ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟସ୍ କାଉନସିଲ୍ ଦ୍ୱାରା ସୁନ୍ଦରଗଡ ସେବା ରତ୍ନ ସମ୍ମାନରେ ସମ୍ମାନୀତ ହେଲେ ଜୀବନ ସିଂ ମୁଣ୍ଡା
ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ସହର ରାଉରକେଲାର ଭଞ୍ଜ ଭବନ ପରିସରରେ ଆୟୋଜିତ ଇଣ୍ଟରନେସନାଲ ହ୍ୟୁମାନ ରାଇଟସ୍ କାଉନସିଲର ପ୍ରଥମ ସୁନ୍ଦରଗଡ ସେବା ରତ୍ନ ସମ୍ନାନ-୨୦୨୫ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ କିନ୍ନର ଆସୋସିଏସନ ଓଡ଼ିଶାର ଉପସଭାପତି ଜୋୟା ତ୍ରିପାଠୀ, ୱେଷ୍ଟର୍ଣ୍ଣ ଜୋନ୍ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ୍ସ କାଉନସିଲ୍ ସଭାପତି ବାସୁଦେବ ଦାସ, ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ୍ସ କାଉନସିଲ୍ ସଭାପତି କାର୍ତ୍ତିକ ରାଉତଙ୍କ ସମେତ ବିଶେଷ ଅତିଥି ଭାବରେ ରାଉରକେଲା ସ୍ପେଶାଲ ଜେଲ୍ ଅଧିକ୍ଷକ ଜୀବନ ସିଂ ମୁଣ୍ଡା ଯୋଗଦେଇଥିଲେ । ଏଥି ସହିତ ରାଉରକେଲାର ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ପ୍ରାରମ୍ଭରେ ଗୁଜରାଟର ଅହମ୍ମଦାବାଦ ଠାରେ ଘଟିଥିବା ବିମାନ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ୨୪୧ ଜଣ ବ୍ୟକ୍ତିଙ୍କ ଆତ୍ମାର ସଦଗତି ପାଇଁ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । କାର୍ଯ୍ୟକ୍ରମରେ ମୁଖ୍ୟଅତିଥି, ସମ୍ମାନିତ ଅତିଥିଙ୍କୁ ପୁଷ୍ପଗୁଚ୍ଛ, ଉତ୍ତରୀୟ ଓ ମୋମେଣ୍ଟୋ ଦେଇ ସମ୍ମାନିତ କରାଯାଇଥିଲା । ବିଶେଷ ଅତିଥି ଭାବରେ ରାଉରକେଲା ସ୍ପେଶାଲ ଜେଲ୍ ଅଧିକ୍ଷକ ଜୀବନ ସିଂ ମୁଣ୍ଡାଙ୍କୁ ତାଙ୍କର ଉତ୍କର୍ଷ କାର୍ଯ୍ୟ ପାଇଁ ଇଣ୍ଟରନ୍ୟାସନାଲ ହ୍ୟୁମାନ ରାଇଟ୍ସ କାଉନସିଲ୍ ସୁନ୍ଦରଗଡ ସେବାରତ୍ନ ସମ୍ମାନ-୨୦୨୫ରେ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମରେ କାଉନସିଲ୍ ସୁନ୍ଦରଗଡ ସଭାପତି କାର୍ତ୍ତିକ ରାଉତ ଭିନ୍ନକ୍ଷମଙ୍କ ସହିତ କେତେକ ନିଃସହାୟ ବ୍ୟକ୍ତିଙ୍କୁ ୫ଟି ହୁଇଲ୍ ଚେୟାର ବଣ୍ଟନ କରିଥିଲେ । ଏହି ଉତ୍ସବରେ ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତାଙ୍କୁ ମଧ୍ୟ ସମ୍ମାନିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ସମାଜସେବୀ ବିଜୟାନନ୍ଦ ସୁନ୍ଦରାୟ ସହଯୋଗ କରିଥିଲେ ।