ପ୍ରବଳ ବିରୋଧ କରିଛନ୍ତି । ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରି ମଙ୍ଗଳବାର ବାଲଡା, ବାଡେଲ, ଭେଜା, କୁଲାବିର୍ ଏବଂ ଅତଣ୍ଡା ପଞ୍ଚାୟତ ଅନ୍ତର୍ଗତ ୧୨୨ ଖଣ୍ଡ ଗ୍ରାମର ୩ ହଜାରରୁ ଅଧିକ ମହିଳା ଓ ପୁରୁଷ ଏକ ବିରାଟ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳ ଭି.କୀର୍ତ୍ତି ଭାସନଙ୍କ ସହ ଆଲୋଚନା କରି ଦାବିପତ୍ର ପ୍ରଦାନ କରିଥିଲେ । ନନ୍ଦପୁର ବ୍ଲକ ବୁଡ଼ି ଅଞ୍ଚଳ ବିକାଶ ପରିଷଦ ସଭାପତି ଆକାଶ ଖିଲ, ମା’ ନାଗେଶ୍ଵରୀ ପାହାଡ଼ ବଞ୍ଚାଅ ଅଭିଯାନ ସଭାପତି ବିକ୍ରମ ସୀସା, ଉପାଧ୍ୟକ୍ଷା ତଥା ନନ୍ଦପୁର ବ୍ଲକ ଅଧ୍ୟକ୍ଷା ସାବିତ୍ରୀ କାର୍ତୁଲ, କୋଷାଧ୍ୟକ୍ଷ ଲବ ଖିଲ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ପ୍ରଭାତ ଗୁରୁମାଇ, ଭେଜା ପଞ୍ଚାୟତର ପୂର୍ବତନ ସରପଞ୍ଚ ବଳଭଦ୍ର ସୀସା ପ୍ରମୁଖଙ୍କ ନେତୃତ୍ୱରେ ମଙ୍ଗଳବାର ୫ ହଜାରରୁ ଅଧିକ ପ୍ରଭାବିତ ଗ୍ରାମବାସୀ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ବକ୍ସାଇଟ୍‌ ଖନନକୁ ବିରୋଧ କରୁଥିବା କହିଛନ୍ତି । ୨୦୦୮ ମସିହାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାଗେଶ୍ଵରୀ ପାହାଡ଼ ପରିଦର୍ଶନ କରିଥିଲେ । ନାଗେଶ୍ଵରୀ ପାହାଡ଼ର ପ୍ରାକୃତିକ ସୌନ୍ଦର୍ଯ୍ୟ ଓ ପରିବେଶରେ ସେ ଅତ୍ୟନ୍ତ ଖୁସୀ ହୋଇ ନାଗେଶ୍ଵରୀ ପାହାଡ଼କୁ ଇକୋ ଟୁରିଜିମ୍ ଭାବେ ନିର୍ମାଣ କରିବାକୁ ପର୍ଯ୍ୟଟନ ଓ ବନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । ଅଞ୍ଚଳବାସୀ ଖନନକୁ ବିରୋଧ କରିବା ସହ ଚେତାବନୀ ଦେଇଛନ୍ତି ।

Leave A Reply

Your email address will not be published.