ଜୁଏଲ୍‌ଙ୍କ ଦାବିକୁ ସଚେତନ ନାଗରିକ ମଞ୍ଚର ସମର୍ଥନ

ରାଉରକେଲା, (ସସ୍ମିତା ପ୍ରଧାନ) : କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ରାଉରକେଲାରେ ରେଳ ଡିଭିଜନ ଦାବିକୁ ଜଣାଇ ଦେଇଥିବା ଚିଠିକୁ ସଚେତନ ନାଗରିକ ମଞ୍ଚ ତରଫରୁ ସ୍ୱାଗତ କରାଯାଇଛି । ଏସମ୍ପର୍କରେ ମଞ୍ଚର ସଭାପତି ଇଂ ବିମଳ କୁମାର ବିଶି ଓ ସାଧାରଣ ସମ୍ପାଦକ ପି. ପି. ରାୟ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କହିଛନ୍ତି ଯେ, ଓଡ଼ିଶା ସରକାରଙ୍କ ପକ୍ଷରୁ ବିଗତ ଦିନରେ ୨ଥର ରାଉରକେଲାରେ ରେଳ ଡିଭିଜନ ପାଇଁ ସୁପାରିଶ କରାଯାଇଛି । ବନ୍ଧମୁଣ୍ଡା ଭଳି ସ୍ଥାନରେ ବ୍ୟାପକ ଭିତ୍ତିଭୂମି ଥିବାରୁ ଏଥିପାଇଁ ବିଶେଷ ବ୍ୟୟଭାର ବହନ କରିବାକୁ ପଡ଼ିବ ନାହିଁ । ଏହା ସହିତ ରାଉରକେଲାରେ ରେଳ ଡିଭିଜନ ପ୍ରତିଷ୍ଠା ସହିତ ଏହାକୁ ପୂର୍ବତନ ରେଳପଥରେ ସାମିଲ କରିବାକୁ ଶ୍ରୀ ଓରାମ ପ୍ରସ୍ତାବ ଦେଇଛନ୍ତି । କାରଣ ବନ୍ଧମୁଣ୍ଡାରେ ରେଳବାଇର ବ୍ୟାପକ ଭିତ୍ତିଭୂମି ଉପଲବ୍ଧ ଅଛି । ସେହିପରି ସୁନ୍ଦରଗଡ ସହିତ ଅନ୍ୟତମ ଖଣିଜ ସଂପଦ ପରିପୂର୍ଣ୍ଣ କେନ୍ଦୁଝର ଜିଲ୍ଲାକୁ ନେଇ ରାଉରକେଲାରେ ରେଳ ଡିଭିଜନ ପ୍ରତିଷ୍ଠା ହେଲେ ଅଞ୍ଚଳର ଆର୍ଥିକ ବିକାଶ ସହ ବେକାର ଯୁବକ, ଯୁବତୀଙ୍କ ପାଇଁ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ ସେ ଦର୍ଶାଇଛନ୍ତି । କହିବାକୁ ଗଲେ ଏହି ଦାବି ସବୁ ଦୀର୍ଘଦିନର ଓ ଏହାପାଇଁ ସଚେତନ ନାଗରିକ ମଞ୍ଚ ସମେତ ସହରର ବିଭିନ୍ନ ଅନୁଷ୍ଠାନ ତରଫରୁ ଦାବି ହୋଇଆସୁଛି । ସେହିପରି ରେଳପଥ ନିର୍ମାଣରେ ବାଧକ ସାଜିବା ଠିକ୍ ନୁହେଁ । କୌଣସି ରାଜନୀତି ପାଇଁ ରେଳପଥର ସମ୍ପ୍ରସାରଣ ଅଟକିବା କଥା ନୁହେଁ । ରେଳପଥ ସମ୍ପ୍ରସାରଣରେ ଯେଉଁମାନେ କ୍ଷତିଗ୍ରସ୍ତ, ସେମାନଙ୍କୁ କ୍ଷତିପୂରଣ ସହ ଥଇଥାନ କରାଯାଉ ବୋଲି ମଞ୍ଚ ତରଫରୁ କୁହାଯାଇଛି । ମାତ୍ର ଥଇଥାନ ଆଳରେ ଦେଶ ବିକାଶର ବାଧକକୁ ମଞ୍ଚ ସମର୍ଥନ କରିବ ନାହିଁ । ଅନ୍ୟ ପକ୍ଷରେ ରାଉରକେଲା ସ୍ମାର୍ଟ ସିଟିର ମାନ୍ୟତା ପାଇଲା ପରେ ତଥା ଏଠାରେ ଏନ୍ଆଇଟି ଓ ବିଶ୍ୱ ସ୍ତରୀୟ ହକି ପ୍ରତିଯୋଗିତା ପାଇଁ ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ ଥିବାରୁ ଗମନାଗମନର ସୁବିଧା ପାଇଁ ବିମାନ ଚଳାଚଳକୁ ତ୍ୱରାନ୍ୱିତ କରିବା ସହ ବିମାନ କ୍ଷେତ୍ରର ଉନ୍ନତିକରଣର ଆବଶ୍ୟକତା ରହିଛି । ତେଣୁ ଶ୍ରୀ ଓରାମ ଏଦିଗରେ ପ୍ରୟାସ କରିବାକୁ ମଞ୍ଚର ସଭାପତି ଇଂ ବିମଳ କୁମାର ବିଶି, ସାଧାରଣ ସମ୍ପାଦକ ପି. ପି. ରାୟ, ଜଗବନ୍ଧୁ ଜେନା, ଚିତ୍ତରଞ୍ଜନ ଦାସ, ରଘୁ ବଳ, ଶୈଳେନ୍ଦ୍ର ମହାନ୍ତି, ଜଗନ୍ନାଥ ରାଉତ, ରମେଶ ଚନ୍ଦ୍ର ସେଠୀ, ଉପେନ୍ଦ୍ର କୁମାର ନାୟକ, ଶଶଧର ପାତ୍ର, ଜଟାଧାରୀ ମାଝୀ, ମୀନତି ଦେବତା, ସସ୍ମିତା ପ୍ରଧାନ, କୁଞ୍ଜବିହାରୀ ରାଉତ ପ୍ରମୁଖ ଅନୁରୋଧ କରିଛନ୍ତିି ।

Leave A Reply

Your email address will not be published.