jayashree

ନାଗରିକତା ନିୟମ, ୨୦୨୪ର ବିଜ୍ଞପ୍ତି ଜାରି ହେବା ପରେ ନାଗରିକତ୍ୱ ପ୍ରମାଣପତ୍ରର ପ୍ରଥମ ଶୃଙ୍ଖଳା ଜାରି

  • କେନ୍ଦ୍ର ଗୃହ ସଚିବ ନୂଆଦିଲ୍ଲୀର କିଛି ଆବେଦନକାରୀଙ୍କୁ ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କରିଛନ୍ତି

ନୂଆଦିଲ୍ଲୀ , (ପିଆଇବି) : ନାଗରିକତା (ସଂଶୋଧନ) ନିୟମ, ୨୦୨୪ର ବିଜ୍ଞପ୍ତି ପରେ ନାଗରିକତ୍ୱ ପ୍ରମାଣପତ୍ରର ପ୍ରଥମ ଶୃଙ୍ଖଳା ଜାରି କରାଯାଇଛି । କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ଆଜି ନୂଆଦିଲ୍ଲୀର କିଛି ଆବେଦନକାରୀଙ୍କୁ ନାଗରିକତ୍ୱ ପ୍ରମାଣପତ୍ର ପ୍ରଦାନ କରିଛନ୍ତି । ଗୃହ ସଚିବ ଆବେଦନକାରୀଙ୍କୁ ଅଭିନନ୍ଦନ ଜଣାଇଥିଲେ ଏବଂ ନାଗରିକତା (ସଂଶୋଧନ) ନିୟମ, ୨୦୨୪ର ମୁଖ୍ୟ ବୈଶିଷ୍ଟ୍ୟଗୁଡିକ ଉପରେ ଆଲୋକପାତ କରିଥିଲେ । ଏହି ଆଲୋଚନା ଚକ୍ରରେ ଡାକ ସଚିବ, ନିର୍ଦ୍ଦେଶକ (ଆଇବି), ରେଜିଷ୍ଟ୍ରାର ଜେନେରାଲ ଅଫ୍ ଇଣ୍ଡିଆ ଏବଂ ବରିଷ୍ଠ ଅଧିକାରୀମାନେ ମଧ୍ୟ ଉପସ୍ଥିତ ଥିଲେ । ଭାରତ ସରକାର ୧୧ ମାର୍ଚ୍ଚ ୨୦୨୪ରେ ନାଗରିକତା ସଂଶୋଧନ ନିୟମ, ୨୦୨୪ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏହି ନିୟମରେ ଆବେଦନ ଫର୍ମର ପଦ୍ଧତି, ଜିଲ୍ଲାସ୍ତରୀୟ କମିଟି (ଡିଏଲ୍‌ସି) ଦ୍ୱାରା ଆବେଦନ ପ୍ରକ୍ରିୟା ଏବଂ ରାଜ୍ୟସ୍ତରୀୟ କ୍ଷମତା ପ୍ରାପ୍ତ କମିଟି (ଇସି) ଦ୍ୱାରା ନାଗରିକତା ଯାଞ୍ଚ ଏବଂ ଅନୁମତି ପ୍ରଦାନ ବିଷୟରେ ଉଲ୍ଲେଖ କରାଯାଇଛି । ଏହି ନିୟମ ଅନୁଯାୟୀ ପାକିସ୍ତାନ, ବାଂଲାଦେଶ ଓ ଆଫଗାନିସ୍ତାନର ହିନ୍ଦୁ, ଶିଖ, ଜୈନ, ବୌଦ୍ଧ, ପାର୍ସୀ ଓ ଖ୍ରୀଷ୍ଟିଆନ୍‌ ସମ୍ପ୍ରଦାୟର ବ୍ୟକ୍ତିଙ୍କ ଠାରୁ ଯେଉଁମାନେ ଧର୍ମ ଆଧାରରେ ନିର୍ଯ୍ୟାତନା କାରଣରୁ କିମ୍ବା ଏଭଳି ନିର୍ଯ୍ୟାତନାର ଭୟରେ ୩୧.୧୨.୨୦୧୪ ପର୍ଯ୍ୟନ୍ତ ଭାରତରେ ପ୍ରବେଶ କରିଛନ୍ତି ସେମାନଙ୍କ ଠାରୁ ଆବେଦନ ଗ୍ରହଣ କରାଯାଇଛି । ପଦନାମିତ ଅଧିକାରୀମାନଙ୍କ ରୂପରେ ବରିଷ୍ଠ ଡାକ ଅଧୀକ୍ଷକ / ଡାକ ଅଧୀକ୍ଷକଙ୍କ ଅଧ୍ୟକ୍ଷତାରେ ଜିଲ୍ଲାସ୍ତରୀୟ କମିଟି (ଡିଏଲ୍ସି) ଦସ୍ତାବିଜର ସଫଳ ଯାଞ୍ଚ କରି ଆବେଦନକାରୀମାନଙ୍କ ପ୍ରତି ନିଷ୍ଠାର ଶପଥ ପାଠ କରାଇଛନ୍ତି । ନିୟମ ଅନୁଯାୟୀ ପ୍ରକ୍ରିୟାକରଣ କରିବା ପରେ ଡିଏଲ୍‌ସିଗୁଡ଼ିକ ନିର୍ଦ୍ଦେଶକ (ଜନଗଣନା ସଂଚାଳନ)ଙ୍କ ଅଧ୍ୟକ୍ଷତାରେ ଗଠିତ ରାଜ୍ୟସ୍ତରୀୟ କ୍ଷମତା ପ୍ରାପ୍ତ କମିଟିକୁ ଆବେଦନ ଗୁଡ଼ିକୁ ପଠାଇଛନ୍ତି । ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଅନ୍‌ଲାଇନ୍ ପୋର୍ଟାଲ୍‌ ମାଧ୍ୟମରେ କରାଯାଇଥାଏ । ନିର୍ଦ୍ଦେଶକ (ଜନଗଣନା ସଂଚାଳନ), ଦିଲ୍ଲୀଙ୍କ ଅଧ୍ୟକ୍ଷତାରେ ଗଠିତ ଅଧିକାରପ୍ରାପ୍ତ କମିଟି ଉଚିତ ଯାଞ୍ଚ ପରେ ୧୪ ଜଣ ଆବେଦନକାରୀଙ୍କୁ ନାଗରିକତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛି । ସେହି ଅନୁଯାୟୀ ନିର୍ଦ୍ଦେଶକ (ଜନଗଣନା ସଂଚାଳନ) ଏହି ଆବେଦନକାରୀଙ୍କୁ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ।

Leave A Reply

Your email address will not be published.