ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସାହିତ୍ୟ ସଂସଦ ଆନୁକୂଲ୍ୟରେ ପବିତ୍ର ଓଡ଼ିଆ ନବବର୍ଷ ପାଳିତ ହୋଇଯାଇଛି । ସ୍ଥାନୀୟ ପଣ୍ଡିତ ନୀଳକଣ୍ଠ ଉତ୍କଳ ଏକାଡେମୀ ମହାବିଦ୍ୟାଳୟର ସମ୍ମିଳନୀ ଗୃହରେ ଅନୁଷ୍ଠିତ ଏହି ଓଡ଼ିଆ ନବବର୍ଷ ତଥା ପବିତ୍ର ମହାବିଷୁବ ସଂକ୍ରାନ୍ତି, ପଣା ସଂକ୍ରାନ୍ତି, ଜଳ ସଂକ୍ରାନ୍ତିର ମହତ୍ତ୍ୱ ଉପରେ ବକ୍ତାମାନେ ପ୍ରତିପାଦନ କରିଥିଲେ । ପବିତ୍ର ଓଡ଼ିଆ ନବବର୍ଷର ଅଭିନନ୍ଦନ ଜଣାଇ ସଂସଦର ସଭାପତି ବ୍ରଜମୋହନ ଆଚାର୍ଯ୍ୟ ନିଜର ସ୍ୱରଚିତ କବିତା ଆବୃତ୍ତି କରିଥିଲେ ଏବଂ ଏହି ଦିବସର ମହନୀୟତା ଉପରେ ଆଲୋକପାତ କରିଥିଲେ । ବରେଣ୍ୟ କବି ପ୍ରଶାନ୍ତ ଶତପଥୀ ନିଜର ସ୍ୱରଚିତ କବିତା ଆବୃତ୍ତି କରି ଏହି ଦିବସର ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ । ଡ଼. ଅଜୟ କୁମାର ତ୍ରିପାଠୀ, ଡ଼. ରାଜେନ୍ଦ୍ର ପ୍ରସାଦ ଦାସ, ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ପ୍ରମୁଖ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ଏହି ଦିବସର ମହତ୍ତ୍ୱ ପ୍ରତିପାଦନ କରିଥିଲେ । ସଂସଦର ସମ୍ପାଦକ ଶିକ୍ଷକ ଦିଲୀପ କୁମାର ପଲେଇ ପ୍ରାରମ୍ଭିକ ସୂଚନା ଦେଇଥିବା ବେଳେ ସଂସଦର ଉପସଭାପତି ସାମ୍ବାଦିକ କେ.ସତ୍ୟନାରାୟଣ ରେଡ୍ଡୀ ଧନ୍ୟବାଦ ଜଣାଇଥିଲେ । ଏହି ଅବସରରେ ଅନୁଷ୍ଠାନ ପକ୍ଷରୁ ପଣା ବିତରଣ କରାଯାଇଥିଲା । ସମସ୍ତେ ସ୍ୱାଦିଷ୍ଟ ପଣାରେ ଆପ୍ୟାୟିତ ହୋଇ ଓଡ଼ିଆ ନବବର୍ଷରେ ବେଶ୍ ଖୁସି ମନାଇଥିଲେ ।