ମ୍ୟୁଜିକ୍ ସର୍କଲର ୪୯ତମ ବସନ୍ତୋତ୍ସବ ଆସନ୍ତା ମାର୍ଚ୍ଚ ୨୦ରୁ

ରାଉରକେଲା, (ସସ୍ମିତା ପ୍ରଧାନ) : :ରାଉରକେଲାର ଅନ୍ୟତମ ସାଂସ୍କୃତିକ ଅନୁଷ୍ଠାନ ‘ମ୍ୟୁଜିକ୍ ସର୍କଲ’ ଆନୁକୂଲ୍ୟରେ ତିନିଦିନ ବ୍ୟାପୀ ବାର୍ଷିକ ସାଂସ୍କୃତିକ କାର୍ଯ୍ୟକ୍ରମ – ବସନ୍ତ ଉତ୍ସବ – ୨୦୨୬ ଆସନ୍ତା ୨୦, ୨୧ ଏବଂ ୨୨ ତାରିଖରେ ଅନୁଷ୍ଠାନର ନିଜସ୍ଵ ମେହେର ମଣ୍ଡପ ଠାରେ ମହାସମାରୋହରେ ଅନୁଷ୍ଠିତ ହେବାକୁ ଯାଉଛି । ଏହି ଉପଲକ୍ଷେ ଅନୁଷ୍ଠାନର ପ୍ରମୁଖ ଉପଦେଷ୍ଟା ପ୍ରଫେସର ଡ. ସମର ମୁଦାଲିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କର୍ମକର୍ତ୍ତାମାନେ ବିସ୍ତୃତ ସୂଚନା ପ୍ରଦାନ କରି କହିଲେ ଯେ, ପ୍ରତ୍ୟେକ ଦିନ ଏହା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ । ସକାଳ ୯.୦୦ ଘଟିକାରୁ ଆରମ୍ଭ ହୋଇ ଦିବସ ବ୍ୟାପୀ ଛାତ୍ରଛାତ୍ରୀଙ୍କ ମଧ୍ୟରେ କନିଷ୍ଠ ଓ ବରିଷ୍ଠ ବର୍ଗରେ ସଙ୍ଗୀତ, ବାଦ୍ୟ ଏବଂ ନୃତ୍ୟ ପ୍ରଭୃତି ପ୍ରତିଯୋଗିତା ଅନୁଷ୍ଠିତ ହେବ । ଦ୍ୱିତୀୟ ପର୍ଯ୍ୟାୟ ସଂଧ୍ୟା ୬.୩୦ରୁ ସଭା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ, ଯେଉଁଥିରେ ପ୍ରଥମ ପର୍ଯ୍ୟାୟରେ ଅନୁଷ୍ଠିତ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ଆର୍ଥିକ ପ୍ରୋତ୍ସାହନ ସହ ଫଳକ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯିବ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ଜଲ୍ଲା ତଥା ଓଡ଼ିଶା ବାହାରର କଳାକାରମାନେ ଯୋଗଦାନ କରିବେ । ଉଦ୍‌ଯାପନୀ ସଂଧ୍ୟାରେ ମ୍ୟୁଜିକ୍ ସର୍କଲର କଳାକାର ମାନଙ୍କ ଦ୍ୱାରା ‘ଏଇ ଆମ ଟିକି ଗାଆଁ ‘ ଏବଂ କଲିକତାର ପୁଷ୍ପିତା ମୁଖାର୍ଜୀଙ୍କ ନେତୃତ୍ୱରେ କଳାକାରମାନେ ବସନ୍ତ ରାଗରେ ରବୀନ୍ଦ୍ର ସଙ୍ଗୀତରେ ନୃତ୍ୟ ପରିବେଷଣ କରିବେ । ଏହି ଅବସରରେ, ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା କଳାକାର ମାନଙ୍କୁ ବସନ୍ତ ସମ୍ମାନ, ମୁକ୍ତିକାନ୍ତ ନାଟ୍ୟ ସମ୍ମାନ, ସଙ୍ଗୀତ ରତ୍ନ ସମ୍ମାନ, ପ୍ରଭାତ ନଳିନୀ ସାହିତ୍ୟ ସମ୍ମାନ ଏବଂ ଡାକ୍ତର ପ୍ରଭାତ କୁମାର ଚାନ୍ଦ ସ୍ମୃତି ସମ୍ମାନ ଯଥାକ୍ରମେ ଲକ୍ଷ୍ମୀକାନ୍ତ ପାଲିତ, ଶଙ୍କର ପ୍ରସାଦ ତ୍ରିପାଠୀ, ନମ୍ରତା ବର୍ମା, ଡ. ଆଲୋକ ବରାଳ ଏବଂ ଡ. ପ୍ରିୟଙ୍କା ଦାସଙ୍କୁ ପ୍ରଦାନ କରାଯିବ ବୋଲି ସୂଚନା ଦିଆଯାଇଛି । ଏହି ସାମ୍ବାଦିକ ସମ୍ମିଳନୀରେ ଡ. ମୁଦାଲୀଙ୍କ ସହ ଅନ୍ୟତମ ଉପଦେଷ୍ଟା ଲକ୍ଷ୍ମଣ ନାଥ ଦାସ, ସହ ସାଧାରଣ ସମ୍ପାଦକ ବିବେକାନନ୍ଦ ପଣ୍ଡା, ସାଂସ୍କୃତିକ ସମ୍ପାଦିକା ସ୍ନେହଲତା ନାୟକ କାର୍ଯ୍ୟକାରୀ କମିଟି ସଦସ୍ୟା ସନ୍ଧ୍ୟା ଲାକ୍ରା ପ୍ରମୁଖ ସୂଚନା ପ୍ରଦାନ ସହ ସାମ୍ବାଦିକ ମାନଙ୍କର ବିଭିନ୍ନ ପ୍ରଶ୍ନର ଉତ୍ତର ପ୍ରଦାନ କରିଥିଲେ । ସହ ସମ୍ପାଦକ ସନ୍ତୋଷ କୁମାର ମଲ୍ଲିକ, କୋଷାଧ୍ୟକ୍ଷ ନିଖିଳେଶ୍ୱର ଦାଶ, ଉମାକାନ୍ତ ମଲ୍ଲିକ ପ୍ରଭୃତି କାର୍ଯ୍ୟକ୍ରମରେ ସହାୟତା କରିଥିବାବେଳେ ଶେଷରେ ଲକ୍ଷ୍ମଣ ନାଥ ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.