ରାଜରାସ୍ତା ଉପରେ ଅଳିଆ ଆବର୍ଜ୍ଜନା : ପୌରପରିଷଦର ନଜର ନାହିଁ

ଟିଟିଲାଗଡ଼, (ଗୌରବ ଦର୍ଜୀ) : ଟିଟିଲାଗଡ ମଧ୍ୟ ଦେଇ ଲମ୍ବି ଯାଇଛି ରାୟପୁରରୁ ଗୋପାଳପୁର ଯାଇଥିବା ଏନ୍‌ଏଚ୍‌ ୫୯ ଜାତୀୟ ରାଜପଥ । ଏହି ରାଜପଥର ଉଭୟ ପାର୍ଶ୍ଵରେ ରହିଛି ଟିଟିଲାଗଡର ଅନେକ ଘର, ଦୈନନ୍ଦିନ ବଜାର , ପୋଲିସ ଷ୍ଟେସନ, ସରକାରୀ ଡାକ୍ତରଖାନା ଓ ଅନେକ ଗୁଡ଼ିଏ ସରକାରୀ କାର୍ୟ୍ୟାଳୟ । ଟିଟିଲାଗଡ ପୌରପରିଷଦ ସହର ମଧ୍ୟରେ ଥିବା ସମସ୍ତ ଅଞ୍ଚଳର ସଫାସୁତୁରା ଦାୟିତ୍ଵ ବହନ କରିଛି । ଏହା ସହ ଟିଟିଲାଗଡ ମ୍ୟୁନିସିପାଲିଟି ପ୍ରତିଦିନ ଘରକୁ ଘର ଅଳିଆ ସଂଗ୍ରହ କରୁଛି। ଏହା ସତ୍ତ୍ଵେ ରାଜରାସ୍ତା ଉପରେ ଆବର୍ଜ୍ଜନା ପଡି ରହୁଛି। ଟିଟିଲାଗଡ ପୋଲିସ ଷ୍ଟେସନ ପାଖରେ ଅନେକ ଦିନ ହେଲା ପଡ଼ିରହିଛି ଅଳିଆ ଆବର୍ଜ୍ଜନା । ସେଠାରେ ପ୍ରତିଦିନ ଅନେକ ଲୋକ ପନିପରିବା ଦୋକାନ ମଧ୍ୟ ଖୋଲୁଛନ୍ତୁ । ଦୁର୍ଗନ୍ଧ ହେବା ସହ ମଶା ଓ ମାଛି ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଉଛନ୍ତି । କିନ୍ତୁ ମ୍ୟୁନିସିପାଲଟି କର୍ମଚାରୀଙ୍କ କୌଣସି ନଜର ପଡ଼ିନାହିଁ। କେବଳ ଏହି ଗୋଟିଏ ସ୍ଥାନ ନୁହେଁ କୋର୍ଟ ପରିସର ପାଖ ଅଞ୍ଚଳ , ଜିଏସ୍‌ଟି ଅଫିସ୍ ସମ୍ମୁଖରେ, ଡାକ୍ତରଖାନାକୁ ଲାଗି ଓ ସହରର ବିଭିନ୍ନ ସ୍ଥାନରେ ଅଳିଆ ଆବର୍ଜ୍ଜନା ବହୁ ସମୟ ଧରି ପଡିରହିଥିବା ଲୋକମାନେ ଅଭିଯୋଗ କରିଛନ୍ତି। ଏହା ଯୋଗୁଁ ବୁଲା ଜୀବ ଜନ୍ତୁ ରାସ୍ତା ଉପରେ ଛିଡା ରହୁଛନ୍ତି, ଯାହାଫଳରେ ଟ୍ରାଫିକ ସମସ୍ୟା ବଢ଼ିବାରେ ଲାଗିଛି ।

ସହରର ଅନେକ ନାଳ ନର୍ଦ୍ଦମା ଆବର୍ଜନା ପୂର୍ଣ୍ଣ ହୋଇ ରହିଛି ଓ ଅଳ୍ପ ବର୍ଷାରେ ରାସ୍ତା ଉପରକୁ ବୋହି ଆସୁଥିବା ଅଭିଯୋଗ କରୁଛନ୍ତି ଲୋକେ। କର୍ମଚାରୀ ମାନଙ୍କ କାମରେ ଅବହେଳା ଦେଖିବାକୁ ମିଳୁଥିବା ଟିଟିଲାଗଡ ବାସୀ କହିଛନ୍ତି । ଘରକୁ ଘର ବୁଲି ବୁଲି ସଂଗ୍ରହ କରୁଥିବା ଆବର୍ଜ୍ଜନାକୁ ଲୋକଙ୍କ ଘର ପାଖରେ ଜମା କରି ରଖୁଛନ୍ତି, ଯାହାକୁ ଅନେକ ଦିନ ପର୍ୟ୍ୟନ୍ତ ପକେଇ ରଖିବା ପରେ ପୁଣି ତାକୁ ନେଇ ଉଚିତ ସ୍ଥାନରେ ଫିଙ୍ଗୁଛନ୍ତି । ଘର ପାଖରେ ଆବର୍ଜନା ଜମା କରି ରଖିବା ଫଳରେ ମଶା ମାଛି ହେବା ସହ ଦୁର୍ଗନ୍ଧ ବହୁତ ହେଉଛି । ସେଠାରେ ପଲିଥିନଗୁଡ଼ିକ ପଡି ରହିଛି । ଯାହାକୁ ସ୍ଥାନୀୟ ବୁଲା କୁକୁର ଓ ଗାଈ ଖାଉଛନ୍ତି । ଟିଟିଲାଗଡର ଏହି ସମସ୍ୟା ପାଇଁ ଜନସାଧାରଣ ଦାୟୀ ନା ପ୍ରଶାସନ ଦାୟୀ, ତାହା ଆଲୋଚନା ହେଉଛି।

Leave A Reply

Your email address will not be published.