om academy

ବରଗଡରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

jsm

ବରଗଡ, (ନିରୋଜ କୁମାର ପାଣୀ) : ମୁଖ୍ୟମନ୍ତ୍ରୀଙ୍କ ପାଇଁ ଲୋକଙ୍କ ଭିତରେ ଅଦ୍ଭୁତପୂର୍ବ ଉତ୍ସାହ, ହଜାର ହଜାର ଲୋକଙ୍କ ଗହଣରେ ରୋଡ ସୋ’ରେ ଗଲେ କାର୍ଯ୍ୟକ୍ରମ ସ୍ଥଳକୁ, ଲୋକଙ୍କୁ ଧନ୍ୟବାଦ ଦେଲେ ମୁଖ୍ୟମନ୍ତ୍ରୀ, କହିଲେ ବରଗଡକୁ ଆଉ ଥରେ ଖୁବଶୀଘ୍ର ଆସିବି କୃଷକମାନେ ପାଇଲେ ପି. ଏମ୍‌ . କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି, ଓଡ଼ିଶାର ୩୧.୬୨ ଲକ୍ଷ ଚାଷୀ ୬୩୨.୪୮ କୋଟି ଟଙ୍କା ପାଇଲେ ପୂର୍ବ ସରକାର ପ୍ରତିଶୃତି ଦେଇଥିବା ୧୦୦ ଟଙ୍କା ବୋନସ୍‌ ଦେଲେ ନାହିଁ, ବରଂ କଟନି ଛଟନି କଲେ । ଆମେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କାକୁ ବୃଦ୍ଧି କରୁଛୁ । ପିଏମ୍‌ କିଷାନ ଯୋଜନାରେ ସାମିଲ ହୋଇପାରି ନଥିବା ଓଡିଶାର ସମସ୍ତ ଯୋଗ୍ୟ ବଞ୍ଚିତ ଚାଷୀଙ୍କୁ ୧୫ ଦିନ ମଧ୍ୟରେ ଅନ୍ତର୍ଭୁକ୍ତ କରାଯିବ । ଜନତାଙ୍କ ସରକାର ଆଗାମୀ ବଜେଟ୍‌ ପାଇଁ ଆପଣମାନଙ୍କ ଠାରୁ ମତାମତ ସଂଗ୍ରହ କରିବ, ଏଥିପାଇଁ ଖୁବଶୀଘ୍ର ୱେବ୍‌ସାଇଟ୍‌ ଖୋଲାଯିବ । ମୁଁ ସାଧାରଣ ପରିବାରରୁ ଆସିଛି, ମୋ ସରକାର ଜନତାଙ୍କ ସରକାର, ଯେତେବେଳେ ଆପଣ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବେ, ନିଶ୍ଚୟ ପାଇବେ- ମୁଖ୍ୟମନ୍ତ୍ରୀ । ପ୍ରଧାନ ମନ୍ତ୍ରୀ ମୋଦୀଙ୍କ ଯୋଗୁ ଚାଷୀ ଭାଇମାନେ ଖୁବ ଉପକୃତ ହେଉଛନ୍ତି- ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବରଗଡ ଗସ୍ତ କରି ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ଉତ୍ସବରେ ଯୋଗ ଦେଇଛନ୍ତି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାରେ ଆଜି ଓଡିଶାର ୩୧.୬୨ ଲକ୍ଷ ଚାଷୀ ୬୩୨.୪୮ କୋଟି ଟଙ୍କା ପାଇଲେ । ପ୍ରତ୍ୟେକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୨୦୦୦ ଟଙ୍କା ଲେଖାଏ ପ୍ରଦାନ କରାଯାଇଛି । ବାରଣାସୀରେ ଆୟୋଜିତ ରାଷ୍ଟ୍ରୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି । ବରଗଡରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ହଜାର ହଜାର ଲୋକଙ୍କ ଗହଣରେ ଏକ ‘ରୋଡ ସୋ’ରେ ଯାଇ କାର୍ଯ୍ୟକ୍ରମ ସ୍ଥଳରେ ପହଞ୍ଚିଥିଲେ । ରାସ୍ତାରେ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସାରା