ଜାମଗାଁ : ବିଷାକ୍ତ ସାପ କାମୁଡ଼ାରେ ଯୁବକ ମୃତ । ଆଜି ସକାଳେ ଲଖନପୁର ବ୍ଲକ ସମରବଗା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଝାରଗାଁ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ମୃତ ଯୁବକ ଜଣକ ହେଉଛନ୍ତି ଝାରଗାଁ ଗ୍ରାମର ଦିଲ୍ଲୀପ ପଧାନଙ୍କ ବଡ଼ ପୁଅ ସୁନୀଲ ପଧାନ(୩୫) ।
ସୂଚନା ଅନୁଯାୟୀ ସମରବଗା ଗ୍ରାମ ପଞ୍ଚାୟତ ସୌଜନ୍ୟରୁ ଝାରଗାଁ ଛକରେ ଦିଆଯାଇଥିବା ଜଳଛତ୍ରରେ ସୁନୀଲ କାର୍ଯ୍ୟରତ ଥିଲେ । ପ୍ରତ୍ୟେକ ଦିନ ଭଳି ଆଜି ମଧ୍ୟ ସୁନୀଲ ଜଳଛତ୍ରକୁ ଆସି ପାଣି ମାଠିଆ ଗୁଡିକୁ ଧୋଇ ପୁଣି ପାଣି ଭର୍ତ୍ତି କରିବା ପାଇଁ ମାଠିଆ ଉପରେ ଘୋଡାଇ ଥିବା ଅଖାକୁ ଟାଣିଥିଲେ । ଏହି ସମୟରେ ହଠାତ୍ ଏକ ବିଷଧର ସାପ ତାଙ୍କ ହାତକୁ ଚୋଟ ମାରିଥିଲା । ଫଳରେ କିଛି ସମୟ ପରେ ସେ ଅଚେତ ହୋଇ ପଡ଼ିଥିଲେ । ଏ ସମ୍ପର୍କରେ ଝାରଗାଁ ଗ୍ରାମବାସୀ ଓ ତାଙ୍କ ପରିବାର ଲୋକେ ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ସୁନୀଲଙ୍କୁ ଲଖନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ପରିବାର ଲୋକଙ୍କ ପକ୍ଷରୁ କୁହାଯାଇଛି ।