
ଭୁବନେଶ୍ୱର : ଏଣିକି ଉପରେ ନୁହେଁ, ତଳେ ତଳେ ଯିବ ମେଟ୍ରୋ । ମେଟ୍ରୋକୁ ଅଣ୍ଡରଗ୍ରାଉଣ୍ଡ ବା ମାଟି ତଳେ ନେବାକୁ ସାନି ଯୋଜନା କରିଛନ୍ତି ରାଜ୍ୟ ସରକାର । ମେଟ୍ରୋ ପାଇଁ ନୂଆ ଆଲାଇନ୍ମେଣ୍ଟ ତିଆରି ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏଥିପାଇଁ ପୂର୍ତ୍ତ ବିଭାଗ ଓ ନଗର ଉନ୍ନୟନ ବିଭାଗ ନୂଆ ଆଲାଇନ୍ମେଣ୍ଟ ପ୍ରସ୍ତୁତ କାମ ଆରମ୍ଭ କରିଛନ୍ତି ବୋଲି ପୂର୍ତ୍ତ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, ପୂର୍ବରୁ ମେଟ୍ରୋକୁ ଏଲିଭେଟେଡ୍ ବା ଉପରେ ନେବାକୁ ଯୋଜନା ଥିଲା । କିନ୍ତୁ ଏହି ଯୋଜନାରେ ପରିବର୍ତ୍ତନ ହୋଇଛି । ଏଣିକି ଅଣ୍ଡରଗ୍ରାଉଣ୍ଡରେ ମେଟ୍ରୋ ରେଳ ଚାଲିବ । ଏଥିପାଇଁ ଆଉ ଥରେ ଆଲାଇନମେଣ୍ଟ ସର୍ଭେ ହେବ ବୋଲି ଜଣାପଡ଼ିଛି । ସେହିଭଳି ୨୦୨୭ ସୁଦ୍ଧା ଭୁବନେଶ୍ୱର ରିଙ୍ଗରୋଡ୍ କାମ ସରିବ ବୋଲି ମନ୍ତ୍ରୀ କହିଛନ୍ତି । ଭୁବନେଶ୍ୱରକୁ ଭିଡ଼ମୁକ୍ତ କରିବାକୁ ଅନେକ ଯୋଜନା ହୋଇଛି । ଇନର ରିଙ୍ଗରୋଡ୍, ଆଉଟର ରିଙ୍ଗରୋଡ୍, ଏଲିଭଟେଡ୍ କରିଡ଼ର, ଫ୍ଲାଏଓଭର ତିଆରି ପାଇଁ ଯୋଜନା ଅଛି । ଏହି ସବୁ ପ୍ରକଳ୍ପ ଦ୍ୱାରା ସହରରୁ ଭିଡ଼ ହଟିବ । ଅଢ଼େଇ ବର୍ଷ ଭିତରେ ଏଥିପାଇଁ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ସେ କହିଛନ୍ତି । ଆଉଟର ରିଙ୍ଗରୋଡ୍ରେ ଭୁବନେଶ୍ୱର ସମେତ ଖୋର୍ଦ୍ଧା, ଜଟଣୀ ଓ କଟକର କିଛି ଅଞ୍ଚଳ ଯାଉଛି । ୨୦୨୫ ସୁଦ୍ଧା ପଟିଆ-ସିଆର୍ପି ବାମପାଶ୍ୱର୍ ସମାନ୍ତରାଳ ରାସ୍ତାରୁ ଅବରୋଧ ହଟାଇ କାମ ଶେଷ କରାଯିବ । ଡାହାଣ ପାଶ୍ୱର୍ ସମାନ୍ତରାଳ ରାସ୍ତା ଦ୍ୱାରା ଆଚାର୍ଯ୍ୟବିହାରରୁ ପଟିଆକୁ ନୂଆ ରାସ୍ତା ସଂଯୋଗ କାମ ଚାଲିଛି । ଡିସେମ୍ବର ସୁଦ୍ଧା ଉଭୟ ବାମପାଶ୍ୱର୍ ଓ ଡାହାଣ ପାଶ୍ୱର୍ ସମାନ୍ତରାଳ ରାସ୍ତା କାମ ସରିବ ବୋଲି ମନ୍ତ୍ରୀ କହିଛନ୍ତି ।