ପାନୀୟ ଜଳ ସମସ୍ୟାକୁ ନେଇ ଜନସ୍ୱାସ୍ଥ୍ୟ ଅଧିକ୍ଷଣ ଯନ୍ତ୍ରୀଙ୍କୁ ସାକ୍ଷାତ କଲା ନାଗରିକ କମିଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ପାନୀୟ ଜଳର ଉତ୍କଟ ଅଭାବ ସଂପର୍କରେ ସ୍ଥାନୀୟ ଜନସ୍ୱାସ୍ଥ୍ୟ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଯନ୍ତ୍ରୀମାନଙ୍କ ସହ ନାଗରିକ କମିଟିର କର୍ମକର୍ତ୍ତାମାନେ ଆଲୋଚନା କରିଥିଲେ । ଅଧିକ୍ଷଣ ଯନ୍ତ୍ରୀ ପାର୍ବତୀ ମୋହନ ପରିଡାଙ୍କ କହିବା ଅନୁସାରେ ସହରରେ ଦୈନିକ ୧୫୦ ଲକ୍ଷ ଲିଟର ପାନୀୟ ଜଳ ଆବଶ୍ୟକ ପଡୁଥିବା ବେଳେ ବର୍ତ୍ତମାନ ୧୨୦ ଲକ୍ଷ ଲିଟର ଜଳ ଯୋଗାଣ ହୋଇପାରୁଛି । ନନ୍ଦନମାଲ ମହାନଦୀରୁ ପାଣି ଯୋଗାଣ ବନ୍ଦ ହୋଇଯାଇଥିବାରୁ ବର୍ତ୍ତମାନ ତରଭା ନିକଟସ୍ଥ ଗୁଦେଲମୁଣ୍ଡାରୁ ଦୁଇଟି ୨୧୪ ଏଚ୍‌ପିର ଭି.ଟି ପମ୍ପ ସାହାଯ୍ୟରେ ପାନୀୟ ଜଳ ଯୋଗାଣ କରାଯାଉଛି । କିନ୍ତୁ ବର୍ତ୍ତମାନ ଜଳପତ୍ତନ ପ୍ରାୟ ୧ ଫୁଟ୍‌ କମ୍‌ ହୋଇଯାଉଥିବାରୁ ଜଳ ଯୋଗାଣରେ ବ୍ୟାଘାତ ସୃଷ୍ଟି ହେଉଛି । ପୁଣି ଜଳ ଉଠାଇବା ଓ ଯୋଗାଣ କରିବା ପାଇଁ ଉଭୟ ପଟୁ ବିଦ୍ୟୁତ ସରବରାହ ଉପରେ ନିର୍ଭର କରିବାକୁ ପଡୁଛି । ବିଦ୍ୟୁତ ବନ୍ଦ ହେଲେ ଯୋଗାଣରେ ଅସୁବିଧା ହେଉଥିବା ଯନ୍ତ୍ରୀ ପ୍ରକାଶ କରିଥିଲେ । ଏଠାରେ ଆଉ ଗୋଟିଏ ପମ୍ପ ଯଥାଶୀଘ୍ର କାର୍ଯ୍ୟକାରୀ କରାଯିବ ଓ ତିନ ଦିନ ଭିତରେ ଜଳ ଯୋଗାଣରେ ଅସୁବିଧା ହେବ ନାହିଁ ବୋଲି ଯନ୍ତ୍ରୀ ପ୍ରକାଶ କରିଥିଲେ । ଉପଲବ୍ଧ ପାନୀୟ ଜଳକୁ ସହରର ସମସ୍ତ ପଡାରେ ଉଚିତ ବଣ୍ଟନ କରିବାରେ ଜନସ୍ୱାସ୍ଥ୍ୟ ବିଭାଗ ବିଫଳ ହୋଇଥିବାରୁ କମିଟି ତରଫରୁ ଘୋର ଉଦ୍‌ବେଗ ପ୍ରକାଶ ପାଇଥିଲା । ଯେପରି ସମସ୍ତ ଜନସାଧାରଣ ପାନୀୟ ଜଳ ପାଇପାରିବେ ତାର ବ୍ୟବସ୍ଥା ନ ହେଲେ ପରିଣତି ଭୟବହ ହେବ ବୋଲି କମିଟି ତରଫରୁ ସତର୍କ କରାଯାଇଥିଲା । ନାଗରିକ କମିଟିର ସଭାପତି ଇଂ ବେଲାର ସିଂ ଭୋଇ, ସାଧାରଣ ସଂପାଦକ ମନୋରଂଜନ ସାହୁ, ସହ-ସଂପାଦକ ଡା. ଚକ୍ରପାଣି ଦାଶ, ଆବାହକ ଗୋପବନ୍ଧୁ ପୁରୋହିତ, ସଲିମ ଖାନ ଓ ଦିବାକର ହୋତା ଆଲୋଚନା କରିଥିବା ବେଳେ କାର୍ଯ୍ୟାଳୟ ତରଫରୁ ସହକାରୀ ନିର୍ବାହୀ ଯନ୍ତ୍ରୀ ସୁବ୍ରତ ନାୟକ ଓ ପ୍ରକାଶ ବେହେରା ଅଧିକ୍ଷଣ ଯନ୍ତ୍ରୀଙ୍କୁ ସହଯୋଗ କରିଥିଲେ ।

Leave A Reply

Your email address will not be published.