ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବି ନେଇ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ନବୀନ ନିବାସ ଗସ୍ତ : ହାଇକୋର୍ଟ ଯିବାକୁ ପରାମର୍ଶ ଦେଲେ ପାଣ୍ଡିଆନ

ଟିଟିଲାଗଡ, (ସଞ୍ଜୟ କୁମାର ନାୟକ) : ଦୀର୍ଘ ଏକତିରିଶ ବର୍ଷର ଦାବୀ ହେଉଛି ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ଦାବୀ । ଏହି ଦାବୀ ପୂରଣ ପାଇଁ ବର୍ଷ ବର୍ଷ ଧରି ଆନ୍ଦୋଳନ କରି ଆସୁଛନ୍ତି ଜିଲ୍ଲା ପ୍ରେମୀ । ପୁଣି ଥରେ ଅନିଶ୍ଚିତତା ଘେରକୁ ଠେଲି ହେଲା ଟିଟିଲାଗଡ ଜିଲ୍ଲା ଦାବୀ । ଆଜି ଟିଟିଲାଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ୧୫ ଜଣିଆ ଏକ ପ୍ରତିନିଧି ମଣ୍ଡଳୀ ଟିଟିଲାଗଡର ସ୍ଥାନୀୟ ବିଧାୟିକା ତଥା ମନ୍ତ୍ରୀ ଶ୍ରୀମତି ଟୁକୁନି ସାହୁଙ୍କ ସହ ଯାଇ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଟିଟିଲାଗଡକୁ ଜିଲ୍ଲା ମାନ୍ୟତା ପ୍ରଦାନ ପାଇଁ ଆଲୋଚନା କରିବାକୁ ଯାଇଥିଲେ । ତେବେ ମୁଖ୍ୟମନ୍ତ୍ରୀଙ୍କ ସ୍ଥାନରେ ୫ଞ ଅଧ୍ୟକ୍ଷ ଭି କେ ପାଣ୍ଡିଆନ ଆସିଥିଲେ ଭେଟିବାକୁ ଏବଂ ପ୍ରତିନିଧି ମଣ୍ଡଳୀଙ୍କଠାରୁ ଜିଲ୍ଲା ଦାବୀ ବିଷୟରେ ସମସ୍ତ ତର୍କ ଶୁଣିଥିଲେ ଏବଂ ଜିଲ୍ଲା ଦାବୀ ବର୍ତ୍ତମାନ ହାଇକୋର୍ଟରେ ବିଚାରଧୀନ ଥିବାରୁ ଟିଟିଲାଗଡ ମଧ୍ୟ ସେଥିରେ ପକ୍ଷଭୁକ୍ତ ହେବାକୁ ପରାମର୍ଶ ଦେଇଥିଲେ । ତେବେ ଦୀର୍ଘ ୩୧ ବର୍ଷର ଟିଟିଲାଗଡ ଜିଲ୍ଲା ଦାବୀ ପ୍ରତି ସରକାରଙ୍କ ନରମ ମନୋଭାବ ସହିତ କିଛି ଠୋସ ପ୍ରତିଶୃତି ନ ଦେବା ଏବଂ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ପ୍ରତିନିଧି ମଣ୍ଡଳୀଙ୍କୁ ନ ଭେଟିବା ସମସ୍ତ ଟିଟିଲାଗଡବାସୀଙ୍କୁ ମର୍ମାହତ କରିଛି । ଆଗାମୀ ଦିନରେ ଜିଲ୍ଲା ଦାବୀ ନେଇ କଣ ରହିବ ପଦକ୍ଷେପ ଦେଖିବାକୁ ବାକି ରହିଲା ବୋଲି ଆଲୋଚନା ହେଉଛି ।

