ରାସ୍ତାକଡରେ ଠିଆ ହୋଇ ଥିବା ବ୍ୟକ୍ତିକୁ ପିଟିଲା କାର୍‌ : ଜଣେ ମୃତ

କୋରାପୁଟ, (ବିକ୍ରାନ୍ତ କୁମାର ବେବର୍ତ୍ତା) : ଚାଷ ଜମିରେ ଶଳା ୟୁରିଆ ସାର ମାରୁଥିବା ବେଳେ ରାସ୍ତାକଡରେ ବାଇକ୍‌ ରଖି ଜ୍ୱାଇଁ ଠିଆ ହୋଇଥିଲେ । ଏତିକି ବେଳେ ଏକ କାର୍‌ ଆସି ବାଇକ୍‌କୁ ଧକ୍କା ଦେଇଥିଲା । ଫଳରେ ଜ୍ୱାଇ ଜଣକ ଗୁରୁତର ହୋଇପଡ଼ିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଜୟପୁର ସ୍ଥିତ ଜିଲ୍ଲା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ବୈପାରିଗୁଡା ଥାନା ଦିଗାପୁର ରାସ୍ତାର ମୁଣ୍ଡିଗୁଡା ଛକ ନିକଟରେ ଏହି ଦୁର୍ଘଟଣା ଘଟିଥିବା ଦେଖିବାକୁ ମିଳିଛି । ଖବର ପାଇ ସଙ୍ଗେ ସଙ୍ଗେ ଥାନା ଏସ୍‌ଆଇ ସଂଜୀବ ବେହେରା ଓ ଏଏସ୍‌ଆଇ ଶିବଶଙ୍କର ନାୟକ ଘଟଣାସ୍ଥଳରେ ପହଂଚି ଦୁର୍ଘଟଣାଗ୍ରସ୍ତ ଗାଡିକୁ ଜବତ କରିବା ସହ ସେହି ସ୍ଥାନରେ କେମିତି ଦୁର୍ଘଟଣା ଘଟିଲା ତାହାର ତଦନ୍ତ କରୁଥିବା ଜଣାପଡିଛି । ଡାବୁଗାଁ ଠାରୁ ଏହି କାର୍‌ ନଂ ଓଡି ୦୨ ବିଏନ୍‌ ୨୩୩୫ ବାହାରି ନିଜ ଘର ମାଲକାନଗିରି ଜିଲ୍ଲାର ଖଇରପୁଟକୁ ଯାଉଥିବା ବେଳେ ଏହି ଘଟଣା ଘଟିଯାଇଛି । ଜୟପୁର ବୈପାରିଗୁଡା ଭାୟା ଦିଗାପୁର ରାସ୍ତା ଦେଇ କାର୍‌ ଫେରୁଥିବା ବେଳେ ମୁଣ୍ଡିଗୁଡା ଛକ ଠାରୁ ଟିକେ ଆଗରେ ରାସ୍ତାର ଡାହାଣ ସାଇଟରେ ଠିଆ ରହିଥିବା ବୁରୁଡୁଫୁଟ ଗ୍ରାମର ସନିଆ ଦୋରା ଓ ତାଙ୍କ ବାଇକ୍‌କୁ ଧକ୍କା ଦେଇଥିବା ଜଣାପଡ଼ିଛି । ଦିଗାପୁର ପଟରୁ ବୈପାରିଗୁଡାକୁ ଆସୁଥିବା କାର ଡାହାଣ ସାଇଟରେ ଠିଆ ହୋଇଥିବା ବାଇକ୍‌ ଓ ବ୍ୟକ୍ତିଙ୍କୁ ଧକ୍କା ଦେଇ କାର୍‌ ଚାଷ ଜମି ଭିତରକୁ ଫଶି ଯାଇଥିବା ଦେଖିବାକୁ ମିଳିଛି । କାର ଚାଳକଙ୍କୁ ପୋଲିସ ଥାନାରେ ଅଟକ ରଖି ତଦନ୍ତ ଚଳାଇଥିବା ସୂଚନା ମିଳିଛି ।

Leave A Reply

Your email address will not be published.