ଉଚ୍ଚତର ଗବେଷଣା ମାଧ୍ୟମରେ କୃଷ୍ଣଚନ୍ଦ୍ରଙ୍କ କାବ୍ୟକୃତିର ମୂଲ୍ୟାୟନ କରାଯିବ : କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ଓଡ଼ିଶାର ସ୍ୱନାମଧନ୍ୟ ଆଶୁକବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଓଡ଼ିଆ କାବ୍ୟ ସାହିତ୍ୟର ଜଣେ ପ୍ରଣମ୍ୟ ପୁରୁଷ । ପାଞ୍ଚ ଦଶନ୍ଧିରୁ ଅଧିକ କାଳ ଧରି ସେ ନିରବଚ୍ଛିନ୍ନ ଭାବେ ସାରସ୍ୱତ ସାଧନାରେ ପ୍ରବୃତ୍ତ ରହି ଆସିଛନ୍ତି । ସହସ୍ରାଧିକ କବିତା ସୃଷ୍ଟି କରି ଓଡ଼ିଆ ବାଣୀଭଣ୍ଡାରକୁ ରୁଦ୍ଧିମନ୍ତ କରିଛନ୍ତି । ବିଶ୍ୱବିଦ୍ୟାଳୟ ସ୍ତରରେ ଉଚ୍ଚତର ଗବେଷଣା ମାଧ୍ୟମରେ ତାଙ୍କ ଭଳି ଜଣେ ବର୍ଷୀୟାନ କବିଙ୍କ କାବ୍ୟକୃତିର ଯଥାର୍ଥ ମୂଲ୍ୟାୟନ ହୋଇପାରିବ ବୋଲି ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ମତବ୍ୟକ୍ତ କରିଛନ୍ତି । ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ଆନୁକୂଲ୍ୟରେ ସ୍ଥାନୀୟ ରାଜସ୍ୱ ଡାକବଙ୍ଗଳା ସମ୍ମେଳନ କକ୍ଷରେ ଗତ ଶୁକ୍ରବାର ସନ୍ଧ୍ୟାରେ ଆୟୋଜିତ କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ୭୫ତମ ସ୍ୱନକ୍ଷତ୍ର ଦିବସ ଓ ଅଭିନନ୍ଦନିକା ଉନ୍ମୋଚନ ଉତ୍ସବରେ ମୁଖ୍ୟଅତିଥି ରୂପେ ଯୋଗଦେଇ କୁଳପତି ପ୍ରଫେସର ଦାଶ କୃଷ୍ଣଚନ୍ଦ୍ରଙ୍କ କବିତାର ଭୂୟସୀ ପ୍ରଶଂସା କରିଥିଲେ । ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ ସଭାପତି ରବି ରଥଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ସାରସ୍ୱତ ସମାରୋହରେ ବିଶିଷ୍ଟ ଭେଷଜ ବିଶାରଦ ପ୍ରଫେସର ପ୍ରଫୁଲ୍ଲ ଚନ୍ଦ୍ର ସାହୁ, ପ୍ରବୀଣ ବାଗ୍ମୀ ଶିକ୍ଷାବିତ ହୟଗ୍ରୀବ ତ୍ରିପାଠୀ, ରେଭେନ୍ସା ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ତଥା ଭଞ୍ଜ ସାହିତ୍ୟର ବିଶିଷ୍ଟ ବିଦ୍ୱାନ ପ୍ରଫେସର ବାଉରିବନ୍ଧୁ ସାହୁ, ଖ୍ୟାତିସମ୍ପନ୍ନ ନାଟ୍ୟକାର ପ୍ରଫେସର ମେଜର ରମାରମଣ ପାଢ଼ୀ, ଲୋକସେବକ ମଣ୍ଡଳର ଆଜୀବନ କର୍ମୀ ରାଜେନ୍ଦ୍ର କୁମାର ଜେନା ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଆଶୁକବି କୃଷ୍ଣଚନ୍ଦ୍ରଙ୍କ ଶୈକ୍ଷିକ ଓ ସାରସ୍ୱତ ଜୀବନର ବିବିଧ ଦିଗ ସମ୍ପର୍କରେ ଆଲୋକପାତ କରିବା ସଂଗେ ସଂଗେ ୭୫ତମ ଜନ୍ମଦିନ ଅବକାଶରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ । ଆଶୁକବିଙ୍କ ଜୟନ୍ତୀ ଓ ଅଭିନନ୍ଦନିକା ଉନ୍ମୋଚନ ଉତ୍ସବରେ କବି ଓ ସମାଲୋଚକ ଡ. କୁଳମଣି ଓଝା ମୁଖ୍ୟବକ୍ତା ରୂପେ ଯୋଗଦେଇ କବି କୃଷ୍ଣଚନ୍ଦ୍ରଙ୍କ ସଂସ୍କାରିତ କାବ୍ୟଦୃଷ୍ଟି, ସୁଦୀର୍ଘ କାବ୍ୟ ସର୍ଜନା, ବିରଚିତ କବିତାବଳିର ବୈଶିଷ୍ଟ୍ୟ, ଶବ୍ଦ ଚୟନରେ ଅଭିନତା ଓ ଛାନ୍ଦସିକତା ସମ୍ପର୍କରେ ସବିଶେଷ ଆଲୋଚନା କରି ଶ୍ରଦ୍ଧା ନିବେଦନ କରିଥିଲେ । କବି କୃଷ୍ଣଚନ୍ଦ୍ରଙ୍କ ଗୁଣମୁଗ୍ଧ ଛାତ୍ର ତଥା ଖଲ୍ଲିକୋଟ କ୍ଲଷ୍ଟର ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ପ୍ରଫେସର ମନ୍ମଥ ପାଢ଼ୀ ତାଙ୍କ ବକ୍ତବ୍ୟରେ ଗୁରୁଙ୍କ ଉଦ୍ଦେଶ୍ୟରେ ଭାବପୂର୍ଣ୍ଣ ଶ୍ରଦ୍ଧା ଓ ସମ୍ମାନ ପ୍ରଦର୍ଶନ କରିଥିଲେ । ଅଭିନନ୍ଦନିକା ସମ୍ପାଦନାରେ ତାଙ୍କ ଭୂମିକା ବିଷୟ ଉଲ୍ଲେଖ କରି ପ୍ରଫେସର ପାଢ଼ୀ ଗୁରୁ କୃଷ୍ଣଚନ୍ଦ୍ରଙ୍କ ଛାତ୍ର ବତ୍ସଳତା, ଆଦର୍ଶ ଓ ମହନୀୟ ଜୀବନ ବିଷୟରେ ଆଲୋକପାତ କରିଥିଲେ । ୭୫ ବର୍ଷ ପୂର୍ତ୍ତି ଅବସରରେ ପ୍ରକାଶିତ “କୋକିଳ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଅଭିନନ୍ଦନିକା’ ସଭାସୀନ ଅତିଥିମାନଙ୍କ କରକମଳରେ ଉନ୍ମୋଚିତ ହୋଇଥିଲା ଏହି ଉତ୍ସବରେ ଶିକ୍ଷକ-କବି କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ ଅନେକ ଛାତ୍ର, ଶିକ୍ଷକ ବନ୍ଧୁ, ସାରସ୍ୱତ ଶୁଭେଚ୍ଛୁ, ସମଧର୍ମା ସାହିତ୍ୟିକ, ସାହିତ୍ୟାନୁରାଗୀ ଉତ୍ତରୀୟ ଓ ପୁଷ୍ପସ୍ତବକ ଅର୍ପଣ ପୂର୍ବକ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧନାର ଉତ୍ତରରେ କବି କୃଷ୍ଣଚନ୍ଦ୍ର ତ୍ରିପାଠୀ ଭାବବିହ୍ୱଳ ହୋଇପଡ଼ିଥିଲେ । ସମସ୍ତ ଆମନ୍ତ୍ରିତ ଅତିଥି ଓ ଶ୍ରୋତାଙ୍କୁ ନମ୍ର କୃତଜ୍ଞତା ଜ୍ଞାପନ ପୂର୍ବକ ସ୍ୱରଚିତ କେତେକ କବିତା ଆବୃତ୍ତି କରି ସ୍ୱୀୟ ସାହିତ୍ୟ ସାଧନା ଓ ଜୀବନାଦର୍ଶ ବିଷୟରେ ଉଲ୍ଲେଖ କରିଥିଲେ । ଅଧ୍ୟାପକ ଲକ୍ଷ୍ମୀନାରାୟଣ ପଣ୍ଡା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ । କବିଙ୍କ ସୁପୁତ୍ର ଡା. ସାଗର ରଞ୍ଜନ ତ୍ରିପାଠୀ ପ୍ରାରମ୍ଭରେ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କରିବା ସଂଗେ ସଂଗେ ନିଜ ପିତାଙ୍କ ତ୍ୟାଗ-ତପସ୍ୟାପୂତ ସାରସ୍ୱତ ଜୀବନ ସମ୍ପର୍କରେ ପ୍ରାକ୍‌-ସୂଚନା ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମ ସଂଚାଳନାରେ କବିଙ୍କ କନିଷ୍ଠ ପୁତ୍ର ଇଂ. ମାନସ ରଞ୍ଜନ ତ୍ରିପାଠୀ, ସୁଶାନ୍ତ କର, ବନ୍ଦନା ମହାପାତ୍ର ପ୍ରମୁଖ ସହାୟତା କରିଥିଲେ । ଏହି ଉତ୍ସବରେ ବ୍ରହ୍ମପୁର ମହାନଗରାଞ୍ଚଳର ଶତାଧିକ ବିଶିଷ୍ଟ ଶିକ୍ଷାବିତ୍‌, ସାହିତ୍ୟିକ, କଳାକାର ଓ ସଂସ୍କୃତି ଅନୁରାଗୀ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ । ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନର ସମ୍ପାଦକ କପିଳ ଚନ୍ଦ୍ର ମହାନ୍ତି ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.