ଜିଲ୍ଲା ନ୍ୟାୟାଳୟ ପରିସରର ନବ ନିର୍ମିତ କୋଠାକୁ ଉଦଘାଟନ କଲେ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏସ୍.ମୁରଳୀଧର

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ନ୍ୟାୟାଳୟ ପରିସରର ନବ ନିର୍ମିତ କୋଠା ଗତକାଲି ଓଡିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଏସ୍.ମୁରଳୀଧର୍‌ଙ୍କ ଦ୍ୱାରା ଲୋକାର୍ପିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ଓକିଲ ସଂଘ ଦ୍ୱାରା ଆୟୋଜିତ ହୋଇ ଏହି ଭବ୍ୟ ଉଦଘାଟନୀ ସମାରୋହରେ ମୁଖ୍ୟ ବିଚାରପତିଙ୍କ ସହ ଉଚ୍ଚ ନ୍ୟାୟାଳୟର ନ୍ୟାୟମୂର୍ତ୍ତି ଚିତ୍ତରଂଜନ ଦାଶ, ଶତୃଘ୍ନ ପୂଜାରୀ ଓ ସାବିତ୍ରୀ ରାଥୋ ପ୍ରମୁଖ ଜିଲ୍ଲା ନ୍ୟାୟିକ କଂପ୍ଲେକ୍ସ୍‌ର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ଆୟୋଜିତ ସଭାରେ ନ୍ୟାୟିକ ବ୍ୟବସ୍ଥାକୁ ଅଧିକ ତ୍ୱରାନ୍ୱିତ ଓ ଲୋକଙ୍କୁ ଆଇନ ସେବା ଯୋଗାଇବାରେ ଏହି ନ୍ୟାୟାଳୟ ପରିସର ସହାୟକ ହେବ ବୋଲି ମୁଖ୍ୟ ବିଚାରପତି କହିଛନ୍ତି । ବିଶେଷ କରି ସାଧାରଣ ଲୋକଙ୍କୁ ଦ୍ୱାରଦେଶରେ ନ୍ୟାୟ ପ୍ରଦାନ ଆଜିର ଦିନରେ ଏକ ବଡ ସଂକଳ୍ପ ବୋଲି କହିଥିବା ବେଳେ ଆଇନଗତ ସହାୟତା ପାଇଁ ସେ ଆହ୍ୱାନ ଦେଇଛନ୍ତି । ନ୍ୟାୟ, ସ୍ୱତନ୍ତ୍ରତା, ସମାନତା ଓ ଭାତୃତ୍ୱ ମାଧ୍ୟମରେ ଜାତୀୟତାର ସୁରକ୍ଷା ନାଗରିକଙ୍କ ପରମ କର୍ତ୍ତବ୍ୟ ହେବା ଉଚିତ ବୋଲି ମୁଖ୍ୟ ବିଚାରପତି କହିଥିଲେ । ଏହି ନ୍ୟାୟିକ ପରିସରରେ ଏକକାଳୀନ ଜିଲ୍ଲାସ୍ତରୀୟ ସମସ୍ତ ଆଇନ ବିଭାଗର ବିଚାର କାର୍ଯ୍ୟ ସମ୍ପାଦିତ ହୋଇପାରିବାର ଉତ୍ତମ ବ୍ୟବସ୍ଥା ରହିଛି ।

Leave A Reply

Your email address will not be published.