ଖପ୍ରାଖୋଲ, (ଅଶୋକ କୁମାର ବାଗ) : ଖପ୍ରାଖୋଲ ବ୍ଲକ ଘୁନସର ପଞ୍ଚାୟତ ଅନ୍ତର୍ଗତ ପିଙ୍ଗଲମୁଣ୍ଡା ଗାଁର ଯୁବ ଦାଦନ ଶ୍ରମିକ ଇଶ୍ଵର ରାୟ (୨୩)ଙ୍କ ମୃତ୍ୟୁ ଗୁଜୁରାଟର ଗାନ୍ଧୀଧାମରେ ଘଟିଥିବା ଖବର ମିଳିଛି । ଗତ ମାସ ତଳେ ସେ କାମ ନିମନ୍ତେ ସେଠାକୁ ଯାଇଥିଲେ ବୋଲି ପରିବାର ସୂତ୍ରରୁ ଜଣାଯାଇଛି । ଗୁଜୁରାଟ ରାଜ୍ୟ ସ୍ଥିତ ଗାନ୍ଧୀଧାମ ଥାନା ଅନ୍ତର୍ଗତ ପାଟଣା ଠାରେ ଗାୟତ୍ରୀ ପେଟ୍ରୋଲ ପମ୍ପ ନିକଟରେ ଥିବା ଅଗ୍ରୱାଲ କାଠ କାରଖାନାରେ ଈଶ୍ଵର କାମ କରୁଥିଲେ । କାମ କରୁଥିବା ସମୟରେ କିଛିଦିନ ପୂର୍ବରୁ ତାଙ୍କ ସହ ଦୁର୍ଘଟଣା ଘଟିଥିବା ପରିବାର ଲୋକ କହିଛନ୍ତି । ସେହି ଦୁର୍ଘଟଣା ପରେ ତାଙ୍କ ସ୍ୱାସ୍ଥ୍ୟ ଅବନତି ହୋଇ ଅବଶେଷରେ ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ମୃତଦେହ ଗାଁକୁ ଆସୁଥିବା ସୂଚନା ମିଳିଛି ଓ ପରିବାର ଏବଂ ଗ୍ରାମବାସୀ ଶୋକାକୁଳ ଅବସ୍ଥାରେ ଅଛନ୍ତି । ଏପର୍ଯ୍ୟନ୍ତ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ପକ୍ଷରୁ କୌଣସି ସୁଚନା ବା ପଦକ୍ଷେପ ନିଆଯାଇନଥିବାରୁ ଗ୍ରାମବାସୀ ଓ ସାମାଜିକ କର୍ମୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେମାନେ ଦାବି କରିଛନ୍ତି ଯେ, ଦାଦନ ଶ୍ରମିକଙ୍କ ସୁରକ୍ଷା, ରେଜିଷ୍ଟ୍ରେସନ ଓ ବୀମା ବ୍ୟବସ୍ଥା ନେଇ ସରକାର ଗୁରୁତର ଭାବେ ଚିନ୍ତା ଆବଶ୍ୟକ । ଗ୍ରାମରେ ଏହି ଦୁଃଖଦ ଘଟଣା ପରେ ଶୋକ ଓ ଆକ୍ରୋଶର ପରିବେଶ ସୃଷ୍ଟି ହୋଇଛି ।