ସହରରେ ଗୋଟିଏ ଚର୍ଚ୍ଚା ଟିଟିଲାଗଡ ଜିଲ୍ଲା ସ୍ୱପ୍ନରେ ରହିଗଲା କି ? ନୂତନ ଜିଲ୍ଲା ଏବେ ହାଇକୋର୍ଟରେ ବିଚାରାଧୀନ ଥିବା ଖବର ପ୍ରସାରଣ ହୋଇଥିଲା । ଏହାର ଅର୍ଥ ରାଜ୍ୟ ସରକାରଙ୍କ ହାତରେ ଆଉ କିଛି ନାହିଁ, ତାହେଲେ ଟିଟିଲାଗଡ଼ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସଦସ୍ୟମାନେ କେଉଁ ଆଧାରରେ ମୁଖ୍ୟମନ୍ତ୍ରୀଙ୍କ ବାସ ଭବନକୁ ମନ୍ତ୍ରୀଙ୍କ ସହ ଯାଇ ସାକ୍ଷାତ କରିବାକୁ ଯାଇଥିଲେ ? ଯିବାର ଅର୍ଥ କଣ ରହିଲା ? ଯେଉଁଠି କି ଖୋଦ ମୂଖ୍ୟମନ୍ତ୍ରୀଙ୍କୁ ବି ଭେଟି ପାରିଲେ ନାହିଁ, ଯାହା ଫାଇବ-ଟି ସଚିବ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିକୁ ପରାମର୍ଶ ଦେଲେ ସେ କଥା ମନ୍ତ୍ରୀଙ୍କ ଜରିଆରେ ବି କହି ପାରିଥାନ୍ତେ । ଯିବାର ଅର୍ଥ କଣ ବୋଲି ସାଧାରଣରେ ଆଲୋଚନା ହେଉଛି । କିଛି ବର୍ଷ ପୂର୍ବେ ଏହି ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଦାବିପତ୍ର ମଧ୍ୟ ପ୍ରଦାନ କରିଥିଲେ କିନ୍ତୁ ଆଜି ଯାଏଁ କିଛି ସୁଫଳ ମିଳି ନଥିଲା, ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ଏହା ଦ୍ଵିତୀୟ ଥର ନବିନ ନିବାସ ଗସ୍ତ, ଏଥର ବି ଫଳ ଶୂନ୍ୟ । ସ୍ଥାନୀୟ ଲୋକମାନେ ଏହାକୁ ସହଜରେ ଗ୍ରହଣ କରି ପାରୁନାହାଁନ୍ତି । ଟିଟିଲାଗଡ଼ ଜିଲ୍ଲା କେବେ ହେବ ଏବେ ବି ଅନିଶ୍ଚିତତା ଭିତରେ ବୋଲି ଆଲୋଚନା ହେଉଛି । ଏହି ଅବସରରେ ଟିଟିଲାଗଡ ଜିଲ୍ଲା କ୍ରିୟାନୁଷ୍ଠାନ କମିଟିର ସଭାପତି କୃଷ୍ଣ ଚନ୍ଦ୍ର ସାହୁ, ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବୀ ସଞ୍ଜୟ ବେହେରା, ବିଜେପି ନଗର ସଭାପତି ପ୍ରଶାନ୍ତ ଷଡ଼ଙ୍ଗୀ, ବିଜେଡି ନଗର ସଭାପତି ରଣଜିତ୍ ପୃଷ୍ଟି, ବିଜେଡି ନେତା ପ୍ରେମଚାନ୍ଦ ଜୈନ, ଜିଲ୍ଲା ପରିଷଦ ସଞ୍ଜୟ ବେହେରା, ଗୀତା ବିଶି, ରୀତା ରାଣୀ ହାତୀ, ବଣିକ ସଂଘ ସଦସ୍ୟ ଅଙ୍କୁର ଅଗ୍ରୱାଲ, କଂଗ୍ରେସ ନେତା ତୁଳସୀ ସାହୁ, କେପିଏସ୍‌ଏସ୍‌ ସମ୍ପାଦକ ଉପେନ୍ଦ୍ର ବାଗ, ବରିଷ୍ଠ ସାମ୍ବାଦିକ ଦିଲିପ ପୁରୋହିତ, ଆଇନଜୀବୀ ଶ୍ୟାମା ପ୍ରସାଦ ଗରିଆ ଏବଂ ଅନ୍ୟାନ୍ୟ ଜିଲ୍ଲା ପ୍ରେମୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.