୫-ଟି ଉପକ୍ରମରେ ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାରର ନବୀକରଣ କରାଯିବ

  • ୱାଇଫାଇ ସହିତ ଫୁଡ୍‌କୋଟ ସୁବିଧା ମିଳିବ
  • କ୍ୟାରିଅର କାଉନସେଲିଂ ଓ ମୋଟିଭେସନାଲ ଟକ୍‌ର ଆୟୋଜନ କରାଯିବ
  • ବାପୁଜୀ ନଗରରେ ଖୋଲିବ ଜନ ଲାଇବ୍ରେରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ମୁଖ୍ୟମନ୍ତ୍ରୀଙ୍କ ୫-ଟି ସଚିବ ଭି.କେ. ପାଣ୍ଡିଆନ ଗତକାଲି ଭୁବନେଶ୍ୱରର ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ପରିଦର୍ଶନରେ ଯାଇଥିଲେ । ସେଠାରେ ସେ ଛାତ୍ରଛାତ୍ରୀମାନଙ୍କ ସହିତ ସେମାନଙ୍କର ସୁବିଧା ଅସୁବିଧା ସଂପର୍କରେ ଆଲୋଚନା କରିଥିଲେ ।

ହରେକୃଷ୍ଣ ମହତାବ ରାଜ୍ୟ ପାଠାଗାର ରାଜ୍ୟର ଏକ ପ୍ରମୁଖ ପାଠାଗାର ଏବଂ ପ୍ରତିଦିନ ଏଠାକୁ ଶହ ଶହ ଛାତ୍ରଛାତ୍ରୀ ତଥା ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ଯୁବ ବର୍ଗ ଓ ସାଧାରଣ ଲୋକ ଅଧ୍ୟୟନ ପାଇଁ ଆସିଥାନ୍ତି । ଏହି ପାଠାଗାରଟି ପୂରୁଣା ହୋଇଯାଇଥିବାରୁ, ଏହାର ପୁନରୁଦ୍ଧାର କରାଯାଇ ଚୌକି, ଟେବୁଲ ଓ ଅନ୍ୟ ଆସବାବପତ୍ରର ନବୀକରଣ ସହ ଚଟାଣ ଓ ବିଭିନ୍ନ ସିଭିଲ ଷ୍ଟ୍ରକଚରର ମଧ୍ୟ ଉନ୍ନତି କରାଯିବ । ତା’ ସହିତ ପୁସ୍ତକ ଗୁଡିକ ଅତ୍ୟାଧୁନିକ ପଦ୍ଧତିରେ ସଂରକ୍ଷଣ ସହ ସଂପୂର୍ଣ୍ଣ ପାଠାଗାରକୁ ବାତାନୁକୂଳିତ କରାଯିବ । ପାଠାଗାର ପରିସରରେ ଥିବା ନୂତନ କୋଠାରେ ଆସବାବପତ୍ର ଓ ବାତାନୁକୂଳ ବ୍ୟବସ୍ଥା କରାଯାଇ ଅଧିକ ସଂଖ୍ୟକ ଛାତ୍ରଛାତ୍ରୀ ଓ ଜନସାଧାରଣ ଯେଭଳି ସୁବିଧାରେ ଅଧ୍ୟୟନ କରିପାରିବେ, ସେଥିପାଇଁ ପଦକ୍ଷେପ ନିଆଯିବ ।

ଲାଇବ୍ରେରୀ ପ୍ରାଙ୍ଗଣର ଲ୍ୟାଣ୍ଡ ସ୍କେପିଂ କରାଯିବ । ତା’ ସହିତ ଲାଇବ୍ରେରୀକୁ ଆସୁଥିବା ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କ ପାଇଁ ଫୁଡକୋର୍ଟ ଖୋଲାଯିବ ଓ ମିଶନ ଶକ୍ତି ପକ୍ଷରୁ କାଫେଟେରିଆ ମଧ୍ୟ କରାଯିବ । ଏତ୍‌ଦବ୍ୟତୀତ ଛାତ୍ରଛାତ୍ରୀମାନଙ୍କ ସୁବିଧା ପାଇଁ ଆହାର କେନ୍ଦ୍ର ମଧ୍ୟ ଖୋଲାଯିବ ।

ଲାଇବ୍ରେରୀକୁ ଆସୁଥିବା ଛାତ୍ରଛାତ୍ରୀମାନେ, ମୁଖ୍ୟତଃ ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବାରୁ ଲାଇବ୍ରେରୀରେ ପର୍ଯ୍ୟାପ୍ତ competitive magazine ରଖାଯିବ ଏବଂ ସଂପୂର୍ଣ୍ଣ ଲାଇବ୍ରେରୀକୁ IT Enabled Smart Management ଦ୍ୱାରା ପରିଚାଳିତ କରାଯିବ । ଏତ୍‌ଦବ୍ୟତୀତ Career Counseling ପାଇଁ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ବ୍ୟକ୍ତିତ୍ୱମାନଙ୍କ ଦ୍ୱାରା Motivational Talkର ଆୟୋଜନ ମଧ୍ୟ ନିୟମିତ ଭାବରେ କରାଯିବ । ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ନିମନ୍ତେ ପ୍ରସ୍ତୁତ ହେଉଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏହା ବିଶେଷ ସହାୟକ ହେବ ।

ହରେକୃଷ୍ଣ ମହତାବ ରାଜ୍ୟ ଲାଇବ୍ରେରୀରେ ୱାଇଫାଇ ବ୍ୟବସ୍ଥା ଉପଲବ୍‌ଧ କରାଯିବ । ରାଜ୍ୟ ପାଠାଗାରରେ ଭିଡ କମାଇବା ପାଇଁ ବାପୁଜୀ ନଗରରେ ଜନ ଲାଇବ୍ରେରୀ ଖୋଲାଯିବ । ସେଠାରେ ଅତ୍ୟାଧୁନିକ ସୁବିଧା ସୁଯୋଗର ବିକାଶ କରାଯିବ । ସେଠାରେ ମଧ୍ୟ ଫୁଡକୋର୍ଟର ବ୍ୟବସ୍ଥା ରଖାଯିବ । ଏହି କାର୍ଯ୍ୟକ୍ରମଟି ୫-ଟି ଉପକ୍ରମରେ Odisha Mining Corporation ଦ୍ୱାରା କାର୍ଯ୍ୟକାରୀ କରାଯିବ ।

୫-ଟି ସଚିବଙ୍କ ଗସ୍ତ ସମୟରେ OMCର ପରିଚାଳନା ନିର୍ଦ୍ଦେଶକ, Culture Departmentର ନିର୍ଦ୍ଦେଶକ ଓ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

error: Content is protected !!