ମୁଖ୍ୟମନ୍ତ୍ରୀଙ୍କ ବରଗଡ଼ ଜିଲ୍ଲା ଗସ୍ତ ପାଇଁ ବ୍ୟାପକ ପ୍ରସ୍ତୁତି

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବରଗଡ଼ ଜିଲ୍ଲା ଗସ୍ତ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚିଛି । ବିଜେପୁର ନିକଟସ୍ଥ ଏମ ଗଣ୍ଡପାଲିଠାରେ ଥିବା ମିନି ଷ୍ଟାଡିୟମଠାରେ ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଁଚି ଥିବା ଜଣାପଡିଛି । ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଏବଂ ଜିଲ୍ଲା ଏସ୍‌ପି ରାହୁଲ ଜୈନ ସଭା ସ୍ଥଳରେ ପହଞ୍ଚି ସମସ୍ତ ପ୍ରକାର ଆୟୋଜନର ତଦାରଖ କରିଥିଲେ । ଏହି ସଭା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଗତକାଲି ଠାରୁ କଡ଼ା କରାଯାଇଥିବା ଜିଲ୍ଲା ଏସ୍‌ପି ରାହୁଲ ଜୈନ ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୋଲିସ ପକ୍ଷରୁ ୨ ଜଣ ଅତିରିକ୍ତ ଏସପି, ୧୦ ଜଣ ଡିଏସ୍‌ପି, ୧୫ ଜଣ ଇନ୍ସପେକ୍ଟର, ୨୫ ଜଣ ସବ ଇନସ୍ପେକ୍ଟର, ୪୦ ଜଣ ଏଏସ୍‌ଆଇଙ୍କ ସମେତ ୨୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ସେହିପରି ଟ୍ରାଫିକ ଏବଂ ପାର୍କିଂ ବ୍ୟବସ୍ଥା କରାଯାଇଛି ବୋଲି ସୂଚନା ଦେଇଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟସୂଚୀ ଅନୁଯାୟୀ ସେ ଭୁବନେଶ୍ୱରରୁ VT-JMG GT ପ୍ଲେନରେ ପଦ୍ମପୁର ସ୍ଥିତ ସତୀଭଟା ବିମାନ ବନ୍ଦରରେ ଦିନପ୍ରାୟ ୧୧.୦୫ରେ ପହଞ୍ଚି ସେଠାରୁ ଅଗଷ୍ଟ ୧୦୯ VT-ODH ହେଲିକପ୍ଟରରେ ମିନି ଷ୍ଟାଡିୟମଠାରେ ନିର୍ମିତ ଅସ୍ଥାୟୀ ହେଲିପ୍ୟାଡରେ ଓହ୍ଲାଇ ମଧ୍ୟାହ୍ନ ୧୧.୫୯ ମିନିଟରେ ସଭା ସ୍ଥଳିରେ ପହଞ୍ଚିବେ । ସେଠାରେ (୨୬ମିନିଟ) କାର୍ଯ୍ୟକ୍ରମରେ ଯୋଗ ଦେଇ ପୁଣି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିବେ । ଅଧଘଣ୍ଟା ଧରି ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟତଃ ୨୫୦ଜଣ ହିତାଧିକାରୀଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ କରାଯିବ। ସେହିପରି ୨୯୫ କୋଟି ଟଙ୍କାର ୧୫୦ଟି ବିଭିନ୍ନ ଜନ କଲ୍ୟାଣକାରି ଯୋଜନାର ଭିତ୍ତି ପ୍ରସ୍ତର ସ୍ଥାପନ ଓ ଉଦ୍‌ଘାଟନ କରିବେ । ଏହି ସଭାରେ ସଂପୂର୍ଣ୍ଣ କୋଭିଡ ଗାଇଡ ଲାଇନ ଅନୁସାରେ ଆୟୋଜନ ହେଉଛି । ଏଥିରେ ଯୋଗ ଦେଉଥିବା ସମସ୍ତଙ୍କର ଆର୍‌ଟିପିସିଆର୍‌ ଟେଷ୍ଟ ହୋଇଥିବା ଜିଲ୍ଲାପାଳ ମୋନୀଷା ବାନାର୍ଜୀ କହିଛନ୍ତି ।

Leave A Reply

Your email address will not be published.