- ସାହିତ୍ୟ ଜଗତରେ ମହୁରିର ଭୂମିକା ଅନବଦ୍ୟ, ଅନନ୍ୟ
- ଡ. ପ୍ରୀତିଧାରା ସାମଲ ଓ ଡ. ନୃପରାଜ ସାହୁଙ୍କୁ ମହୁରି ସମ୍ମାନ
ସୁବର୍ଣ୍ଣପୁର, (ରାଜ କିଶୋର ତ୍ରିପାଠୀ) : ମଣିଷ ମନର ଆବେଗକୁ ପରିପ୍ରକାଶ କରିବା ପାଇଁ ସାହିତ୍ୟ ହିଁ ଏକମାତ୍ର ଉପଯୁକ୍ତ ମାଧ୍ୟମ । ସାହିତ୍ୟ ସାଧନା ସୁଖ, ଦୁଃଖ, ଅଭାବ ଓ ଅସୁବିଧା ଦେଖେ ନାହିଁ । ସେହିପରି ସାହିତ୍ୟରେ ଶବ୍ଦ, ଛନ୍ଦ, ଅଳଙ୍କାର ଅପେକ୍ଷା ଭାବ ହିଁ ମୁଖ୍ୟ ଉପଜୀବ୍ୟ ହୋଇଥାଏ । ଜୀବନକୁ ଛୁଇଁ ଛୁଇଁ ଯାଉଥିବା ପ୍ରସଙ୍ଗ ସବୁକୁ ନିଜର ପ୍ରତିଟି ପୃଷ୍ଠାରେ ତୋଳି ଧରି ମହୁରି ଆଜି ସାହିତ୍ୟ ଜଗତରେ ଏକ ଭିନ୍ନ ପରିଚୟ ତିଆରି କରିଛି । କବି, ଲେଖକ, ସାହିତ୍ୟିକ ସମସ୍ତଙ୍କୁ ନିଜର କରି ପାରୁଥିବା ମହୁରି ପତ୍ରିକା ସତରେ ସାହିତ୍ୟ ଜଗତରେ ଅନବଦ୍ୟ ଓ ଅନନ୍ୟ ବୋଲି ଆଜି ସୁବର୍ଣ୍ଣପୁରସ୍ଥିତ ସଂସ୍କୃତି ଭବନଠାରେ ଅନୁଷ୍ଠିତ ଅଷ୍ଟାଦଶ ମହୁରି ମହୋତ୍ସବ ଅବସରରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି । କଳାହାଣ୍ଡି କବିତା ଆନ୍ଦୋଳନର ଶାଶ୍ୱତ ସ୍ପନ୍ଦନ ମହୁରି ସାହିତ୍ୟ ପତ୍ରିକା ପକ୍ଷରୁ ଏହାର ଅଷ୍ଟାଦଶ ବାର୍ଷିକ ଉତ୍ସବ ସୁବର୍ଣ୍ଣପୁରଠାରେ ଅନୁଷ୍ଠିତ ହୋଇଯାଇଛି । ମହୁରିର ମୁଖ୍ୟ ସଂପାଦକ ଡ. ଭବାନୀଶଙ୍କର ନିଆଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ମହୋତ୍ସବରେ ମୁଖ୍ୟଅତିଥି ଭାବେ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ବରିଷ୍ଠ ଲେଖକ ପ୍ରଫେସର ନାରାୟଣ ପଣ୍ଡା ଯୋଗ ଦେଇଥିଲେ । ବିଶିଷ୍ଟ ଅତିଥି ଭାବେ ଗାଳ୍ପିକ ତଥା ସୁବର୍ଣ୍ଣପୁର ଜିଲ୍ଲାପାଳ ଡ. ନୃପରାଜ ସାହୁ, କବି ଡ. ପ୍ରୀତିଧାରା ସାମଲ ମଞ୍ଚାସୀନ ଥିଲେ । ମହୁରିର ସମ୍ପାଦକ ତଥା ଗାଳ୍ପିକ ସୁକାନ୍ତ ସାହୁ ସ୍ୱାଗତ ଅଭିଭାଷଣ ଦେଇଥିବାବେଳେ ସୁଶୀଲ କୁମାର ସଭା ପରିଚାଳନା କରିଥିଲେ । ଏହି ଅବସରରେ ଡ. ପ୍ରୀତିଧାରା ସାମଲଙ୍କୁ ମହୁରି ସମ୍ମାନ-୨୦୨୪ ଓ ଡ. ନୃପରାଜ ସାହୁଙ୍କୁ ମହୁରି ସମ୍ମାନ-୨୦୨୫ ପ୍ରଦାନ କରାଯାଇଥିଲା । ଦ୍ଵିତୀୟ ଅଧିବେଶନରେ ଅନୁଷ୍ଠିତ ହୋଇଥିଲା