ସାଂସଦଙ୍କୁ କୃତଜ୍ଞତା ଜଣାଇଲା ସଚେତନ ନାଗରିକ ମଞ୍ଚ

ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ସମ୍ବଲପୁର- ସୁବର୍ଣ୍ଣପୁର ନୂତନ ରେଳ ପ୍ରକଳ୍ପକୁ ନେଇ ସାଂସଦଙ୍କ ପ୍ରୟାସ ପ୍ରଶଂସନୀୟ ବୋଲି ଆଜି ସୋନପୁର ର ଅଗ୍ରଣୀ ସଂଗଠନ ସଚେତନ ନାଗରିକ ମଞ୍ଚ କହିଛି । ସମ୍ବଲପୁରରୁ ସୁବର୍ଣ୍ଣପୁରକୁ ଧମା ଓ ଉଲୁଣ୍ଡା ମାର୍ଗରେ ନୂତନ ରେଳ ପ୍ରକଳ୍ପ ପାଇଁ ପୁଣିଥରେ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବାରୁ ସୁବର୍ଣ୍ଣପୁର ଜିଲ୍ଲାରେ ଏହାର ସକରାତ୍ମକ ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଏହି ପରିପ୍ରେକ୍ଷୀରେ ସଚେତନ ନାଗରିକ ମଞ୍ଚ ପକ୍ଷରୁ ବଲାଙ୍ଗିରର ମାନ୍ୟବର ସାଂସଦ ଶ୍ରୀମତୀ ସଙ୍ଗୀତା କୁମାରୀ ସିଂଦେଓଙ୍କ ପ୍ରୟାସକୁ ପ୍ରଶଂସା କରାଯାଇଛି । ମଞ୍ଚ ପକ୍ଷରୁ ଜାରି ହୋଇଥିବା ବିବୃତିରେ କୁହାଯାଇଛି ଯେ, ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ଦୀର୍ଘଦିନର ଦାବୀ ଥିବା ଏହି ରେଳ ପ୍ରକଳ୍ପ ଅଞ୍ଚଳର ସାମଗ୍ରିକ ଉନ୍ନତିକୁ ନୂଆ ଗତି ଦେବ । ବିଶେଷକରି ଯାତାୟାତ, ବାଣିଜ୍ୟ ଓ ସାମାଜିକ ସଂଯୋଗକୁ ଏହା ମଜବୁତ କରିବ ବୋଲି ଆଶା କରାଯାଉଛି । ସାଂସଦ ଶ୍ରୀମତୀ ସିଂଦେଓଙ୍କ ଏହି ପଦକ୍ଷେପ ପାଇଁ ମଞ୍ଚ ପକ୍ଷରୁ ତାଙ୍କୁ ଆନ୍ତରିକ ଧନ୍ୟବାଦ ଓ କୃତଜ୍ଞତା ଜଣାଯାଇଛି । ସେ ଏହି ପ୍ରକଳ୍ପକୁ ଆଗକୁ ବଢ଼ାଇ ଶୀଘ୍ର ଏକ ନିର୍ଣ୍ଣାୟକ ପର୍ଯ୍ୟାୟକୁ ନେବେ ବୋଲି ଜିଲ୍ଲାବାସୀ ଆଶା ପ୍ରକାଶ କରିଛନ୍ତି । ଏହା ସହିତ ସାଂସଦଙ୍କ ଏହି ଉଦ୍ୟମ ସୁବର୍ଣ୍ଣପୁର ଜିଲ୍ଲାବାସୀଙ୍କ ହୃଦୟରେ ଚିରସ୍ମରଣୀୟ ଭାବେ ଅବିସ୍ମରଣୀୟ ରହିବ ବୋଲି ସଚେତନ ନାଗରିକ ମଞ୍ଚ ପକ୍ଷରୁ ମତ ପ୍ରକାଶ କରାଯାଇଛି ।

Leave A Reply

Your email address will not be published.