ଜାତୀୟ ମୁକ୍ତି ସଂଗ୍ରାମରେ ଗଞ୍ଜାମର ଭୂମିକା ଅତୁଳନୀୟ ଓ ଅବିସ୍ମରଣୀୟ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ରିଜର୍ଭ ପୋଲିସ ପଡ଼ିଆଠାରେ ଆୟୋଜିତ ଜିଲ୍ଲାସ୍ତରୀୟ ୭୬ତମ ସ୍ୱାଧୀନତା ଦିବସ ବର୍ଣ୍ଣାଢ୍ୟ ସାମାରୋହରେ ପାଳିତ ହୋଇଯାଇଛି । ବିଜ୍ଞାନ, କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗୀୟ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଜାତୀୟ ପତାକା ଉତ୍ତୋଳନ କରିଥିଲେ ଏବଂ ସମ୍ମିଳିତ ପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ । ଗଞ୍ଜାମ ଜିଲ୍ଲାର ସ୍ୱାଧୀନତା ସଂଗ୍ରାମୀମାନଙ୍କର ବଳିଦାନକୁ ଅତ୍ୟନ୍ତ ମହନୀୟ ଏବଂ ସ୍ମରଣଯୋଗ୍ୟ ବୋଲି କହି ସେହି ସ୍ୱର୍ଗୀୟ ମହାନୁଭବଙ୍କ ଉଦ୍ଦେଶ୍ୟରେ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଅବିଭକ୍ତ ଗଞ୍ଜାମ ଜିଲ୍ଲାର ବହୁ ସଂଗ୍ରାମୀ ନିଜ ଜୀବନକୁ ବାଜି ଲଗାଇ ବ୍ରିଟୀଶ ବିରୋଧରେ ଲଢ଼ିଥିଲେ । ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁଙ୍କ ଆଦର୍ଶରେ ପ୍ରଭାବିତ ହୋଇ ଅନେକ ସଂଗ୍ରାମୀ ପ୍ରାଣବଳି ଦେଇଥିଲେ । ଯାହା ଇତିହାସରେ ଅବିସ୍ମରଣୀୟ ଅଟେ ବୋଲି ମନ୍ତ୍ରୀ ଶ୍ରୀ ପଣ୍ଡା ଉଦ୍‌ବୋଧନ ଦେଇଥିଲେ । ଜିଲ୍ଲାର କ୍ରୀଡା, ସଂସ୍କୃତି, ସାହିତ୍ୟ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲାର ଅବଦାନ ଅତୀବ ଗୁରୁତ୍ତ୍ୱପୂର୍ଣ୍ଣ ବୋଲି ଉଲ୍ଲେଖ କରିଛନ୍ତି । ଆଗାମୀ ଦିନରେ ଗଞ୍ଜାମ ଜିଲ୍ଲା ଦେଶର ଏକ ଅଗ୍ରଣୀ ସ୍ଥାନରେ ସ୍ଥାନ ପାଇବ ବୋଲି ମନ୍ତ୍ରୀ କହିଛନ୍ତି । ପାରମ୍ପରିକ ଉତ୍ସବରେ ଗଞ୍ଜାମ ପୋଲିସ ବାହିନୀ, ଅଷ୍ଟମ ବାଟାଲିୟନ ପ୍ରମୁଖ ମିଳିତ ପ୍ୟାରେଡ଼ରେ ଅଂଶଗ୍ରହଣ କରିଥିଲେ । ଗଞ୍ଜାମ ଏସ୍‌ପି ବ୍ରିଜେଶ କୁମାର ରାଏ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଜିଲ୍ଲାର ବହୁ ଉଚ୍ଚପଦାଧିକାରୀ ଏହି ଉତ୍ସବରେ ଯୋଗଦେଇଥିଲେ । କୃତି ଛାତ୍ରଛାତ୍ରୀଙ୍କୁ ମୁଖ୍ୟ ଅତିଥି ପୁରସ୍କାର ପ୍ରଦାନ କରିଥିଲେ । ଆଦର୍ଶ ନିଷ୍ଠାପରତା ଏବଂ କାର୍ଯ୍ୟ ଦକ୍ଷତାରେ କେତେ ଜଣଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିଲା । ବିଗତ ବର୍ଷମାନଙ୍କ ଭଳି ପୁରସ୍କାର ଓ ସମ୍ବର୍ଦ୍ଧିତ ପ୍ରତ୍ୟେକଙ୍କୁ ଗୋଟିଏ ଲେଖାଏଁ ବୃକ୍ଷ-ଚାରା ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବିନାରାୟଣ ବେହେରା ସଂଯୋଜନା ଓ ପରିଚାଳନା କରିଥିଲେ ।

Leave A Reply

Your email address will not be published.