ରାସ୍ତାରେ ଲୋକଙ୍କୁ ହାତ ହଲାଇ ଶୁଭେଚ୍ଛା ଜଣାଇଥିଲେ । ବିପୁଳ ଉତ୍ସାହରେ ଲୋକମାନେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ପ୍ଲାକାର୍ଡ ଧରି ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିଲେ । ଲୋକଙ୍କ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଲୋକଙ୍କ ଭିତରେ ବିପୁଳ ଉତ୍ସାହ ଦେଖିବାକୁ ମିଳିଥିଲା । ଲୋକଙ୍କ ଏହି ଅଦ୍ଭୁତପୂର୍ବ ଉତ୍ସାହ ଓ ସମ୍ବର୍ଦ୍ଧନା ଯୋଗୁ ମୁଖ୍ୟମନ୍ତ୍ରୀ ବରଗଡବାସୀଙ୍କୁ ଧନ୍ୟବାଦ ଦେଇଥିଲେ ଏବଂ ଖୁବଶୀଘ୍ର ପୁଣି ଥରେ ଆସିବେ ବୋଲି ପ୍ରତିଶୃତି ଦେଇଥିଲେ । କାର୍ଯ୍ୟକ୍ରମରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚ ପ୍ରଶଂସା କରି କହିଲେ ଯେ, ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ହେଉଛନ୍ତି କୃଷକ ମାନଙ୍କର ପ୍ରକୃତ ବନ୍ଧୁ । ଚାଷୀମାନଙ୍କୁ ସବୁ ସହାୟତା ଡିବିଟି ମାଧ୍ୟମରେ ସିଧାସଳଖ ବ୍ୟାଙ୍କ ଖାତାରେ ପହଞ୍ଚୁଛି । ପ୍ରଧାନମନ୍ତ୍ରୀଙ୍କ ଏହି ଯୋଜନା କୃଷକ ମାନଙ୍କ ପାଇଁ ବିକାଶର ରାସ୍ତା ଖୋଲିଛି । ସେ କହିଲେ ଯେ, ଆଜି ପି.ଏମ୍‌.କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତିରେ ଆଜି କୃଷକମାନେ ପ୍ରତ୍ୟେକ ୨୦୦୦ ଟଙ୍କା ଲେଖାଏଁ ପାଇଲେ । ଓଡ଼ିଶାର ୩୧ ଲକ୍ଷ ୬୨ ହଜାର ଚାଷୀ ସମୁଦାୟ ୬୩୨ କୋଟି ୪୮ ଲକ୍ଷ ଟଙ୍କା ପାଇଲେ । ଏଥିପାଇଁ ସେ ରାଜ୍ୟର ସମସ୍ତ କୃଷକ ଭାଇ ଭଉଣୀ ମାନଙ୍କୁ ହୃଦୟରୁ ଶୁଭେଚ୍ଛା ଜଣାଇଥିଲେ । ସେ ପୁଣି କହିଲେ ଯେ, ପ୍ରଧାନ ମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରବର୍ତ୍ତିତ ଏକ କୃଷକ କଲ୍ୟାଣକାରୀ ପ୍ରଗତିଶୀଳ ତଥା କୃଷକଙ୍କୁ ମୁଖ୍ୟ ସ୍ରୋତରେ ସମ୍ମିଳିତ କରିବା ଭଳି ଯୋଜନା । କୃଷକର ବିକାଶ ଏବଂ ଦାରିଦ୍ର୍ୟତା ହ୍ରାସ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବା ନିମନ୍ତେ ମୋଦୀ ସରକାର ଫେବୃଆରୀ ୨୦୧୯ରେ ଏହି ଯୋଜନାକୁ କାର୍ଯ୍ୟକାରୀ କରିଥିଲେ । ମୁଖ୍ୟମନ୍ତ୍ରୀ କହିଲେ ଓଡ଼ିଶାରେ ଆମ ସରକାର ଆସିବାର ପ୍ରଥମ ଦିନରେ ହିଁ କ୍ୟାବିନେଟ୍‌ ଚାଷୀମାନଙ୍କଠାରୁ ଧାନ ସଂଗ୍ରହ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟକୁ ୩୧୦୦ ଟଙ୍କାକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି । ପୂର୍ବ ସରକାର ଦେଇଥିବା ପ୍ରତିଶୃତି ଅନୁଯାୟୀ, ୧୦୦ ଟଙ୍କା ବୋନସ୍‌ ଦେଲେନାହିଁ । ବରଂ କଟନି ଛଟନି ଆରମ୍ଭ କଲେ । ମୋ ସରକାର ଜନତାଙ୍କ ସରକାର । ସାଧାରଣ ଲୋକଙ୍କ ପାଇଁ ଆମର ସବୁ ପ୍ରତିଶୃତି ପୂରଣ ହେବ । ଆମ ରାଜ୍ୟରେ କୃଷକଙ୍କ ସଶକ୍ତିକରଣ ଏବଂ କଲ୍ୟାଣ ହେଉଛି ସରକାରଙ୍କ ମୁଖ୍ୟ ଉଦ୍ଦେଶ୍ୟ । ଆମ ରାଜ୍ୟ ସରକାର ଆଗାମୀ ଦିନରେ ଆହୁରି ଅନେକ କୃଷକଙ୍କ ପାଇଁ କେନ୍ଦ୍ର ସରକାର କରିଥିବା ବିକାଶମୂଳକ ଯୋଜନା ଏବଂ କାର୍ଯ୍ୟକ୍ରମ ରାଜ୍ୟରେ ଲାଗୁ କରିବାକୁ ଯୋଜନା ରଖିଛନ୍ତି । ସେ କହିଥିଲେ ଯେ, ମୁଁ ଚାହୁଁଛି ଯେ କୌଣସି ଯୋଗ୍ୟ କୃଷକ ଏହି ଯୋଜନା ଅଧୀନରେ ଲାଭ ପାଇବାରୁ ବଞ୍ଚିତ ହେବେ ନାହିଁ । ଆଗାମୀ ୧୫ ଦିନ ମଧ୍ୟରେ ସବୁ ବଞ୍ଚିତ ଯୋଗ୍ୟ ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ । ଆଗାମୀ କିସ୍ତିରେ ଆପଣମାନେ ଏହାର ସୁଫଳ ପାଇବେ । ସେ କହିଥିଲେ ଯେ, କୃଷକମାନେ ଆମର ଅନ୍ନ ଦାତା, ଆମର ବନ୍ଧୁ । ରାଜ୍ୟ ଓଡିଶାର ଜନସଂଖ୍ୟାର ୭୦ ଭାଗ ହେଉଛନ୍ତି କୃଷକ ପରିବାରର ଲୋକ । ମୁଁ ମଧ୍ୟ ଏକ ସାଧାରଣ ପରିବାରରୁ ଆସିଛି । ସାଧାରଣ ଲୋକଙ୍କ ସମସ୍ୟା ମୁଁ ଜାଣିଛି ବୋଲି ସେ କହିଥିଲେ । ଆଗାମୀ ବଜେଟ୍‌ରେ ଆମେ ସାଧାରଣ ଲୋକଙ୍କ ମତାମତକୁ ସ୍ଥାନ ଦେବୁ । ଏଥିପାଇଁ ଖୁବଶୀଘ୍ର ଏକ ୱେବ୍‌ସାଇଟ୍‌ ଖୋଲାଯିବ । ଆପଣଙ୍କ ମତ ଅନୁଯାୟୀ ବଜେଟ୍‌ ପ୍ରସ୍ତୁତ କରାଯିବ । ସେ ପୁଣି କହିଥିଲେ ଯେ, ମୋ ସରକାର ଜନତାଙ୍କ ସରକାର, ଯେତେବେଳେ ଆପଣ ଆପଣଙ୍କ ମୁଖ୍ୟମନ୍ତ୍ରୀଙ୍କୁ ଖୋଜିବେ, ନିଶ୍ଚୟ ପାଇବେ । ଗତ ୨୪ ବର୍ଷ ଧରି ଆପଣ ଆପଣଙ୍କ ସରକାରଙ୍କୁ ପାଖରେ ପାଉ ନଥିଲେ ବୋଲି ସେ କହିଥିଲେ । ସେ ପୁଣି କହିଥିଲେ ଯେ, ମୋ ସରକାର ହେଉଛି ଗରିବ ଓ କୃଷକର ସରକାର । ତେଣୁ ରାଜ୍ୟରେ କୃଷି ଓ କୃଷକର ଭବିଷ୍ୟତ ପାଇଁ ମୋ ସରକାର ପ୍ରତିଶୃତି ବଦ୍ଧ । ସମସ୍ତ କୃଷକ ଭାଇ ଓ ଭଉଣୀମାନେ ପି. ଏମ୍‌. କିଷାନର ଏହି ସହାୟତା ରାଶିକୁ ଖରିଫ ଚାଷ କାମରେ ଉପଯୋଗ କରି ଲାଭବାନ ହୋଇପାରିବେ ବୋଲି ସେ ଆଶାପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ସାଂସଦ ପ୍ରଦୀପ ପୁରୋହିତ, ବିଜେପୁର ବିଧାୟକ ସନତ ଗଡତିଆ, ବରଗଡ ବିଧାୟକ ଅଶ୍ୱନୀ ଷଡଙ୍ଗୀ, ଅତାବିରା ବିଧାୟକ ନିହାର ମହାନନ୍ଦ ଓ ଭଟଲି ବିଧାୟକ ଇରାଶିଷ ଆଚାର୍ଯ୍ୟ ଏବଂ ଅନ୍ୟ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ ।

Leave A Reply

Your email address will not be published.