ମୁଖାବନ୍ଧା ଯୁବକଙ୍କ ଦୌରାତ୍ମ୍ୟ : ଛୁରା ମାଡରେ ଯୁବତୀ ଗୁରୁତର

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ସହରରେ ଦୁଇ ଜଣ ମୁଖାପିନ୍ଧା ଯୁବକଙ୍କ ଛୁରା ମାଡରେ ଜଣେ ଯୁବତୀ ଗୁରୁତର ହୋଇଥିବା ଅଭିଯୋଗ ହୋଇଛି । ଗୁରୁତର ଯୁବତୀ ଜଣକ ସ୍ଥାନୀୟ ଇନ୍ଦିରା କଲୋନୀର ପୁଷ୍ପାଞ୍ଜଳି ଅଦା(୨୭) ବୋଲି ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ ସୋମବାର ରାତି ୯ ଟାରେ ଇନ୍ଦିରା କଲୋନୀର ତୀର୍ଥ ଅଦାଙ୍କ ଝିଅ ପୁଷ୍ପାଞ୍ଜଳି ତାରିଣୀ ମନ୍ଦିର ନିକଟକୁ ବୁଲିବାକୁ ଆସିଥିଲେ । ଏହି ସମୟରେ ଦୁଇ ଜଣ ମୁଖାପିନ୍ଧା ଯୁବକ ଆସି ପେପର କଟା ଛୁରୀରେ ଆକ୍ରମଣ କରିଥିଲେ । ଏଥିରେ ଯୁବତୀ ଜଣକ ଲହୁଲୁହାଣ ହୋଇଥିଲେ । ଘଟଣା ସ୍ଥଳରେ ପରିବାର ଲୋକେ ପହଂଚି ଯୁବତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ଯୁବତୀଙ୍କ ବାମ ଗାଲରେ କ୍ଷତ ଲାଗିଥିବା ବେଳେ ଏଥିରେ ୧୪ଟି ଷ୍ଟିଚ ଲାଗିଛି । ରାତିରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚାପା ଉତ୍ତେଜନା ଦେଖା ଦେଇଛି । ସଦର ପୁଲିସର ଏକ ଟିମ୍‌ ହସ୍ପିଟାଲରେ ପହଂଚି ଗୁରୁତର ଯୁବତୀଙ୍କୁ ପଚରା ଉଚୁରା ଚଳାଇଥିବା ବେଳେ ଅନ୍ୟ ଏକ ଟିମ୍‌ ଇନ୍ଦିରା କଲୋନୀରେ ପହଂଚି ଛାନଭିନ ଚଲାଇଥିବା ଏସ୍‌ଆଇ ବିନୋଦ ବିହାରୀ ସେଠୀ ସୂଚନା ଦେଇଛନ୍ତି । ତେବେ ଯୁବତୀଙ୍କ ଗଳା କାଟିବାକୁ ଉଦ୍ୟମ କରିବା ବେଳେ ଗାଲରେ ଛୁରୀ ବାଜିଥିଲା ।

Leave A Reply

Your email address will not be published.