ଖେଳୁଥିବା ବେଳେ ପୋଖରୀ ପଡ଼ି ଶିଶୁ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡି ଗ୍ରାମର ପୋଖରୀରେ ବୁଡ଼ି ଶନିବାର ଜଣେ ଶିଶୁଙ୍କ ମୃତ୍ୟୁ ଘଟିଛି । ମୃତ ଶିଶୁ ହେଲେ ଡେଙ୍ଗାଡି ଗ୍ରାମର ରଞ୍ଜନ ସାହୁଙ୍କ ଏକମାତ୍ର ପୁତ୍ର ସିଦ୍ଧାର୍ଥ । ସୂଚନା ଅନୁସାରେ ସିଦ୍ଧାର୍ଥ ଘର ନିକଟ ପୋଖରୀ ହିଡରେ ସକାଳ ପ୍ରାୟ ୮ ଟାରେ ଖେଳୁଥିବା ବେଳେ ଅସାବଧାନତା କାରଣରୁ ପୋଖରୀ ଭିତରକୁ ଖସି ପଡ଼ିଥିଲେ । ଦୀର୍ଘ ୨ ଘଣ୍ଟା ଧରି ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ସିଦ୍ଧାର୍ଥଙ୍କୁ ଖୋଜାଖୋଜି କରିବା ପରେ ପୋଖରୀରେ ଭାସୁଥିବା ଦେଖିଥିଲେ । ତାଙ୍କୁ ଉଦ୍ଧାର କରି ନିକଟସ୍ଥ ଆଡପଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପାଟପୁର ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଇଥିଲା । ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି । ଶୋକାକୁଳ ପରିବେଶରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଥିଲା ।

Leave A Reply

Your email address will not be published.