ଆର୍ଥିକ ଶୃଙ୍ଖଳା ଦେଶ ପ୍ରଗତିର ମୂଳମନ୍ତ୍ର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ଥାନୀୟ ମହାଲେଖାକାର କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଅଡିଟ ସପ୍ତାହ ପାଳନ ଅବସରରେ ୨ୟ ଦିନର ୨ୟ ଅଧିବେଶନରେ ରାଜ୍ୟର ଆୟ ବ୍ୟୟର ହିସାବ ତଥା ଅବସରକାଳୀନ ଦେୟ ପ୍ରଦାନରେ ମହାଲେଖାକାର କାର୍ଯ୍ୟାଳୟର ଭୂମିକା ଉପରେ ଏକ ଆଲୋଚନାଚକ୍ର ସଚିବାଳୟ କନଭେନସନ ହଲ୍‌ ଠାରେ ଆୟୋଜିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ଇଷ୍ଟକୋଷ୍ଟ ରେଳବାଇର ଅଡିଟ ମହାନିର୍ଦ୍ଦେଶକ ବିଭୁଦତ୍ତ ବସନ୍ତିଆ, ପ୍ରଧାନ ମହାଲେଖାକାର ଅନନ୍ତ କିଶୋର ବେହେରା ଓ ମହାଲେଖାକାର ଅଡିଟ ବିଶ୍ୱନାଥ ସିଂହ ଜାଦୋନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ପ୍ରାରମ୍ଭରେ ଶ୍ରୀ ବସନ୍ତିଆ ଅବସର ଗ୍ରହଣ କରିଥିବା ଅବସରପ୍ରାପ୍ତ କର୍ମଚାରୀଙ୍କ ଦେୟ ପ୍ରଦାନ କରିବା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ସହ ବର୍ଷ ବର୍ଷ ଧରି ପଡିରହୁଥିବା ଆବେଦନକୁ ବିଚାରକୁ ନେଇ ତୁରନ୍ତ ଅବସରକାଳୀନ ଦେୟ ପ୍ରଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାରୁ ଏ.ଜି କାର୍ଯ୍ୟାଳୟରେ ତୁରନ୍ତ ଫଇସଲା କରାଯାଇ ପ୍ରଦାନ କରାଯାଉଛି ବୋଲି କହିଥିଲେ । ପ୍ରଧାନ ମହାଲେଖାକାର ଶ୍ରୀ ବେହେରା ଅବସରକାଳୀନ ଆବେଦନ ମହାଲେଖାକାର କାର୍ଯ୍ୟାଳୟରେ ପହଞ୍ଚିବାର ୩୦ ଦିନ ମଧ୍ୟରେ ଫଇସଲା ହେବା ଦ୍ୱାରା ଆଉ କୌଣସି ଆବେଦନ ଏ.ଜି କାର୍ଯ୍ୟାଳୟରେ ପଡି ରହୁନାହିଁ ବୋଲି କହିବା ସହ ଅବସର ଗ୍ରହଣ କରିବାକୁ ଥିବା କର୍ମଚାରୀମାନେ ସେମାନଙ୍କ ଆବେଦନ ଅନ୍‌ଲାଇନ ମାଧ୍ୟମରେ ଆବେଦନ କଲେ ଅବସରକାଳୀନ ଦେୟ ଆହୁରି ଶୀଘ୍ର ହେବ ବୋଲି କହିଥିଲେ । ବରିଷ୍ଠ ଉପ ମହାଲେଖାକାର ଶ୍ରୀରାଜ ଅଶୋକ ରାଜ୍ୟର ଆର୍ଥିକ ଶୃଙ୍ଖଳା ଉପରେ ଗୁରୁତ୍ୱାରୋପ କରିବା ସହ ଦେଶର ଆର୍ଥିକ ଶୃଙ୍ଖଳା ଦେଶକୁ ବିକଶିତ ଦେଶରେ ପରିଣତ କରିପାରିବ ବୋଲି ମତବ୍ୟକ୍ତ କରିଥିଲେ । ଉପ ମହାଲେଖାକାର ଏସ. ଅରୁଣା ଅବସରକାଳୀନ ଦେୟ ଅବିଳମ୍ବେ ପ୍ରଦାନ କରିବାକୁ ପଦକ୍ଷେପ ଉପରେ ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଟ୍ରେଜେରୀ ନିର୍ଦ୍ଦେଶାଳୟର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ପ୍ରଣତି ଛୋଟରାୟ, ଅତିରିକ୍ତ ନିର୍ଦ୍ଦେଶକ ଡ଼. ସତ୍ୟପ୍ରିୟ ରଥ ଓ ରାଜ୍ୟ ସ୍ୱଳ୍ପ ସଂଚୟ ଯୋଜନା ନିର୍ଦ୍ଦେଶକ ସିଦ୍ଧାର୍ଥ ଦାସ ରାଜ୍ୟ ସରକାର ଇ ଏକାଉଣ୍ଟସ, ପେନସନ୍‌ ଓ ଭବିଷ୍ୟନିଧି ପ୍ରଦାନ ଉପରେ ଗ୍ରହଣ କରିଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋକପାତ କରିଥିଲେ । ଏହି ଅବସରରେ ପ୍ରଧାନ ମହାଲେଖାକାର ଶ୍ରୀ ବେହେରା ଏବଂ ମହାଲେଖାକାର ଶ୍ରୀ ଜାଦୋନ ଶ୍ରୀମତୀ ଛୋଟରାୟ, ଶ୍ରୀ ରଥ ଓ ଶ୍ରୀ ଦାସଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Leave A Reply

Your email address will not be published.

error: Content is protected !!