
ରାଉରକେଲା, (ସସ୍ମିତା ପ୍ରଧାନ) : ଲାଠିକଟା ବ୍ଲକ ରାମଯୋଡି ପଞ୍ଚାୟତ ଅନ୍ତର୍ଗତ ବଣପାହାଡ଼ ଘେରା ଜାଙ୍ଗିଦିରି ଗ୍ରାମରେ ଆଜି ଚୈତ୍ରଶୁକ୍ଲ ପ୍ରତିପଦା ଅବସରରେ ହିନ୍ଦୁ ନବବର୍ଷ କାର୍ଯ୍ୟକ୍ରମ ଧୁମ୍ଧାମ୍ରେ ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ପ୍ରଭୁ ଶ୍ରୀରାମଙ୍କ ଫଟୋ ଚିତ୍ରରେ ଧୂପଦୀପ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପୂଜାର୍ଚନା ପରେ ଉପସ୍ଥିତ ଶ୍ରଦ୍ଧାଳୁମାନେ ପ୍ରଭୁଙ୍କ ନାମ କୀର୍ତ୍ତନ କରିଥିଲେ । ତା’ପରେ ଏକ ଧର୍ମସଭା ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ବିଶ୍ୱହିନ୍ଦୁ ପରିଷଦର ବରିଷ୍ଠ ପଦାଧିକାରୀ ଶାନ୍ତନୁ କୁସୁମ ଯୋଗଦେଇ ଭାରତୀୟ ସଂସ୍କୃତିର ପ୍ରାଚୀନତା ଓ ମହନୀୟତା ସମ୍ୱନ୍ଧରେ ବିସ୍ତୃତ ଭାବରେ ଆଲୋଚନା କରିଥିବା ବେଳେ ଦୀର୍ଘ ବର୍ଷର ପରାଧୀନତା ଫଳରେ ଆମର ମହାନ ସଂସ୍କୃତିକୁ ଆମେ କିପରି ଭୁଲିଯାଇ ପାଶ୍ଚାତ୍ୟ ସଭ୍ୟତାର ପାଦତଳେ ଚାପି ହୋଇଯାଇଛେ ସେ ସମ୍ୱନ୍ଧରେ ପୁଙ୍ଖାନୁପୁଙ୍ଖ ଭାବରେ ଆଲୋଚନା କରିଥିଲେ । ତା’ସହିତ ଜାନୁଆରୀ ୧କୁ ଭାରତରେ ନବବର୍ଷ ଭାବରେ ପ୍ରଚଳିତ କରିବା ହିନ୍ଦୁ ସଂସ୍କୃତି ବିରୁଦ୍ଧରେ ଇଂରେଜ ମାନଙ୍କ ଏକ ବଡ଼ ଷଡଯନ୍ତ୍ର ଥିଲା ବୋଲି ସେ କହିଥିବା ବେଳେ ସୃଷ୍ଟିର ସର୍ଜନା ଓ କାଳ ଗଣନାର ପ୍ରାରମ୍ଭ ଦିନ ଚୈତ୍ରଶୁକ୍ଲ ପ୍ରତିପଦା ତିଥିରେ ହିଁ ନୂଆବର୍ଷ ପାଳନ କରିବାକୁ ଉପସ୍ଥିତ ଶ୍ରଦ୍ଧାଳୁମାନଙ୍କୁ ଶ୍ରୀ କୁସୁମ ଆହ୍ୱାନ କରିଥିଲେ । ସବାଶେଷରେ ସମସ୍ତେ ଅନ୍ନ ପ୍ରସାଦର ଆନନ୍ଦ ନେଇଥିଲେ । ସୁନିତା ଲାକ୍ରାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଦଶମି ଟପ୍ପୋ, ଭାଦୋ କୁଜୁର, ସମେ କୁଜୁର, ବୁଧୁଆ ଟପ୍ପୋ, ବିଜୟ ଟପ୍ପୋ, ପ୍ରତାପ ଲାକ୍ରା, ଯୋଶେପ ବାରଜୋ, ଚାମୁ କୁଜୁର, ମଞ୍ଜୁ କୁଜୁର, ସୁସ୍ମିତା କୁଜୁର, ଅନିତା ମିଞ୍ଜ ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ।