ଟିକିରି ସାପ୍ତାହିକ ହାଟରେ ଶୁଖିଲା ଗଛ ପଡି ଯୁବକ ମୃତ

ରାୟଗଡ଼ା, (ଅକ୍ଷୟ କୁମାର ପିଡ଼ିସିକା) : କାଶୀପୁର ବ୍ଲକ ଟିକିରି ସାପ୍ତାହିକ ହାଟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ରାସ୍ତାକଡ଼ରେ ଥିବା ଏକ ଶୁଖିଲା ଆମ୍ବଗଛର ଡାଳ ପଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତକ ଜଣକ ହେଉଛନ୍ତି କାଶୀପୁର ବ୍ଲକ ବାଙ୍କାମ୍ବ ପଞ୍ଚାୟତ ଅନ୍ତର୍ଗତ ଫୁଲଜବା ଗ୍ରାମର ଉଗ୍ରେସର ମାଝୀ(୫୦) । ଶୁକ୍ରବାର ସାପ୍ତାହିକ ହାଟ ଥିବାରୁ ପରିବା ବିକ୍ରି କରି ଘରକୁ ଫେରିବା ପାଇଁ ବାହାରିବା ସମୟରେ ହଠାତ ଶୁଖିଲା ଗଛଟି ଉଗ୍ରେସରଙ୍କ ଉପରେ ପଡିଯାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ପୂର୍ବରୁ ମଧ୍ୟ ଅକ୍ଟୋବର ମାସ ୭ ତାରିଖ ଦିନ ଏହି ଗଛର କିଛି ଅଂଶ ରାସ୍ତାଉପରେ ପଡିଥିଲା । ଭାଗ୍ୟବଶତଃ କାହାର କିଛିି ହୋଇନଥିଲା । ଏ ବିଷୟରେ ଟିକିରି ବନ ବିଭାଗକୁ ଅବଗତ କରାଯାଇଥିଲା ବୋଲି ବିଧାୟକ ପ୍ରତିନିଧି ଜିଜୁରୁ ମାଝୀ କହିଛନ୍ତି । ଟିକିରିର ବିଭିନ୍ନ ସ୍ଥାନର ବିପଦ ଶଙ୍କୁଳ ଭାବେ ଶୁଖିଲା ଗଛ ରହିଥିବା ବେଳେ ବିଭିନ୍ନ ସମୟରେ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲେ ମଧ୍ୟ ବନ ବିଭାଗ କିମ୍ବା ପ୍ରଶାସନର ନଜର ପଡୁନାହିଁ ବୋଲି ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଖବର ପାଇ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚି କ୍ଷତିପୂରଣ ଦାବିରେ ଟିକିରି ଠାରୁ ଡଙ୍ଗାସିଲ ରାସ୍ତା ଅବରୋଧ କରିଥିଲେ । ଏହି ବିପଦପୂର୍ଣ୍ଣ ଶୁଖିଲା ଆମ୍ବଗଛ କାଟିବା ପାଇଁ ଗୋକୁଳମୁଣ୍ଡା ଗ୍ରାମବାସୀ ବାରମ୍ବାର ସରପଞ୍ଚଙ୍କୁ ଜଣାଇଥିବା ଓ କୌଣସି ପଦକ୍ଷେପ ନେଇନଥିବା କହିଛନ୍ତି । ଟିକିରି ନୂଆ ମେଡିକାଲ ସମ୍ମୁଖରେ, ଟିକିରି ପ୍ରାଥମିକ ବିଦ୍ୟାଳୟର ପରିସରରେ ଥିବା ଶୁଖିଲା ଆମ୍ବଗଛ, ହାଟପଦା ସ୍ଥିତ ଶୁଖିଲା ଆମ୍ବଗଛ ଓ ପୁରୁଣା ମେଡିକାଲ ପରିସରରେ ଥିବା ନୀଳଗିରି ଗଛ କାଟିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି ।

Leave A Reply

Your email address will not be published.