
ଭୁବନେଶ୍ୱର : ରାତିରେ ଶୋଇଥିବା ଅବସ୍ଥାରେ ତାଣ୍ଡବ ରଚିଲା କାଳବୈଶାଖୀ । ଘର ଉପରେ ଭାଙ୍ଗି ପଡ଼ିଲା ବିରାଟ ଗଛ । ଘର ଭିତରେ ଶୋଇଥିବା ନାବାଳକ ଗୁରୁତର ଆହତ ହୋଇଥିବା ବେଳେ ଅଳ୍ପକେ ବର୍ତ୍ତିଗଲେ ପରିବାର ଲୋକେ । କପ୍ତିପଦା ଥାନା କୁଲାସାହି ଅଞ୍ଚଳରେ ଏବଳି ଘଟଣା ଘଟିଛି । ସୂଚନା ମୁତାବକ, ଶନିବାର ବିଳମ୍ବିତ ରାତିରେ କାଳବୈଶାଖୀ ପ୍ରଭାବରେ ଦୁର୍ଗା ହାଁସଦାଙ୍କ ଘର ସମ୍ମୁଖରେ ଥିବା ବିରାଟ ଗଛ ଅଚାନକ ଉପୁଡି ପଡିଥିଲା । ଗଛଟି ଉପୁଡ଼ି ଆଜବେଷ୍ଟସ ଘର ଉପରେ ଗଛ ପଡ଼ିଥିବା ବେଳେ ଘର ଭିତରେ ଶୋଇଥିବା ପରିବାର ଲୋକେ ଅଳ୍ପକେ ବର୍ତ୍ତି ଯାଇଥିଲେ । ହେଲେ ଦୁର୍ଗାଙ୍କ ୩ ବର୍ଷର ନାବାଳକର ମୁଣ୍ଡ ଏବଂ ଆଖିରେ ଗଭୀର ଆଘାତ ଲାଗିଛି । ଯେଉଁଥିରେ ନାବାଳକ ଗୁରୁତର ହୋଇଛି । ଏହା ସହିତ ଘର ଭାଙ୍ଗିଯିବା ସହିତ ସାଇକେଲ ଏବଂ ସ୍କୁଟି ମଧ୍ୟ ଭାଙ୍ଗିଯାଇଛି । ଖବର ପାଇ କପ୍ତିପଦା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗଛ କାଟି ହଟାଉଛି ।