ଇସ୍ପାତ ନାଟ୍ୟ ମହୋତ୍ସବର ସପ୍ତମ ସନ୍ଧ୍ୟା

-ରଙ୍ଗମଂଚ ପକ୍ଷରୁ ‘ହନୁମାନ ପଇସା’ ମଂଚସ୍ଥ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସରକାରଙ୍କ ପୃଷ୍ଠପୋଷକତା ଏବଂ ଆରଏସପି ଆନୁକୂଲ୍ୟରେ ‘ଏକତ୍ର’ ରାଉରକେଲା ଦ୍ୱାରା ଆୟୋଜିତ ତୃତୀୟ ଇସ୍ପାତ ନାଟ୍ୟ ମହୋତ୍ସବର ସପ୍ତମ ସନ୍ଧ୍ୟାରେ ସ୍ଥାନୀୟ ସିଭିକ୍ ସେଂଟରଠାରେ ରଙ୍ଗମଂଚ ନାଟ୍ୟାନୁଷ୍ଠାନ ତରଫରୁ ନାଟକ ‘ହନୁମାନ ପଇସା’ ମଂଚସ୍ଥ ହୋଇଯାଇଛି । ଜୀବନ ସହ ଆଜୀବନ ଯୁଝିବାକୁ ହୁଏ । ଜୀବନ ସହ ମଣିଷର ଅଘୋଷିତ ଯୁଦ୍ଧ ଜାରି ରହିଥାଏ । ସେ ଯୁଦ୍ଧରେ ନା ମଣିଷ ହାରେ ନା ଜୀବନ ହାରେ । ନା ଜୀବନ ହୁଏ ପରାଜିତ ନା ମଣିଷ ହୁଏ ବିଜୟୀ । ଅହରହ ଏହାକେବେ ମଧୁର, କେବେ ତିକ୍ତ । ଜୀବନ-ଯୁଦ୍ଧରେ ସାମିଲ ହେବା ହିଁ ମଣିଷପଣିଆ। ତେବେ, ଦୟାନିଧି ପାତ୍ର ଭଳି ଚରିତ୍ରମାନ ବେଳେ ବେଳେ ଜୀବନ-ଯୁଦ୍ଧରୁ ଛତ୍ରଭଙ୍ଗ ଦେଇ ପଳାୟନ କରନ୍ତି । ପଳାତକମାନେ ହିଁ ପଡିଆ ବାହାର ମଣିଷ । ଅଭାବଗ୍ରସ୍ତ ‘ଦୟାନିଧି’ମାନେ ରାତାରାତି ବଡଲୋକ ହେବାର ସ୍ୱପ୍ନ ଦେଖି ‘ହନୁମାନ ପଇସା’ ଭଳି ଏକ ଦିବାସ୍ୱପ୍ନ ପିଠିରେ ଲାଉ ହୋଇଯା’ନ୍ତି, ଟଙ୍କାରେ ତିନି ଆଠେଣିର ସ୍ୱପ୍ନ ଦେଖନ୍ତି । ତେବେ, ଟଙ୍କାରେ ତିନି ଆଠେଣି ସତରେ କ’ଣ ସଂଭବ? ‘ହନୁମାନ ପଇସା’ ଭଳି ଏକ ଅଲୌକିକ ବସ୍ତୁ କ’ଣ ସତରେ କେଉଁଠି ଥାଏ ? ଯଦି ଥାଏ, ତାହା କ’ଣ ଆଣି ଦେଇପାରେ ଇପ୍‌ସିତ ଐଶ୍ୱର୍ଯ୍ୟ ଏହିଭଳି କାହାଣୀକୁ ନେଇ ନାଟକଟି ଗତିଶୀଳ ଥିଲା । ନାଟକଟିକୁ ରଣଜିତ୍ ପଟ୍ଟନାୟକ ରଚନା କରିଥିବା ବେଳେ ଅଭିକଳ୍ପନା ଓ ନିର୍ଦ୍ଦେଶନା ଦେଇଥିଲେ କୈଳାସ ପାଣିଗ୍ରାହୀ, ସଂଗୀତ- ଶ୍ୟାମ ସୁନ୍ଦର ପଟ୍ଟନାୟକ ଓ ସହଯୋଗୀ-ଲକ୍ଷ୍ମୀକାନ୍ତ ଡୋରା, ଆଲୋକ ଓ ଶବ୍ଦ- ସାନୁ, ମଂଚ ପ୍ରସ୍ତୁତି- ଅମିୟ ସାହୁ, ପ୍ରଯୋଜନା-ଡା. କିରଣ ମିଶ୍ର । ବିଭିନ୍ନ ଭୂମିକାରେ ସୁଦେଶ ନାୟକ, ଉମା ଶଙ୍କର ପଣ୍ଡା, ଗୌରାଙ୍ଗ ଦଳେଇ, ଅରବିନ୍ଦ ଜଗଦେବ, ଅମିୟ ସାହୁ, ସୌମ୍ୟରଂଜନ ଲେଙ୍କା, ରୋହିତ ଜଗଦଳ ଓ ସୌମ୍ୟା ସୁଚରିତା ଅଭିନୟ କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ସୁପରିଚିତ ଅସ୍ତିଶଲ୍ୟ ଡାକ୍ତର କିରଣ ମିଶ୍ର ଯୋଗ ଦେଇଥିଲେ । ସେ ତାଙ୍କ ବକ୍ତବ୍ୟରେ କହିଲେ ଯେ, ନାଟକ ହେଉଛି ସମାଜର ପ୍ରତିଛବି, ହୃଦୟର ଅଭିବ୍ୟକ୍ତି । ରାଉରକେଲାରେ ଏକତ୍ର ଅନୁଷ୍ଠାନ ଏହି ନାଟକ ଉତ୍ସବକୁ ଜାରି ରଖିଥିବା ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ । ଉଦ୍‌ଘାଟକ ଭାବେ ଓଡିଶା ନାଟ୍ୟ ସଂଘର ସାଧାରଣ ସମ୍ପାଦକ ସୁଧାଂଶୁ ମୋହନ ଦ୍ୱିବେଦୀ ଯୋଗଦେଇ କହିଲେ ଯେ, ନାଟକ ଶାନ୍ତି, ସମୃଦ୍ଧି, ପ୍ରଗତି ଓ ପରିଣତ ବୟସର ଆଶାବାଡି । ଅନୁଷ୍ଠାନର ମୁଖ୍ୟ ଦର୍ଶକ ଭାବେ ଶିକ୍ଷାବିତ ଆଲୋକ ରଞ୍ଜନ ମଲ୍ଲିକ ଯୋଗ ଦେଇ ବକ୍ତବ୍ୟ ରଖିଥିଲେ ଓ ଏକତ୍ରର ଉଦ୍ୟମକୁ ପ୍ରଶଂସା କରିଥିଲେ । ପ୍ରାରମ୍ଭରେ ବିଶିଷ୍ଠ ନାଟ୍ୟ ବ୍ୟକ୍ତିତ୍ୱ ପ୍ରଶାନ୍ତ ପତି ସଭାପତିତ୍ୱ କରିବା ସହ ସ୍ୱାଗତ ଭାଷଣ ଦେଇଥିଲେ । ଶେଷରେ ଦୀପକ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ନାଟକର ନିର୍ଦ୍ଦେଶକ କୈଳାସ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମକୁ ଶୁଭଶ୍ରୀ ଦାଶ ସଂଯୋଜନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଏକତ୍ର ପକ୍ଷରୁ ବିଜୟ ପାତ୍ର, ପ୍ରଦୀପ କୁମାର ନାୟକ, ପ୍ରଜ୍ଞାନନ୍ଦ ମହାନ୍ତି, ଶରତ ଚନ୍ଦ୍ର ଦାସ, ଅକ୍ଷୟ ଧଳ, ପ୍ରସନ୍ନ କୁମାର ମହାନ୍ତି, କଲ୍ୟାଣୀ ଦାସ, ଶାନ୍ତିଲତା ଦାସ, ସନ୍ଧ୍ୟା ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.