- ଜିଲ୍ଲାର ସମସ୍ତ ଅନୁଷ୍ଠାନରେ ପ୍ରତ୍ୟେକ ଶନିବାର ପାଳନ ହେବ ସ୍ୱଚ୍ଛତା ଦିବସ
ବଲାଙ୍ଗିର, (କେପିଏନ୍ଏସ୍) : ଜିଲ୍ଲାର ସମସ୍ତ ସରକାରୀ ତଥା ବେସରକାରୀ ଅନୁଷ୍ଠାନରେ ଏଣିକି ପ୍ରତ୍ୟେକ ଶନିବାର ପାଳନ ହେବ ସ୍ଵଚ୍ଛତା ଦିବସ । ସମସ୍ତ ଅନୁଷ୍ଠାନରେ ହେବ ସଫେଇ । ଏହା ସମସ୍ତ ବିଭାଗର ଅଧିକାରୀମାନେ ତଦାରଖ କରିବେ । ଏହି କାର୍ଯ୍ୟକ୍ରମରେ ଭଲ ପ୍ରଦର୍ଶନ କରୁଥିବା ଅନୁଷ୍ଠାନକୁ ପୁରସ୍କୃତ ମଧ୍ୟ କରାଯିବ । ଆଜି ପୂର୍ବାହ୍ନରେ ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ବିଶ୍ଵ ମ୍ୟାଲେରିଆ ମାସ ତଥା ମ୍ୟାଲେରିଆ ନିରାକରଣ ୨୦୨୩ ପାଇଁ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ ଚଞ୍ଚଲ ରାଣା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ମ୍ୟାଲେରିଆ ଓ ଡେଙ୍ଗୁ ନିରାକରଣରେ ଚିହ୍ନଟଙ୍କ ଯଥାଶୀଘ୍ର ଆରୋଗ୍ୟ ପାଇଁ ପଦକ୍ଷେପ ନେବାକୁ ଗୁରୁତ୍ଵାରୋପ କରିଥିଲେ । ଅତ୍ୟଧିକ ରୋଗୀ ଚିହ୍ନଟ ସ୍ଥାନଗୁଡିକୁ ସ୍ଵତନ୍ତ୍ର ଭାବେ ଧ୍ୟାନ ଦେବାକୁ ଆଦେଶ ଦେଇଥିଲେ । ଦୀର୍ଘ ସ୍ଥାୟୀ କୀଟନାଶକ ମଶାରୀ, ଧୂଆଁ ପ୍ରୟୋଗ କରୁଥିବା ମେସିନ ଉପଯୋଗ କରିବା ସହ ମ୍ୟୁନିସିପାଲିଟି ସଫେଇ କାର୍ଯ୍ୟ ତ୍ଵରାନିତ୍ଵ କରିବାକୁ କହିଥିଲେ । ଖାଲ ଜାଗାରେ ପାଣି ଜମୁଥିବା ସ୍ଥାନ ଗୁଡିକରେ ବାଲି ପକାଇ ସମତଳ କରିବା, ଆବର୍ଜନାକୁ ଜନ ବସ୍ତିଠାରୁ ତୁରନ୍ତ ଦୂରରେ ପକାଇବା ଭଳି ପଦକ୍ଷେପ ଗ୍ରହଣ କରିବାକୁ କହିଥିଲେ । ମୁଣ୍ଡ ବ୍ୟଥା ତଥା ଜ୍ଵର ହେଲେ ବି ଡେଙ୍ଗୁ ମ୍ୟାଲେରିଆ ପାଇଁ ଟେଷ୍ଟିଙ୍ଗ ପରିମାଣ ବଢେଇବା ଉପରେ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଥିଲେ । ୨୦୨୦ରୁ କୌଣସି ଜୀବନ ମ୍ୟାଲେରିଆ ଯାଇନଥିବାରୁ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ କାର୍ଯ୍ୟକୁ ପ୍ରଶଂସିତ କରିଥିଲେ ।
ଏହି ଦିବସ ପାଳନ ଉପଲକ୍ଷେ ଅନୁଷ୍ଠିତ ସଚେତନତା ସଭାରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ା ପ୍ରଦୀପ କୁମାର ଗୁରୁ ସଭା ଆରମ୍ଭ ଭାଷଣ ପ୍ରଦାନ କରି ମ୍ୟାଲେରିଆ ଭଳି ରୋଗକୁ କେମିତି ଅତିଶୀଘ୍ର ଚିହ୍ନଟ କରିବା ଏବଂ ଏହାର ପ୍ରତିକାର ନିମନ୍ତେ ଅଭିନବ ପନ୍ଥା ଗ୍ରହଣ କରି ଏହାର ନିରାକରଣ ସମ୍ପର୍କରେ ଆଲୋଚନା କରିଥିଲେ । ତୃଣମୂଳ ସ୍ତରରେ ଜନ ସଚେତନତା ସୃଷ୍ଟି କରି ଏହାର ନିରାକରଣ ଉପରେ ସେ ଗୁରୁତ୍ଵାରୋପ କରିଥିଲେ । ଦୀର୍ଘ ସ୍ଥାୟୀ କୀଟନାଶକ ମଶାରୀ ବଣ୍ଟନ ଓ ଏହାର ଉପଯୁକ୍ତ ବ୍ୟବହାର ଦ୍ଵାରା ମ୍ୟାଲେରିଆ ରୋଗକୁ ହ୍ରାସ କରାଯାଇ ପାରିଛି ବୋଲି ସେ ପ୍ରକାଶ କରିଥିଲେ । ସଭାରେ ଅତିରିକ୍ତ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ.କୁବେର ଚନ୍ଦ୍ର ମହନ୍ତ ଏହି ଦିବସ ପାଳନର ତାତ୍ପର୍ଯ୍ୟ ସମ୍ପର୍କରେ ସୂଚନା ଦେବା ସହ ମ୍ୟାଲେରିଆ ନିରାକରଣ ଦିଗରେ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ । ପାୱାର ପଏଣ୍ଟରେ ବିଗତ ବର୍ଷରେ କିପରି ରୋଗ ନିରାକରଣ ବଢିବା ସହ ରୋଗୀଙ୍କ ସଂଖ୍ୟା କମିଛି ବୋଲି ରିପୋର୍ଟରେ ଦର୍ଶାଇଥିଲେ । ଅତିରିକ୍ତ ଜିଲ୍ଲାପାଳ, ପିଡି ଡିଆର୍ଡିଏ, ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପରୋକ୍ତ ସଭାରେ ଉପସ୍ଥିତ ଥିଲେ । ସଭାରେ ଜନସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ, ଆଶା କର୍ମୀ ଓ ସ୍ୱାସ୍ଥ୍ୟ କର୍ମୀମାନେ ମଧ୍ୟ ଉପସ୍ଥିତ ଥିଲେ ।