କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଆସନ୍ତାକାଲି କନ୍ଧମାଳବାସୀଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟକଲ୍ୟାଣ ଯୋଜନାରେ ସ୍ମାର୍ଟ ହେଲଥ୍ କାର୍ଡର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟ ସରକାରଙ୍କ ଏହି ଭଳି ପ୍ରୟାସ ଯୋଗୁଁ ଗରିବ ଲୋକେ ଅର୍ଥାଭାବରୁ ଚିକିତ୍ସା କରାଇ ନ ପାରିବାର ଭୟ ଦୂର ହେବାରେ ଲାଗିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ସଫଳ ଯୋଜନା ଏବେ ଗରିବଙ୍କ ମୁହଁରେ ହସ ଫୁଟାଇବାରେ ସହାୟକ ହୋଇପାରିଛି । ଏହା ସହିତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ ଓ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସନ୍ତାକାଲି ହେଲିକେପ୍ଟର ଯୋଗେ ପୂର୍ବାହ୍ନ ୧୧ଟା ବେଳେ ଆସି ଫୁଲବାଣୀ ସ୍ଥିତ ଷ୍ଟାଡିୟମରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ସେଠାରେ ଆୟୋଜିତ ଏକ ସାଧାରଣ ସଭାରେ ସମ୍ବୋଧିତ କରିବା ସହ କନ୍ଧମାଳ ଜିଲ୍ଲାବାସୀଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ହେଲଥ୍ କାର୍ଡ ଯୋଜନାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାରେ କନ୍ଧମାଳ ଜିଲ୍ଲାର ୧୨ଟି ବ୍ଲକ ଓ ୩ଟି ପୌରାଞ୍ଚଳରେ ୧ ଲକ୍ଷ ୬୫ ହଜାର ୯୭ ଜଣ ହିତାଧିକାରୀ ସ୍ମାର୍ଟ ସ୍ୱାସ୍ଥ୍ୟସେବା ପାଇବେ । ଯେଉଁଥିରେ ପରିବାରର ପ୍ରତି ସଦସ୍ୟଙ୍କ ପାଇଁ ୫ ଲକ୍ଷ ଓ ମହିଳାଙ୍କ ପାଇଁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ଖର୍ଚର ସୁବିଧା ରହିଛି । ଦେଶର ୨ ଶହ ବଡ ବଡ ବଛା ବଛା ହସପିଟାଲରେ ଏହି ସ୍ମାଟ ହେଲଥ୍ କାର୍ଡ ମାଧ୍ୟମରେ ଚିକିତ୍ସା ସେବା ପାଇ ପାରିବେ ଗରୀବ ଲୋକେ । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ କଂଗ୍ରେସ ପକ୍ଷରୁ ତୀବ୍ର ବିରୋଧ କରାଯିବ ବୋଲି କୁହାଯିବା ପରେ ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଫୁଲବାଣୀ ସହରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରାଯିବ ବୋଲି ପୋଲିସ ଅଧିକାରୀ କହିଛିନ୍ତି । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ମାତ୍ର ୨୫୦ ଜଣ ହିତାଧିକାରୀଙ୍କୁ ସ୍ମାର୍ଟ ହେଲଥ୍ କାର୍ଡ ବଣ୍ଟନ କରାଯିବ । ମୁଖ୍ୟମନ୍ତ୍ରୀ କେବଳ ୮/୧୦ ଜଣଙ୍କୁ ପ୍ରଦାନ କରିବା ବେଳେ ବାକି ଉପସ୍ଥିତ ମନ୍ତ୍ରୀ ଓ ସାଂସଦମାନେ ପ୍ରଦାନ କରିବେ । ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ପାଖାପାଖି ୨୦ ପ୍ଲାଟୁନ ପୋଲିସ ସମେତ ଅତିରିକ୍ତ ଏସ୍ପି, ଡିଏସ୍ପି, ଆଇଆଇସି, ଏସ୍ଆଇ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିୟୋଜିତ କରାଯିବ ବୋଲି ଜଣାପଡିଛି । ମୁଖ୍ୟମନ୍ତ୍ରୀଙ୍କ ଏହି ସଫଳ ଯୋଜନା ସମଗ୍ର କନ୍ଧମାଳ ଜିଲ୍ଲାର ୬ ଲକ୍ଷରୁ ଅଧିକ ଲୋକଙ୍କ ମୁହଁରେ ହସ ଫୁଟାଇବ ।