କର୍ଲାକୁଟୁନା ଗାଁରେ ପାଣିରେ ବୁଡି ମହିଳାଙ୍କ ମୃତ୍ୟୁ

ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ଥାନା ଅନ୍ତର୍ଗତ କର୍ଲାକୁଟୁନା ଗାଁରେ ପାଣିରେ ବୁଡି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତ ଯୁବତୀ ଜଣକ ହେଲେ ଉକ୍ତ ଗାଁର ଭାବଗ୍ରାହୀ ବରିହାଙ୍କ ସ୍ତ୍ରୀ ଅନୁପମା ବରିହା (୨୨) ବୋଲି ଜଣାଯାଇଛି । ସୂଚନା ଅନୁସାରେ ମହିଳା ଜଣକ ଖେତ ପାଖ ଚହଲାକୁ ଗାଧୋଇ ଯାଇଥିବା ବେଳେ ପାଣିରେ ବୁଡି ଗୁରୁତର ହୋଇଥିଲେ । ତାଙ୍କ ପରିବାର ଲୋକ ଉଦ୍ଧାର କରି ଖପ୍ରାଖୋଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ମୃତ ବୋଲି କହିଥିଲେ । ଏନେଇ ଖବର ପାଇ ଖପ୍ରାଖୋଲ ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିଥିଲେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ର ମଧ୍ୟ ପହଞ୍ଚି ମୃତ୍ୟୁ ସମ୍ପର୍କରେ ପଚାରି ବୁଝିଥିଲେ । ଏନେଇ ଖପ୍ରାଖୋଲ ଥାନା କେସ ନମ୍ବର ୧/୨୩ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ ଚାଲିଥିବା ନେଇ ଥାନା ଏଏସ୍‌ଆଇ ଗୋପାଳକୃଷ୍ଣ କୁମୁରା ପ୍ରକାଶ କରିଛନ୍ତି । ଶବ ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲା । ମହିଳାଙ୍କୁ ପୂର୍ବରୁ ଅପସ୍ୱାର ରୋଗ ଥିବା ପରିବାର ଲୋକ କହିଛନ୍ତି । ସୂଚନାଯୋଗ୍ୟ ଯେ, ମୃତ ମହିଳାଙ୍କ ଏକ ବର୍ଷର ଏକ ଝିଅ ଅଛି ।

Leave A Reply

Your email address will not be published.

error: Content is protected !!