ସ୍କାନ ଷ୍ଟିଲ କାରଖାନାରେ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା କୁତ୍ରା ଥାନା ଅନ୍ତର୍ଗତ ଗଙ୍ଗାଜଳ ସ୍ଥିତ ସ୍କାନ ଷ୍ଟିଲ ୟୁନିଟ୍ ୨ କାରଖାନାରେ ଜଣେ କାର୍ଯ୍ୟରତ କର୍ମଚାରୀଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ଗଙ୍ଗାଜଳ ଗ୍ରାମର ପଟ୍ଟନାୟକ ଲାକଡା (୫୦) ବୋଲି ଜଣାପଡିଛି । ସେ ସ୍କାନ ଷ୍ଟିଲରେ ଦୀର୍ଘ ୨୦ ବର୍ଷ ହେବ ମେକାନିକାଲ ଇନଚାର୍ଜ ଭାବେ କାର୍ଯ୍ୟରତ ଥିଲେ । ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ରାତିରେ ପଟ୍ଟନାୟକଙ୍କୁ ଗୁରୁତର ଅବସ୍ଥାରେ କୁତ୍ରା ଡାକ୍ତରଖାନାକୁ ନିଆଯାଇଥିଲା । ପରେ ସେଠାରୁ ରାଜଗାଙ୍ଗପୁର ଡାକ୍ତରଖାନା ନେବା ବାଟରେ ତାଙ୍କ ମୃତ୍ୟୁ ହୋଇଯାଇଥିବା କୁହାଯାଇଛି । ମୃତଦେହକୁ ରାଜଗାଙ୍ଗପୁର ଡାକ୍ତରଖାନା ସ୍ଥିତ ମର୍ଗ ହାଉସରେ ରଖାଯାଇଛି । ତେବେ କେଉଁ ସ୍ଥିତିରେ ସେ ଗୁରୁତର ହେଲେ, ସେ ସମ୍ପର୍କରେ କାରଖାନା କର୍ତ୍ତୃପକ୍ଷ କିଛି କହୁ ନଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି । ଏହି ଘଟଣାକୁ ନେଇ କାରଖାନା ଆଗରେ ଉତ୍ତେଜନା ଲାଗି ରହିଛି । ଉତ୍ତ୍ୟକ୍ତ ଜନତା ଏହି ପ୍ଲାଣ୍ଟ ଭିତରକୁ କାହାରିକୁ ଯିବା ପାଇଁ ଦେଉନଥିବା ଜଣାପଡିଛି । ପରିବାର ଲୋକ ଏବଂ ଗ୍ରାମବାସୀ ମୃତ୍ୟୁର ତଦନ୍ତ ସହ କ୍ଷତିପୂରଣ ଦାବୀ କରି କାରଖାନା ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି ।

Leave A Reply

Your email address will not be published.