ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ପାଟଣାଗଡ଼, (ସଦାଶିବ ସରାଫ) : ପାଟଣାଗଡ଼ ଉପଖଣ୍ଡର ଲରମ୍ଭା ଥାନା ଅନ୍ତର୍ଗତ ଇନ୍ଦୁପୁର ଗାଁରେ ଯୌତୁକ ଜନିତ ହତ୍ୟା ଅଭିଯୋଗ ଆଣିଛନ୍ତି ମୃତ ମହିଳାଙ୍କ ବାପା । ସୂଚନା ଅନୁସାରେ ଖପ୍ରାଖୋଲ ଥାନା ଅନ୍ତର୍ଗତ କଟାପାଲି ଗ୍ରାମର ସୁବଳ କଠାରଙ୍କ ଝିଅ ସଂଗୀତାଙ୍କୁ ଲରମ୍ଭା ଥାନା ଅନ୍ତର୍ଗତ ଇନ୍ଦୁପୁର ଗାଁର ଗୋକୁଳ ଛତରଙ୍କ ପୁଅ ସାଧୁଚରଣ ଛତର ୨୦୧୮ ମସିହାରେ ବିବାହ କରିଥିଲେ । ବିବାହକୁ ପାଞ୍ଚ ବର୍ଷ ହୋଇ ସାରିଥିଲେ ମଧ୍ୟ ମଝି ମଝିରେ ଶାଶୁଘର ଲୋକ ନିର୍ଯ୍ୟାତନା ଦେଇ ଆସୁଥିଲେ । ଏହି ଘଟଣା ଖବର ପାଇ ସଂଗୀତାଙ୍କ ପରିବାର ଲୋକ ଆସି ବୁଝାସୁଝା କରି ଫେରିଯାଇଥିଲେ । ଅଭିଯୋଗ ଅନୁସାରେ ଏକ ମୋଟର ସାଇକେଲ ପାଇଁ ବାରମ୍ବାର ସ୍ୱାମୀ ଓ ଶାଶୁ ମାଡ଼ ମାରୁଥିବା ବେଳେ ଗତକାଲି ଦିନ ୧୨ ଘଣ୍ଟା ସମୟରେ ସଂଗୀତାଙ୍କୁ ଶାଶୁ ଘର ଲୋକେ ତଣ୍ଟି ଚିପି ବେକରେ ଦଉଡି ଦେଇ ହତ୍ୟା କରିଥିବା ଝିଅର ବାପା ଲରମ୍ଭା ଥାନାରେ ଏତଲା ଦେଇଛନ୍ତି । ଏତଲା ଅନୁସାରେ ଲରମ୍ଭା ପୋଲିସ ଏକ ଯୌତୁକ ଜନିତ ହତ୍ୟାକାଣ୍ଡ ଅଭିଯୋଗରେ ଏକ ମକଦ୍ଦମା ରୁଜୁ କରି ଭାରତୀୟ ଦଣ୍ଡବିଧି ଅନୁଯାୟୀ ୪୯୮(ବ)୩୦୨ /୩୪ ଓଚଉ/୪ ୟକ୍ଟ୍ର ଅନୁସାରେ ଏକ ମକଦ୍ଦମା କରି ସ୍ୱାମୀ ସାଧୁଚରଣ କଠାରଙ୍କୁ ଥାନାରେ ଅଟକ ରଖି ଅଧିକ ତଦନ୍ତ ଚଳାଇଥିବା ଜଣାପଡିଛି । ଆଜି ଘଟଣାସ୍ଥଳକୁ ମାଜିଷ୍ଟ୍ରେଟ ଓ ବଲାଙ୍ଗିରରୁ ସାଇଣ୍ଟିଫିକ୍‌ ଟିମ ପହଞ୍ଚି ତଦନ୍ତ କରି ବ୍ୟବଚ୍ଛେଦ ପାଇଁ ଶବକୁ ପଠାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.