
ଖପ୍ରାଖୋଲ, (ଅଶୋକ ବାଗ) : ଖପ୍ରାଖୋଲ ବ୍ଲକ୍ ତେଲେନପାଲି ପଞ୍ଚାୟତ ଡୁଡୁକିପଦର ଗାଁରେ ଅଂଶୁଘାତରେ ଶୁକ୍ରବାର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତ ଯୁବକ ଜଣକ କୀର୍ତ୍ତନ ନାଗ(୩୫)ବୋଲି ଜଣାପଡିଛି । ସୂଚନା ଅନୁସାରେ ମୃତ ଯୁବକ ଜଣକ ବିଦ୍ୟୁତ୍ ବିଭାଗରେ ମିଟର ରିଡର୍ ଭାବରେ ଠିକା ନିଯୁକ୍ତିରେ କାମ କରୁଥିଲେ । ଗୁରୁବାର ବିଦ୍ୟୁତ୍ ମିଟର ରିଡ଼ିଂ ଓ ବିଲ୍ ଦେବାପାଇଁ ଭାନପୁର ପଞ୍ଚାୟତକୁ ଯାଇଥିବା ସମୟରେ ଅପରାହ୍ନରେ ଫେରିବା ବେଳେ ଖରା ଯୋଗୁଁ ରାସ୍ତାରେ ଗୁରୁତର ହୋଇପଡିଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ପାଣି ଦେଇ ସେ ସୁସ୍ଥ ଅନୁଭବ କରିବାରୁ ଘରକୁ ପଠାଇ ଦେଇଥିଲେ । ହେଲେ ରାତିରେ ଖାଇ ସାରି ପୁଣି ଥରେ ଅସୁସ୍ଥତା ଅନୁଭବ କରିବାରୁ ଶୁକ୍ରବାର ସକାଳୁ ଖପ୍ରାଖୋଲ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆଣିବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ପରିବାର ତରଫରୁ ଖପ୍ରାଖୋଲ ଥାନାରେ ଲିଖିତ ଜଣାଇଲା ପରେ ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା । ଏନେଇ ଖପ୍ରାଖୋଲ ଥାନା କେସ ନମ୍ବର ୫/୨୩ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତର ଅନୁସନ୍ଧାନ ଚାଲିଥିବା ଖପ୍ରାଖୋଲ ଥାନା ଅଧିକାରୀ ରମାକାନ୍ତ ସାହୁ ପ୍ରକାଶ କରିଛନ୍ତି । ଅଂଶୁଘାତ ସମ୍ପର୍କରେ ଖପ୍ରାଖୋଲ ତହସିଲଦାର ଆଦିତ୍ୟ ପ୍ରସାଦ ମିଶ୍ରଙ୍କୁ ପଚାରିବାରୁ ଏନେଇ ସୂଚନା ପାଇଛୁ, ରାଜସ୍ଵ ନିରୀକ୍ଷକଙ୍କୁ ଘଟଣା ସଂପର୍କରେ ତଦନ୍ତ ପାଇଁ କୁହାଯାଇଛି ବୋଲି କହିଛନ୍ତି । ମୃତ ଯୁବକଙ୍କ ଗୋଟିଏ ଝିଅ(୧୧) ଏବଂ ୬ ବର୍ଷର ପୁଅ ଥିବାବେଳେ ସ୍ତ୍ରୀ ଗର୍ଭବତୀ ଅଛନ୍ତି । ମୃତ ଯୁବକ ମେଲାପି ଥିବାରୁ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବିଦ୍ୟୁତ୍ ବିଭାଗ କର୍ମଚାରୀ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ସୂଚନା ଯୋଗ୍ୟ କିଛି ଦିନ ହେଲା ଖପ୍ରାଖୋଲ ଅଞ୍ଚଳରେ ପ୍ରବଳ ଗରମ ଅନୁଭୂତ ହେଉଛି ।