ଭୁବନେଶ୍ୱର, (କେପିଏନ୍ଏସ୍) : ପ୍ରତିବର୍ଷ ଡିସେମ୍ବର ୧୧ ତାରିଖରେ ପାଳିତ ହୋଇଥାଏ ୱାର୍ଲ୍ଡ ମାଉଣ୍ଟେନ୍ ଡେ’ । ପର୍ବତର ଆବଶ୍ୟକତା ଓ ଏହାର ସଂରକ୍ଷଣ ପାଇଁ ଜନସଚେତନତା ସୃଷ୍ଟି କରିବା ହିଁ ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ଉପକଣ୍ଠରେ ଥିବା ଚନ୍ଦକା-ଡମପଡ଼ା ହସ୍ତୀ ଅଭୟାରଣ୍ୟ ଘେର ମଧ୍ୟରେ ରହିଥିବା ଆଦିବାସୀ ପଲ୍ଲୀ କନ୍ଦଳେଇର ବନବାସୀଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ କନ୍ଦଳେଇ ପର୍ବତ ଉପରେ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଆ ଭାଷାର ମନଛୁଆଁ ସ୍ଲୋଗାନ୍ କହି ବନବାସୀମାନେ ପଲ୍ଲୀରେ ସଚେତନତା ସୃଷ୍ଟି କରିଥିଲେ । ପରିବେଶବିତ୍ ସୁଶାନ୍ତ ସାହୁଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମରେ ବନବାସୀମାନେ କନ୍ଦଳେଇ ପାହାଡ଼ର ସୁରକ୍ଷା ପାଇଁ ସଂକଳ୍ପ ନେଇଥିଲେ । ପର୍ବତ କିପରି ଗୁରୁତ୍ୱପୂର୍ଣ୍ଣ ଭୂମିକା ବହନ କରିଥାଏ ସେ ସମ୍ପର୍କରେ ଶ୍ରୀ ସାହୁ ବନବାସୀମାନଙ୍କୁ ବୁଝାଇଥିଲେ । କାର୍ଯ୍ୟକ୍ରମକୁ ସାମାଜିକ କର୍ମୀ ତ୍ରିଲୋଚନ ବେଉରା, ପ୍ରିୟବ୍ରତ ପଣ୍ଡା ପ୍ରମୁଖ ପରିଚଳନାରେ ସହଯୋଗ କରିଥିଲେ ।