ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ଥାନା ସିମନବାଡି ପଞ୍ଚାୟତ ଦଡିବାଡ଼ି ଗ୍ରାମର ଯଶୋବନ୍ତ ନାୟକ(୫୦)ଙ୍କ ମୃତଦେହ ମଙ୍ଗଳବାର ସକାଳ ସମୟରେ ପୋଖରୀରୁ ଉଦ୍ଧାର କରାଯାଇଛି । ସୋମବାର ସେ ନିଖୋଜ ରହିଥିବା ବେଳେ ତାଙ୍କ ପୋଷାକ, ଚପଲ ଆଦି ପୋଖରୀ ହୁଡାରେ ରହିଥିବାରୁ ପରିବାର ଲୋକ ଓ ଗ୍ରାମବାସୀ ସେ ପୋଖରୀରେ ବୁଡ଼ିଯାଇଥିବେ ବୋଲି ସନ୍ଦେହ କରିଥିଲେ । ଦାରିଙ୍ଗବାଡି ଅଗ୍ନିଶମ ବିଭାଗର କର୍ମଚାରୀମାନେ ସନ୍ଧ୍ୟାରେ ଖୋଜାଖୋଜି କରିଥିଲେ ହେଁ ଅନ୍ଧାର ଯୋଗୁ ଯଶୋବନ୍ତଙ୍କୁ ଖୋଜିପାରି ନଥିଲେ । ମଙ୍ଗଳବାର ଭୋର ସମୟରେ ଯଶୋବନ୍ତଙ୍କ ପରିବାର ଲୋକ ପୁଣି ପୋଖରୀକୁ ଯାଇ ଖୋଜିବା ସମୟରେ ତାଙ୍କ ମୃତଦେହ ଭାସୁଥିବା ଦେଖି ଅଗ୍ନିଶମ ବିଭାଗ ଓ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଅଗ୍ନିଶମ ବିଭାଗ ମୃତଦେହ ପୋଖରୀରୁ ବାହାର କରିଥିଲେ । ଦାରିଙ୍ଗବାଡି ଥାନାର ସବଇନ୍ସପେକ୍ଟର ଜୟନ୍ତ ସେଠି ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିବା ସହ ମୃତଦେହ ଜବତ କରି ଦାରିଙ୍ଗବାଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଏନେଇ ପୋଲିସ ପକ୍ଷରୁ ଏକ ଅପମୃତ୍ୟୁ ରୁଜୁ କରାଯାଇ ଅଧିକା ତଦନ୍ତ କରାଯାଉଥିବା ପୋଲିସ କହିଛି । ସୂଚନାଯୋଗ୍ୟ ଯେ, ମୃତ ଯଶୋବନ୍ତ ପ୍ରତିଦିନ ଭଳି ସୋମବାର ଭୋର ୪ଟାରୁ ଘରୁ ବାହାରିଥିଲେ, ସନ୍ଧ୍ୟା ହୋଇଯାଇଥିଲେ ସୁଦ୍ଧା ସେ ଘରକୁ ନ ଫେରିବାରୁ ପରିବାର ଲୋକ ତାଙ୍କୁ ଖୋଜାଖୋଜି କରୁଥିଲେ, ଏହି ସମୟରେ ତାଙ୍କ ଦୀର୍ଘ ସମୟ ହେଲା ପୋଷାକ ପୋଖରୀ ହୁଡାରେ ରହିଥିବା ଖବର ପାଇ ସନ୍ଦେହ ଉପୁଜିଥିଲା ।
