ନାବାଳିକାକୁ ଉଦ୍ଧାର କଲା ଟିଟିଲାଗଡ ରେଳ ସୁରକ୍ଷା ବଳ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ରେଳଷ୍ଟେସନରେ ପ୍ରାୟ ୧୫-୧୬ ବର୍ଷର ଏକ ନାବାଳିକା ଉପରେ ସନ୍ଦେହ କରି ରେଳ ସୁରକ୍ଷା ବଳ ଅଧିକାରୀମାନେ ପଚରାଉଚୁରା କରିଥିଲେ । କିନ୍ତୁ ନାବାଳିକା ନିଜ ପରିଚୟ ଦେଇ ପାରି ନଥିଲା । ନାବାଳିକା ପାଖରୁ ମିଳିଥିବା ସୂଚନା ଅନୁଯାୟୀ ସେ ବାଲ୍ୟକାଳରୁ ସମ୍ବଲପୁରର ଏକ ପରିବାରରେ ରହି ଆସୁଥିବା ବେଳେ ନିଜ ବାପା ମା କିଏ ସେ ଜାଣି ନଥିବା ପ୍ରକାଶ କରିଛି । କିନ୍ତୁ ଏପରି ସ୍ଥଳେ ସେହି ପରିବାର ନାବାଳିକାକୁ ଘରର ସମସ୍ତ ପ୍ରକାର କାର୍ୟ୍ୟ କରାଇବା ସହ ମାଡ଼ ମାରି ନିର୍ୟାତନା ମଧ୍ୟ ଦେଉଥିବା ଅଭିଯୋଗ କରିଛି ନାବାଳିକା । ନାବାଳିକା ସୁଯୋଗ ପାଇ ସମ୍ବଲପୁର ରେଳ ଷ୍ଟେସନରୁ ଟ୍ରେନରେ ବସି ଆସି ଟିଟିଲାଗଡ ରେଳ ଷ୍ଟେସନରେ ଓହ୍ଲାଇଥିଲା । ରେଳ ସୁରକ୍ଷା ବଳ ଅଧିକାରୀ ଉକ୍ତ ନାବାଳିକାକୁ ଟିଟିଲାଗଡ ଚାଇଲ୍ଡ ଲାଇନ ସଦସ୍ୟ ଶିବାନନ୍ଦ ବେହେରାଙ୍କୁ ହସ୍ତାନ୍ତର କରିଥିଲେ । ଶ୍ରୀ ବେହେରା ନାବାଳିକାକୁ ଶିଶୁ ମଙ୍ଗଳ ସମିତି ପାଖରେ ଉପସ୍ଥିତ କରିଥିଲେ । ବର୍ତ୍ତମାନ ନାବାଳିକାକୁ ବଲାଙ୍ଗୀର ଜିଲ୍ଲା ଦେଓଗାଁ ସ୍ଥିତ ଜନ ମଙ୍ଗଳ ପାଠାଗାରରେ ଅସ୍ଥାୟୀ ଭାବେ ଆଶ୍ରୟ ଦିଆଯାଇଛି । କିଛି ଦିନ ମଧ୍ୟରେ ଶିଶୁ ମଙ୍ଗଳ ସମିତି ନାବାଳିକାକୁ ଉପଯୁକ୍ତ ସ୍ଥାନରେ ପହଞ୍ଚାଇବ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି ।

Leave A Reply

Your email address will not be published.