- ପ୍ରତି ପଞ୍ଚାୟତ ପାଇଁ ୧୫ ହଜାର ଟଙ୍କାର ରିଭଲଭିଂ ଫଣ୍ଡ
- ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୧୦ କୋଟି ଟଙ୍କା ମଞ୍ଜୁର
ଭୁବନେଶ୍ୱର : ଗରିବ ଲୋକମାନେ ଯେପରି ତାଙ୍କ ପ୍ରିୟଜନଙ୍କ ଅନ୍ତେଷ୍ଟିକ୍ରିୟା ସଂପାଦନରେ କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି, ତାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଆରମ୍ଭ କରିଛନ୍ତି ହରିଶ୍ଚନ୍ଦ୍ର ସହାୟତା ଯୋଜନା । ଏହି ଯୋଜନାରେ ଅନ୍ତେଷ୍ଟି ପାଇଁ ଗ୍ରାମାଞ୍ଚଳରେ ଦୁଇ ହଜାର ଟଙ୍କା ଓ ସହରାଞ୍ଚଳରେ ତିନି ହଜାର ଟଙ୍କା ସହାୟତା ମିଳୁଥିଲା ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏହି ସହାୟତାକୁ ଗ୍ରାମାଞ୍ଚଳ ପାଇଁ ଦୁଇ ହଜାରରୁ ତିନି ହଜାର ଟଙ୍କା ଏବଂ ସହରାଞ୍ଚଳ ଓ ପୁରୀ ସ୍ୱର୍ଗଦ୍ୱାର ପାଇଁ ତିନି ହଜାରରୁ ଚାରି ହଜାର ଟଙ୍କାକୁ ବୃଦ୍ଧି କରାଯାଇଛି । ଏଥିନିମନ୍ତେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଏକ ରିଭଲଭିଂ ଫଣ୍ଡ ଖୋଲାଯାଇ ଏଥିପାଇଁ ୧୫ ହଜାର ଟଙ୍କା ଲେଖାଏଁ ଅର୍ଥ ପ୍ରଦାନ କରାଯାଇଛି ।
ସୂଚନାଯୋଗ୍ୟ ଯେ ହରିଶ୍ଚନ୍ଦ୍ର ସହାୟତା ଖର୍ଚ୍ଚ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଭରଣା କରାଯାଉଛି । ସାରା ରାଜ୍ୟର ସମସ୍ତ ପଞ୍ଚାୟତର ରିଭଲଭିଂ ଫଣ୍ଡ ପାଇଁ ୧୦ କୋଟି ୧୯ ଲକ୍ଷ ୧୦ ହଜାର ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ମଞ୍ଜୁର କରାଯାଇଛି ।
ଏହି ନୂତନ ପ୍ରକ୍ରିୟାକୁ ତଦାରଖ କରିବା ପାଇଁ ଗ୍ରାମ ପଞ୍ଚାୟତ ଏକ୍ସଟେନସନ୍ ଅଫିସର କିମ୍ବା ଅନ୍ୟ କୌଣସି ବ୍ଲକସ୍ତରୀୟ ଏକ୍ସଟେନସନ୍ ଅଫିସରଙ୍କୁ ଦାୟିତ୍ୱ ଦିଆଯାଇଛି । ବର୍ଦ୍ଧିତ ସହାୟତା ପାଇଁ ଯୋଜନାର ସଫ୍ଟୱାରରେ ଆବଶ୍ୟକ ପରିବର୍ତ୍ତନ କରାଯିବା ସହିତ ଜିଲ୍ଲାୱାରୀ ଗ୍ରାମ ପଞ୍ଚାୟତ ତାଲିକା ମଧ୍ୟ ପ୍ରସ୍ତୁତ କରାଯାଇସାରିଛି ।