ବଲାଙ୍ଗିର ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୁଇ ଦିନିଆ ଓଡିଶା ଗସ୍ତରେ ଗତ ରାତିରେ ଭୁବନେଶ୍ୱରରେ ବିଶାଳ ରୋଡ୍‌ ସୋ’ ପରେ ଆଜି ଫୁଲବାଣୀ, ବଲାଙ୍ଗିର ଓ ବରଗଡ ଠାରେ ବିଜେପି ତରଫରୁ ଶ୍ରୀ ମୋଦୀଙ୍କୁ ଭବ୍ୟ ସ୍ଵାଗତ ଓ ସମ୍ବର୍ଦ୍ଧନା ଦିଆଯାଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବଲାଙ୍ଗିର ଗସ୍ତରେ ଆସି ସ୍ଥାନୀୟ ପଥରଚେପା ଠାରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶକୁ ସମ୍ବୋଧିତ କରିଥିଲେ । ପ୍ରଥମରେ ବାୟୁ ସେନାର ଏକ ସ୍ଵତନ୍ତ୍ର ବିମାନରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସମାବେଶ ସ୍ଥଳରେ ପହଂଚିବା ପରେ ବିଜେପିର ବିଧାୟକ ଓ ସାଂସଦ ପ୍ରାର୍ଥୀ, କର୍ମକର୍ତ୍ତା ଓ ସମବେତ ଜନତା ତାଙ୍କୁ ସ୍ୱାଗତ କରିଥିଲେ । ଶ୍ରୀ ମୋଦୀ ଓଡ଼ିଆ ଅସ୍ମିତା ଉପରେ ପ୍ରଶ୍ନ ଉଠାଇ ଓଡ଼ିଆ ଅସ୍ମିତା ଏବେ ସଙ୍କଟରେ ବୋଲି କହିବା ସହ ଓଡିଶାବାସୀ ଓଡ଼ିଆ ଲୋକଙ୍କ କଥା ବୁଝୁ ନଥିବା ଜଣେ ବ୍ୟକ୍ତିଙ୍କୁ ଭୋଟ୍‌ରେ ପ୍ରତ୍ୟାଖ୍ୟାନ କରନ୍ତୁ ବୋଲି କହିଥିଲେ । ମୋଦୀ ନିଜର ଅଭିଭାଷଣରେ ସିଧାସଳଖ ନିଶାନା କରିଥିଲେ ନବୀନଙ୍କୁ ନବୀନ ତାଙ୍କ ନିର୍ବାଚନ ମଣ୍ଡଳୀର ୧୦ଟି ଗାଁର ନାଁ କହି ପାରିବେ ନି, ଏପରି ମୁଖ୍ୟମନ୍ତ୍ରୀଙ୍କୁ ବାଜା ବଜାଇ ବିଦା କରନ୍ତୁ । ବିଜେଡ଼ିର କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଛି । ଆସନ୍ତା ଜୁନ ୧୦ରେ ଓଡ଼ିଶାରେ ବିଜେପି ଶପଥ ଗ୍ରହଣ କରିବ ଓ ଜଣେ ଓଡ଼ିଆ ବ୍ୟକ୍ତି ମୁଖ୍ୟମନ୍ତ୍ରୀ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ । ଓଡ଼ିଶାରେ ଡବଲ୍‌ ଇଞ୍ଜିନ୍ ସରକାର ଆସିଲେ ସମୃଦ୍ଧି ଆସିବ ଓ ଏହା ମୋଦୀଙ୍କ ଗେରେଣ୍ଟି ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବଲାଙ୍ଗିର ବିଜେପି ସାଂସଦ ପ୍ରାର୍ଥୀ ସଂଗୀତା ସିଂହଦେଓ, ବଲାଙ୍ଗିର ବିଧାୟକ ପ୍ରାର୍ଥୀ ଗୋପଲଜୀ ପାଣିଗ୍ରାହୀ, ଲୋଇସିଂହା ବିଧାୟକ ପ୍ରାର୍ଥୀ ଡ. ମୁକେଶ ମହାଲିଙ୍ଗ, ପାଟଣାଗଡ ବିଧାୟକ ପ୍ରାର୍ଥୀ କନକ ବର୍ଦ୍ଧନ ସିଂହଦେଓ, କଣ୍ଟାବାଞ୍ଜି ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ବାଗ, ଟିଟିଲାଗଡ଼ ବିଧାୟକ ପ୍ରାର୍ଥୀ ନବୀନ ଜୈନ. ବି. ଏମ୍‌. ପୁର ବିଧାୟକ ପ୍ରାଥୀ ଓ ସୋନପୁର ବିଧାୟକ ପ୍ରାର୍ଥୀ ପ୍ରମୋଦ ମହାପାତ୍ର ପ୍ରମୁଖ ଉଦ୍‌ବୋଧନ ଦେଇ ୨୪ବର୍ଷର ଏହି ଅହଂକାରୀ ସରକାର ବଦଳିବା ଦରକାର ବୋଲି କହିଥିଲେ ।

Leave A Reply

Your email address will not be published.