ଡମେନବାହି ଡୁଙ୍ଗରି ଉପରେ ବିଶାଳକାୟ ବରାହର ମୃତଦେହ ଉଦ୍ଧାର : ଶିକାରୀମାନଙ୍କ ଦ୍ୱାରା ହତ୍ୟା କରାଯାଇଥିବା ସନ୍ଦେହ

ଖପ୍ରାଖୋଲ, ( ଅଶୋକ ବାଗ) : ବରାହ ମାଂସ ଖାଇବା ଲାଗି କେଉଁ ଆଦିମ କାଳରୁ ଲୋକମାନେ ବିଭିନ୍ନ ଉପାୟରେ ଶିକାର କରିଥାନ୍ତି । କେତେବେଳେ ପର୍ବ ପର୍ବାଣୀ ନାମରେ ଜଙ୍ଗଲରେ ବନ୍ୟ ପ୍ରାଣୀଙ୍କୁ ଶିକାର କରିବା ଏକ ପ୍ରଥା ଓ ପରମ୍ପରାର ଭାବେ ସମାଜରେ ଆଦ୍ରୁତ ଲାଭ କରିଆସିଛି । ଜନ ସଚେତନତାର ଅଭାବ ଯୋଗୁଁ ନିରିହ ବନ୍ୟ ପ୍ରାଣୀଙ୍କୁ ଶିକାରୀମାନଙ୍କ ଦ୍ୱାରା ଶିକାର ହେବାକୁ ପଡିଥାଏ । ଜଙ୍ଗଲୀ ପଶୁ ମାଂସକୁ କେତେକ ଲୋକ ଖାଇବା ପାଇଁ ପ୍ରବଳ ଜିହ୍ବା ଲାଳସାର ବଶବର୍ତ୍ତୀ ହୋଇ ପଶୁମାନଙ୍କୁ ବିଭିନ୍ନ ଉପାୟରେ ବଦ୍ଧ କରିଥାନ୍ତି । ସୂଚନାଯୋଗ୍ୟ ଯେ, ହରିଶଙ୍କର ବନାଞ୍ଚଳ କାର୍ଯ୍ୟାଳୟ ଠାରୁ ପାଖାପାଖି ତିନି କିଲୋମିଟର ଦୂରରେ ବଡଗୁର୍ଜିଭଟା ଗ୍ରାମରୁ ପୁଟକେଲଚୁଆଁ ଯିବା ବେଳେ ଘୁନସର ନିକଟସ୍ଥ ଡମେନବାହି ଡୁଙ୍ଗରି ଉପରେ ଗୋଟିଏ ବିଶାଳ ବରାହର ମୃତଦେହ କିଛି ଦିନ ହେଲା ପଡି ରହିଥିବାର ଜଣାଯାଇଛି । ବରାହର ମୃତଦେହ ପଚି ଯିବା ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି । ଏ ବିଷୟରେ ଖପ୍ରାଖୋଲ ବନବିଭାଗ ପାଖରେ କୌଣସି ଖବର ନଥିବା ଜଣାପଡିଛି । ଏ ବିଷୟରେ ଖପ୍ରାଖୋଲ ବନପାଳ ସୁଧୀର ଜେନାଙ୍କୁ ଯୋଗାଯୋଗ କରିଥିଲେ ମଧ୍ୟ ତାଙ୍କ ମୋବାଇଲ ବନ୍ଦ ଥିବା ଜଣାଯାଇଛି । ବରାହ ଶିକାର କରିବା ପାଇଁ କେତେକ ବ୍ୟକ୍ତି ବାରୁଦ ଗୁଳାରେ ଗୁଡ ସାମଗ୍ରୀ ବୋଳି ବରାହ ଯାତାୟତ ମାର୍ଗରେ ରଖି ଦେଇଥାନ୍ତି, ବରାହ ଖାଦ୍ୟ ଅନ୍ବେଷଣରେ ଯାଇ ଶିକାରୀ ଦ୍ବାରା ରଖାଯାଇଥିବା ଗୁଡ ବୋଳା ବାରୁଦ ଗୁଳାକୁ ଖାଇବାକୁ ଯାଇ ପ୍ରଚଣ୍ଡ ବିସ୍ଫୋରଣରେ ମତ୍ୟୁ ବରଣ କରିଥାନ୍ତି । ଶିକାରୀମାନେ ବରାହ ମାଂସ ନିଜେ ଖାଇ ଲୁଚା ଚୋରାରେ ବିକ୍ରୟ କରି ଦୁଇ ପଇସା ଲାଭାନ୍ୱିତ ହୋଇଥାନ୍ତି । ଏଭଳି ଅଭିନବ ଉପାୟ ଅବଲମ୍ବନ କରିବା ଫଳରେ ଖପ୍ରାଖୋଲ ଆଖପାଖ ଅଞ୍ଚଳରେ ବରାହମାନଙ୍କ ସଂଖ୍ୟା ଦ୍ରୁତ ଗତିରେ ହ୍ରାସ ପାଇବାରେ ଲାଗିଛି । ପୂର୍ବ ପରି ଏ ଅଞ୍ଚଳରେ ବରାହ ବହୁଳ ପରିମାଣରେ ଦେଖିବାକୁ ମିଳୁନାହିଁ । ବନବିଭାଗ ଏଦିଗରେ ଦୃଷ୍ଟିଦେଇ ସଠିକ ତଦନ୍ତ କରି ଦୋଷୀମାନଙ୍କୁ ଉଚିତ୍‌ ଦଣ୍ଡ ଦେବାକୁ ସାଧାରଣରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.