କପା ବାଡ଼ିରୁ ଏକ ମାଈ ହାତୀର ମୃତଦେହ ଠାବ

ରାୟଗଡା, (ଅକ୍ଷୟ କୁମାର ପିଡ଼ିସିକା) : ଗୁଣୁପୁର ବନାଞ୍ଚଳ ଚିମ୍ପାପୁରର ଏକ କପା ବାଡ଼ିରୁ ଗତକାଲି ବିଳମ୍ବିତ ରାତ୍ରିରେ ଏକ ମାଈ ହାତୀର ମୃତଦେହ ଠାବ କରାଯାଇଛି । ନିକଟରେ ଥିବା ବିଦ୍ୟୁତ୍‌ ପୋଲକୁ ହାତୀଟି ଭାଙ୍ଗିବା ପାଇଁ ଚେଷ୍ଟା କରୁଥିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ହାତୀର ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି । ବନାଞ୍ଚଳ ଅଧିକାରୀଙ୍କ ଠାରୁ ମିଳିଥିବା ସୂଚନା ଅନୁସାରେ ଏହି ହାତୀଟି ଆନ୍ଧ୍ରପ୍ରଦେଶ ଶିକାକୁଲମର କୋଟ୍ରାଗୁଡା ଜଙ୍ଗଲରୁ ଅନ୍ୟ ଏକ ହାତୀ ସହ ଆସି ଗୁଣୁପୁର ବନାଞ୍ଚଳରେ ଘୁରି ବୁଲୁଥିଲା । ଏହି ହାତୀପଲର ୬ଟି ହାତୀ ମଧ୍ୟରୁ ୪ଟି ହାତୀ ଆନ୍ଧ୍ର ଜଙ୍ଗଲରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ବିଗତ ବର୍ଷ ମୃତ୍ୟୁ ବରଣ କରିଥିଲେ । ଏହି ପଲର ଅନ୍ୟ ୨ ହାତୀ ଚଳିତ ବର୍ଷ ଗୁଣୁପୁର ବନଖଣ୍ଡକୁ ଚାଲିଆସିଥିଲେ । କିନ୍ତୁ ବିଗତ ରାତିରେ ଏହି ୨ ହାତୀ ଚିମ୍ପାପୁର ନିକଟରେ ଥିବା କପା ବାଡ଼ିରେ ପଶିବା ପରେ ବିଦ୍ୟୁତ୍‌ ଖୁଣ୍ଟକୁ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ବିଦ୍ୟୁତ୍‌ ଖୁଣ୍ଟ ନଇଁ ପଡିବାରୁ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମାଈ ହାତୀଟିର ମୃତ୍ୟୁ ହୋଇଛି । ଏହି ହାତୀପଲର ଶେଷ ହାତୀଟି ମଧ୍ୟ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଆଘାତ ହେଇଥିବା ନେଇ ସ୍ଥାନୀୟ ଲୋକେ ସନ୍ଦେହ କରୁଛନ୍ତି ।

Leave A Reply

Your email address will not be published.