
ରାଉରକେଲା, (ସସ୍ମିତା ପ୍ରଧାନ) : ବିଶ୍ୱ ବିଖ୍ୟାତ ସମାଜ ବିଜ୍ଞାନୀ ଦାର୍ଶନିକ କାର୍ଲ ମାର୍କ୍ସଙ୍କ ଜୟନ୍ତୀ ଉତ୍ସବ ସହରର ସାହିତ୍ୟ ଅନୁଷ୍ଠାନ ଓଡ଼ିଆ ଭାଷା ବିକାଶ ମଞ୍ଚ ଆନୁକୂଲ୍ୟରେ କଲଚରାଲ ଏକାଡେମୀ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି । କବି ବଳରାମ ରାଉଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ଉତ୍ସବରେ ମୁଖ୍ୟବକ୍ତା ଭାବରେ ପ୍ରାବନ୍ଧିକ ଗଗନ ବିହାରୀ ଧଳ ଯୋଗଦେଇଥିଲେ । ସର୍ବପ୍ରଥମେ ପହଲଗାମରେ ଆତଙ୍କବାଦୀ ଆକ୍ରମଣରେ ନିହତ ଭ୍ରମଣକାରୀ, ପ୍ରୟାତ କମ୍ରେଡ ଦିବାକର ନାୟକ ଓ ଅଶୋକ ବଳଙ୍କ ଅପ୍ରତ୍ୟାଶିତ ନିଧନରେ ଏକ ମିନିଟ ନିରବ ପ୍ରାର୍ଥନା କରାଯାଇଥିଲା । ପ୍ରାରମ୍ଭିକ ସୂଚନା ପ୍ରଦାନ ପୂର୍ବକ ଅନୁଷ୍ଠାନର ସାଧାରଣ ସମ୍ପାଦକ ନାଟ୍ୟକାର ଆର୍ତ୍ତତ୍ରାଣ ମହାପାତ୍ର ମାର୍କ୍ସଙ୍କ ବାଲ୍ୟଜୀବନ, ଶିକ୍ଷା, ପାରିବାରିକ ସ୍ଥିତି, ବୈବାହିକ ଜୀବନ, ସାମ୍ୟବାଦୀ ଚିନ୍ତା ଚେତନା, ସୃଜନ ପରାକାଷ୍ଠାର ବିଭିନ୍ନ ଦିଗ ଉପରେ ମତ ରଖିଥିଲେ । ମୁଖ୍ୟବକ୍ତା ଶ୍ରୀ ଧଳ ମାର୍କ୍ସଙ୍କ ଦର୍ଶନରେ ସାମାଜିକ, ରାଜନୈତିକ ଓ ଆର୍ଥିକ ଦିଗ ଗୁଡ଼ିକର ପ୍ରାସଙ୍ଗିକତା, ଉପାଦେୟତା ଆଦିର ଗଭୀର ବିଶ୍ଲେଷଣ କରିବା ସଙ୍ଗେ ସଙ୍ଗେ ରୁଷ ବିପ୍ଲବ, ଶ୍ରେଣୀ ସଂଘର୍ଷ, ଦ୍ୱାନ୍ଦିକ ବସ୍ତୁବାଦ, ସାମ୍ରାଜ୍ୟବାଦ, ଫାସିବାଦ, ଧର୍ମୀୟ ମୌଳବାଦ, ସମ୍ପର୍କରେ ତାତ୍ୱିକ ଆଲୋଚନା କରିଥିଲେ । ସଭାପତି ଶ୍ରୀ ରାଉଳ ମାର୍କ୍ସଙ୍କର ସମାଜବାଦ ପ୍ରତିଷ୍ଠା ଦିଗରେ ପ୍ରେମ ଓ ଜୀବନକୁ ନେଇ ମାର୍କ୍ସଙ୍କ ତାତ୍ୱିକ ଅବଧାରଣା ଗୁଡିକ ସମ୍ପର୍କରେ ଆଲୋକପାତ କରିଥିଲେ । ଦ୍ୱିତୀୟ ପର୍ଯ୍ୟାୟରେ କବି ତ୍ରିଲୋଚନ ସ୍ୱାଇଁଙ୍କ ସଂଯୋଜନାରେ ଏକ ମନୋଜ୍ଞ କବିତା ପାଠୋତ୍ସବ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପ୍ରତାପ କୁମାର ପଣ୍ଡା, ଅକ୍ଷୟ କୁମାର ସାମଲ, ସୁଶାନ୍ତ କୁମାର ନାୟକ, ସଞ୍ଜୀବ କୁମାର ଭୋଇ, କୁଞ୍ଜବିହାରୀ ରାଉତ, ତ୍ରିଲୋଚନ ସ୍ୱାଇଁ, ବଳରାମ ରାଉଳ ପ୍ରମୁଖ କବିତା ପାଠ କରିଥିଲେ । ଏହି କାର୍ଯ୍ୟକ୍ରମରେ ଡ଼ଃ ସୁମନ ଦତ୍ତ, ଶର୍ମିଳା ଦତ୍ତ, ବିନୋଦ କୌଶଲ ପ୍ରମୁଖ ସହରର ବହୁ ବିଶିଷ୍ଟ ବ୍ୟକ୍ତି ମାନଙ୍କ ଉପସ୍ଥିତି ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲା । ସାଧାରଣ ସମ୍ପାଦକ ଶ୍ରୀ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ ।