ଲୋଇସିଂହା, (ଶ୍ୟାମସୁନ୍ଦର ମେହେର) : ଲୋଇସିଂହା ଫରେଷ୍ଟ ରେଞ୍ଜ ଅଧୀନସ୍ଥ ପଣ୍ଡକିଟାଲ ସ୍ଥିତ କେନ୍ଦୁପତ୍ର ଫଡି ଘର ମୁନସୀ ଜୟନ୍ତ ପଧାନଙ୍କୁ ସର୍ବାଧିକ କେନ୍ଦୁପତ୍ର ସଂଗ୍ରହ କରିଥିବା ନେଇ ସମ୍ମାନିତ କରାଯାଇଛି । ଜଙ୍ଗଲ ସୁରକ୍ଷା ଓ କେନ୍ଦୁପତ୍ର ବୃଦ୍ଧି ପାଇଁ ଆୟୋଜିତ ଏକ ସଚେତନତା କାର୍ଯ୍ୟକ୍ରମରେ ଲୋଇସିଂହା ଫରେଷ୍ଟ ରେଞ୍ଜର ପାଉଲ ହରପାଲ ମୁଖ୍ୟ ଅତିଥି ଓ ଲୋଇସିଂହା କେନ୍ଦୁଲିଫ ଫରେଷ୍ଟର ଶୁଭଶ୍ରୀ ସିଂହ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶ୍ରୀ ପ୍ରଧାନଙ୍କୁ ସମ୍ମାନିତ କରିଥିଲେ । ଏହି ଅବସରରେ ପ୍ରଥମେ କେନ୍ଦୁପତ୍ର ବୃଦ୍ଧି ଦିଗରେ ଆଲୋଚନା ହୋଇଥିଲା । ପ୍ରାୟତଃ ଭଲପତ୍ର ଅଧିକ ମାତ୍ରାରେ ପାଇବା ପାଇଁ କେନ୍ଦୁପତ୍ର ତୋଳାଳୀ ଓ ଗଛ କଟାଳୀ ଗଛ କାଟିବା ସହିତ ନିଆଁରେ ପୋଡ଼ି ଦେଇଥାନ୍ତି । କିନ୍ତୁ ଅନେକ ସମୟରେ ଉକ୍ତ ନିଆଁ ଶୁଖିଲା ପତ୍ର ପୋଡିବା ସହିତ ଜଙ୍ଗଲକୁ ନଷ୍ଟ କରିଥାଏ । ତେଣୁ ସେ ଦିଗରେ ସାବଧାନତା ଅବଲମ୍ବନ କରିବାକୁ ରେଞ୍ଜର ଶ୍ରୀ ହରପାଲ କହିଥିଲେ । ସେହିପରି ଆହୁରି ବିଭିନ୍ନ ଅସାବଧାନତା ଯୋଗୁଁ ଜଙ୍ଗଲରେ ନିଆଁ ଲାଗି ଜୀବନ୍ତ ବୃକ୍ଷଲତା ସହିତ ଜୀବଜନ୍ତୁ ମଧ୍ୟ ପୋଡ଼ି ମୃତ୍ୟୁ ମୁଖରେ ପଡିଥାନ୍ତି । ତେଣୁ କୌଣସି ଜାଗାରେ ନିଆଁ ଲାଗି ଥିବା ଦେଖି ଚୁପ୍ ରହିବା ପୂର୍ବରୁ ଆୟତ୍ତ କରିବା ପାଇଁ ଅଧିକ ଧ୍ୟାନ ଦେବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଲୋଇସିଂହା ଫରେଷ୍ଟ ରେଞ୍ଜ ଅଧୀନସ୍ଥ ଆଡେନଡୁଙ୍ଗୁରୀ ସେକ୍ସନ ଅନ୍ତର୍ଗତ ଆଡେନଡୁଙ୍ଗୁରୀ, ଝରଣୀପାଲି, କେନ୍ଦୁମୁଣ୍ଡି, ସାହାଜ ଛାପର, କୁଦୋପାଲି, ପଣ୍ଡକିଟାଲ, ପରଧୁଆପାଲି, କର୍କଚିଆ, କନ୍ଦାଯୁରୀ ଓ ଚୁଙ୍ଗିଦାଦର୍ ଫଡି ଘରର ମୁନସୀ, ଚପରାସୀ ଓ ଚେକର ଯୋଗ ଦେଇଥିଲେ । ଏହି ଅବସରରେ ଗତ ୨୦୨୩-୨୪ ବର୍ଷ ପାଇଁ ଅଧିକ କେନ୍ଦୁପତ୍ର ସଂଗ୍ରହ କରିଥିବା ପଣ୍ଡକିଟାଲ୍ ଫଡ଼ିର ମୁନସୀ ଜୟନ୍ତ ପଧାନ, ଚପରାସୀ ସନ୍ତୋଷ ଗଡତ୍ୟା ଓ ଝରଣୀପାଲି ଫଡ଼ି ମୁନସୀ ମଣ୍ଟୁ ବାରିକଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ପଣ୍ଡକିଟାଲ୍ ଫଡ଼ି ମୁନସୀ ଜୟନ୍ତ ପଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ ।