ନୂଆପଡ଼ା, (ନିରାକାର ମେହେର) : ଆଉ ୬ ଦିନ ପରେ ବିବାହ ଥିଲା । ବିବାହ ପାଇଁ ନିମନ୍ତ୍ରଣ ବାଣ୍ଟୁଥିଲେ । ହେଲେ ବିବାହ ବେଦିରେ ବସିବା ପୂର୍ବରୁ ବାଇକ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ । ନୂଆପଡ଼ା ଜିଲ୍ଲା ଜୋଙ୍କ ଥାନା ଜେଂଜରା ଗାଁର ଏମିତି ଏକ ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ସାଜିଛି । ସୂଚନା ଅନୁସାରେ ଜୋଙ୍କ ଥାନା ବିରୋମାଲ ଗାଁର କେଜୁରାମ ବିଭାରଙ୍କ ପୁଅ ଡିଗେଶ୍ୱର ବିଭାର(୨୦) ଆସନ୍ତା ୧୨ରେ ବିବାହ କରିଥାନ୍ତେ । ଏଥିପାଇଁ ନିଜେ ସେ ବନ୍ଧୁ ପରିଜନଙ୍କୁ ନିମନ୍ତ୍ରଣ କରିବାକୁ ଯାଉଥିଲେ । ଶନିବାର ଦିନ ନିଜ ବାଇକ(ସିଜି ୦୪ କେପି ୯୨୨୦)ରେ ଜଣେ ବନ୍ଧୁଙ୍କ ସହ କାର୍ଡ ବାଣ୍ଟିବାକୁ ଯିବାବେଳେ ଖରିଆର ରୋଡ୍ରୁ ବେଲଟୁକୁରୀ ରାସ୍ତାର ଜେଂଜରା ଗାଁରେ ଦୁଇ ଜଣ ପଥିକଙ୍କୁ ଧକ୍କା ଦେଇ ଲୋକଙ୍କ ଭୟରେ ଗାଡ଼ିର ସ୍ପିଡ୍କୁ ବଢ଼ାଇଥିଲେ । ଫଳରେ ଜେଂଜରା ଗାଁ ମୁଣ୍ଡରେ ବାଇକ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ଯାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ଡିଗେଶ୍ୱରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା । ଏହା ଦେଖି ତାଙ୍କ ବନ୍ଧୁ କୁଆଡେ ଚାଲି ଯାଇଥିବା ଜଣାପଡିଛି ।
Next Post