ରାଜ୍ୟସ୍ତରୀୟ କବିତା ପାଠୋତ୍ସବ । ମହାନଦୀ ସାହିତ୍ୟ ସଂସଦର ସଭାପତି ଡ. ସୌରଭ ରଞ୍ଜନ ଖମାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କବିତା ପାଠୋତ୍ସବରେ ଅତିଥି ଭାବେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ଜ୍ୟୋତିରଞ୍ଜନ ବହିଦାର, ଉଲୁଣ୍ଡା ସ୍ଥିତ ପଞ୍ଚାୟତ ସମିତି ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଦେବାଶିଷ ପାଣ୍ଡିଆ, ଶିକ୍ଷାବିତ ଓ ଗବେଷକ ଡ. ଅନିରୁଦ୍ଧ କୁରକୁରିଆ, ଅଧ୍ୟାପିକା ଡ. ଇତିଶ୍ରୀ ଦାଶ ପ୍ରମୁଖ ମଞ୍ଚାସୀନ ଥିଲେ । କବି ଲକ୍ଷ୍ମୀ ନାରାୟଣ ସାହୁ, ରଞ୍ଜିତା ପଣ୍ଡା କବିତା ପାଠ ଉତ୍ସବର ସଂଯୋଜନା କରିଥିଲେ । ଏହି ଅବସରରେ ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ୩୦ରୁ ଉର୍ଦ୍ଧ୍ଵ କବି ଯୋଗ ଦେଇ ସ୍ୱରଚିତ କବିତା ପାଠ କରିଥିଲେ । ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ରାଜେନ୍ଦ୍ର ମାଝୀ, ଅତିରିକ୍ତ ଜିଲ୍ଲାପାଳ ଆଞ୍ଜେଲିନା ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଡ. ଅଶ୍ୱିନୀ ମେହେର, ଉପଜିଲ୍ଲାପାଳ ଡ. ସୌମ୍ୟାରୂପା ରଥ, ଜିଲ୍ଲା ପଞ୍ଚାୟତ ତଥା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅର୍ଜୁନ ମାଝୀ, ଜିଲ୍ଲା ସଂସ୍କୃତି ଅଧିକାରୀ ଯମୁନା ପ୍ରଧାନ, ସହକାରୀ ଜିଲ୍ଲାପାଳ ସତ୍ୟବ୍ରତ ସାହୁଙ୍କ ସହିତ ଜିଲ୍ଲାସ୍ତରୀୟ ଅନ୍ୟାନ୍ୟ ଅଧିକାରୀଗଣ ଉପସ୍ଥିତ ଥିଲେ । ଏଥିରେ ବହୁସଂଖ୍ୟକ କବି ଓ ଲେଖକ ତଥା ସାହିତ୍ୟପ୍ରେମୀ ଜନସାଧାରଣ ସାମିଲ ହୋଇଥିଲେ । ଏହି ଉତ୍ସବରେ ସୁବର୍ଣ୍ଣପୁର ସହରର ବୁଦ୍ଧିଜୀବୀ ବୃନ୍ଦ, ବରିଷ୍ଠ ନାଗରିକ ବୃନ୍ଦ, ସ୍ୱଚ୍ଛ ଭାରତ ସଂଗଠନ, ମାନମୁଣ୍ଡା ସୋନପୁର, ସୁବର୍ଣ୍ଣପୁର ସହରର ବିଭିନ୍ନ ସଙ୍ଗଠନ ଗୁଡିକର ପ୍ରତିନିଧି ମାନଙ୍କ ସହିତ ବିଭିନ୍ନ ମହାବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ । ସେହିପରି ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିମାନେ ଉପସ୍ଥିତ ଥିଲେ ।