
କେନ୍ଦୁଝର : ରାତିରେ ଘରେ ଶୋଇଥିବା ବେଳେ କାମୁଡିଲା ରଣା ସାପ । ଚାଲିଗଲା ଯୁବକଙ୍କ ଜୀବନ । କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅନ୍ତର୍ଗତ ସାଳଦେଇ ପଞ୍ଚାୟତର ବେଲଦା ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ଯୁବକ ଜଣକ ପାଗଳ ଦେହୁରୀଙ୍କ ୨୨ ବର୍ଷୀୟ ପୁଅ ସିପୁ ଦେହୁରୀ ବୋଲି ଜଣାପଡ଼ିଛି । ସୂଚନା ମୁତାବକ, ପାଗଳ ଦେହୁରୀଙ୍କ ପରିବାର ବୁଧବାର ରାତିରେ ଘରେ ଶୋଇଥିଲେ । ସମସ୍ତେ ଶୋଇଥିବା ବେଳେ ଘରର କବାଟ ଝରକା ନଥିବାରୁ ଏକ ରଣା ସାପ ଘର ବିତରକୁ ପଶି ଆସି ପୁଅ ସିପୁ ଦେହୁରୀକୁ କାମୁଡି ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ସାଇଁକୂଳ ଗୋଷ୍ଠୀ ସ୍ୱାସ୍ଥକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ସ୍ୱାସ୍ଥ୍ୟାବସ୍ଥାରେ କୌଣସି ସୁଧାର ନହେବାରୁ ତାଙ୍କୁ ଆନନ୍ଦପୁର ମେଡିକାଲକୁ ପଠାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି ।